କାନ୍ଥ ଭୁଶୁଡ଼ି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

କେନ୍ଦୁଝର: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କେନ୍ଦୁଝର ସଦର ବ୍ଲକ୍‌ ଟିକରପଡ଼ା ଗ୍ରାମରେ ଗତକାଲି ରାତିରେ କାନ୍ଥ ଭୁଶୁଡ଼ିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

ଟିକରପଡ଼ା ଗ୍ରାମର କାହ୍ନୁଚରଣ ବେହେରା ଓ ପତ୍ନୀ ଦୂତିକା ବେହେରା ଶୋଇଥିବା ବେଳେ ରାତି ପ୍ରାୟ ୩ଟା ସମୟରେ ଘରର ମାଟି କାନ୍ଥ ସେମାନଙ୍କ ଉପରେ ପଡ଼ିଯାଇଥିଲା। ପଡ଼ୋଶୀଙ୍କ ଉଦ୍ୟମରେ କାହ୍ନୁଚରଣଙ୍କୁ ଉଦ୍ଧାର କରାଯାଇଥିବାରୁ ସେ ବର୍ତ୍ତି ଯାଇଥିଲେ। ପତ୍ନୀ ଦୂତିକା କାନ୍ଥ ତଳେ ଚାପି ହୋଇ ରହିଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ କେନ୍ଦୁଝର ସଦର ତହସିଲଦାର ଆଶିଷ ମହାପାତ୍ର ଓ ରାଇସୁଆଁ ରାଜସ୍ୱ ନିରୀକ୍ଷକ ଯୁଗଳକିଶୋର ପାତ୍ର ଟିକରପଡ଼ା ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ସରକାରଙ୍କ ନିୟମ ଅନୁଯାୟୀ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଦୂତିକାଙ୍କ ଶୁଦ୍ଧିକ୍ରିୟା ପାଇଁ ରେଡ୍‌କ୍ରସ୍‌ ପାଣ୍ଠିରୁ ୨୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର