ପୁରୀ : ଶ୍ରୀକ୍ଷେତ୍ରର ମଠ ସଂସ୍କୃତି ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥ ସଂସ୍କୃତିର କଳା, ସଂସ୍କୃତି, ଆଧ୍ୟାତ୍ମିକ ପରିବେଶକୁ ବଞ୍ଚାଇ ରଖିଥିଲା। ହେଲେ ଏକାଧିକ ମଠକୁ ବିକାଶର କଂକ୍ରିଟ୍ ଜଙ୍ଗଲ ଭିତରେ ସମାଧି ଦିଆଗଲା। ଏବେ ପୁଣି ଦୋଳବେଦିର ସ୍ମୃତିକୁ ହଜାଇଦେବାକୁ ଉଦ୍ୟମ ଆରମ୍ଭ ହୋଇଛି। ଜେସିବି ଲଗାଇ ଦୋଳବେଦି ପାଚେରିକୁ ଶ୍ରୀମନ୍ଦିର ଉତ୍ତର-ପୂର୍ବ ପାର୍ଶ୍ବରୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି। ଯେଉଁଥିରେ ଶହ ଶହ ବର୍ଷର ବିରଳ ପଥର ମୂର୍ତ୍ତି ରହିଥିଲା। ଶ୍ରୀକୃଷ୍ଣ ବାଲ୍ୟଲୀଳାର କାରୁକାର୍ଯ୍ୟ ବି ସ୍ଥାନ ପାଇଥିଲା। ପ୍ରଶାସନର ଏଭଳି ପଦକ୍ଷେପକୁ ଭକ୍ତଙ୍କ ମହଲରେ ତୀବ୍ର ସମାଲୋଚନା କରାଯାଇଛି।
ରହିଥିଲା ଅନେକ ବିରଳ ପଥର ମୂର୍ତ୍ତି, ଶ୍ରୀକୃଷ୍ଣଙ୍କ ଜନ୍ମଲୀଳାର କଳାକୃତି
ଦୋଳବେଦି ମହାପ୍ରଭୁଙ୍କ ଲୀଳାକ୍ଷେତ୍ର। ଏହା ଶ୍ରୀମନ୍ଦିର ସମସାମୟିକ। ଦୋଳ ପୂର୍ଣ୍ଣିମାରେ ନିଜେ ମହାପ୍ରଭୁ ଦୋଳବେଦିକୁ ଆସି ଫଗୁ ଖେଳିଥାନ୍ତି। ହୋଲିକା ଦହନରେ ଆସି ବିଶ୍ବରୁ ନକରାତ୍ମକ ଶକ୍ତିକୁ ନଷ୍ଟ କରିଥା’ନ୍ତି। ଶ୍ରୀମନ୍ଦିରର ଏଭଳି ଅନେକ ନୀତିକାନ୍ତି ରହିଛି, ଯାହା ଦୋଳବେଦି ଉପରେ ସଂପନ୍ନ ହୋଇଥାଏ। କିନ୍ତୁ ଦୁଃର୍ଭାଗ୍ୟର ବିଷୟ, ଶ୍ରୀମନ୍ଦିର ଐତିହ୍ୟ ବିକାଶ ଆଳରେ ଶ୍ରୀମନ୍ଦିର ଉତ୍ତର-ପୂର୍ବ କୋଣରେ ଥିବା ଏହି ଐତିହ୍ୟ ସମ୍ପନ୍ନ ଦୋଳବେଦି ପାଚେରିର ଦକ୍ଷିଣ-ପଶ୍ଚିମ ପାର୍ଶ୍ବକୁ ଜେସିବି ଲଗାଇ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି। ଏହାକୁ ନେଇ ଭକ୍ତ ମହଲ ପ୍ରଶ୍ନ କରିଛନ୍ତି। ଏହା ଜିଲ୍ଲା ପ୍ରଶାସନ ଓ ଠିକା ସଂସ୍ଥାର ଅରାଜକତା ବୋଲି ଅଭିଯୋଗ କରିବା ସହ କାହା ଅନୁମତିରେ ଏହି ପାଚେରି ଭଙ୍ଗାଗଲା, ତାକୁ ସାର୍ବଜନୀନ କରାଯାଉ ବୋଲି ଦାବି କରିଛନ୍ତି।
ଏହି ପାଚେରିରେ ‘ରାବଣ ଛତ୍ରଭଙ୍ଗ’ ଭଳି ଅନେକ ବିରଳ ପଥର ମୂର୍ତ୍ତି ରହିଥିଲା। ସେହିଭଳି ଅନେକ ଛୋଟବଡ଼ ଦେବଦେବୀଙ୍କ ପଥର ମୂର୍ତ୍ତି ବି ରହିଥିଲା। କାନ୍ଥର ତଳ ଭାଗରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳାର ବଡ଼ ଆକୃତିର କାରୁକାର୍ଯ୍ୟ ବି ରହିଥିଲା। କେଉଁଠି ବକାସୁର ବଧ କେଉଁଠି ଅଘାସୁର, ପ୍ରଳମ୍ବାସୁର, ଧେନୁକାସୁର ବଧ ଭଳି ଅନେକ କାରୁକାର୍ଯ୍ୟ ରହିଥିଲା। କିନ୍ତୁ, ପାଚେରି ଭାଙ୍ଗିବା ପରେ ସବୁକିଛି ମାଟିରେ ମିଶିଯାଇଛି।
ଏ ସମ୍ପର୍କରେ ଇନ୍ଟାକ୍ର ଗବେଷକ ଦୀପକ ନାୟକ ପ୍ରତ୍ନତତ୍ତ୍ବ ବିଭାଗ, ରାଜ୍ୟ ସରକାରଙ୍କୁ ଟ୍ବିଟ୍ କରି ଅଭିଯୋଗ କରିଛନ୍ତି। ପୂର୍ବର ବିରଳ ପ୍ରତିମୂର୍ତ୍ତି ସବୁ ଟ୍ବିଟ୍ରେ ଦର୍ଶାଇ, ଏହା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି। ଦୋଳବେଦି କାନ୍ଥରେ ଥିବା ଏକାଧିକ ପ୍ରାଚୀନ ମୂର୍ତ୍ତି କୁଆଡ଼େ ଗଲା, ତାହା ସାର୍ବଜନୀନ କରିବାକୁ ଦାବି କରିଛନ୍ତି।
ପାଚେରି ଭାଙ୍ଗିବା ସମ୍ପର୍କରେ ଓବିସିସି-୧ର ପ୍ରକଳ୍ପ ପ୍ରବନ୍ଧକ ପ୍ରଭାତ କୁମାର ପାଣିଗ୍ରାହୀ କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ଜାଣତରେ ଦୋଳବେଦି ପାଚେରି ଭଙ୍ଗାଯାଇଛି। ଯେହେତୁ ନାଳ ପାଣି ସହ ପାଇପଲାଇନ୍, ଇଲେକ୍ଟ୍ରିକାଲ୍ ପାଇପ ଆଦି ଯିବାରେ ଅସୁବିଧା ହେଲା, ସେ ଦୃଷ୍ଟିରୁ ପାଚେରି ଭାଙ୍ଗିବାକୁ ପଡ଼ିଲା।