ରାଇରଙ୍ଗପୁର/ବାଦାମପାହାଡ଼: ବାଦାମପାହାଡ଼ ଥାନା ଅଞ୍ଚଳରେ କାନ୍ଥ ତାଜା ପଡ଼ି ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଶ୍ବଶୁର ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସୁଲେଇପାଟ ଫାଣ୍ଡି ଅନ୍ତର୍ଗତ ଜୟପୁର ପଞ୍ଚାୟତ କୁଲଡ଼ିହା ଗାଁରେ ଏକ ନିର୍ମାଣାଧୀନ ଘର ତାଜା ଭୁଶୁଡ଼ିବା ଫଳରେ ଏହି ଅଘଟଣ ଘଟିଛି। କୁଲଡ଼ିହା ଗ୍ରାମର ମାନସିଂ ମାରାଣ୍ଡିଙ୍କ ଘର ୩ ମାସ ପୂର୍ବରୁ ନିର୍ମାଣ ସରିଥିଲା। ଆଜି ସକାଳେ ବୋହୂ ଛବିରାଣୀ ମାରାଣ୍ଡି (୨୨), ସ୍ବାମୀ ରାମଚନ୍ଦ୍ର ମାରାଣ୍ଡି, ଶ୍ବଶୁର ମାନସିଂ ଘରୁ ବାହାରକୁ ଯିବା ସମୟରେ ହଠାତ୍ ଘର ତାଜା ଭୁଶୁଡ଼ି ଛବିଙ୍କ ମୁଣ୍ଡ ଉପରେ ପଡ଼ିବା ସହ ଶ୍ବଶୁରଙ୍କ ଗୋଡ଼ରେ ପଡ଼ିଥିଲା। ପାଖ ପଡ଼ୋଶୀ ସେମାନଙ୍କୁ ଉଦ୍ଧାର କରି ଘରୋଇ ଗାଡ଼ିରେ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଛବିରାଣୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ଶ୍ବଶୁର ମାନସିଂଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ସ୍ବାମୀ ରାମଚନ୍ଦ୍ର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବର ପାଇ ସୁଲେଇପାଟ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରକାଶଥାଉକି, ୩ ମାସ ତଳେ ରାମଚନ୍ଦ୍ରଙ୍କ ସହ ଛବିରାଣୀଙ୍କର ବିବାହ ହୋଇଥିଲା। ପତ୍ନୀଙ୍କୁ ହରାଇ ସ୍ବାମୀ ରାମଚନ୍ଦ୍ର, ଶାଶୂ ପାର୍ବତୀ, ଶ୍ବଶୁର ଡାକ୍ତରଖାନାରେ କାନ୍ଦି କାନ୍ଦି ଧୈର୍ଯ୍ୟହରା ହୋଇ ପଡ଼ିଥିବାବେଳେ ଡାକ୍ତରଖାନା ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dead-final.jpg)