ରାଉରକେଲାରେ ଭୁଶୁଡ଼ିଲା ଫିଟ୍‌ନେସ ପାର୍କ ପାଚେରୀ

ରାଉରକେଲା: ଅସରାଏ ବର୍ଷାରେ ଭୁଶୁଡ଼ିଲା ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ସମ୍ମୁଖ ସୁବାସ ଚନ୍ଦ୍ର ବୋଷ ପାର୍କ (ଫିଟ୍‌ନେସ୍‌ ପାର୍କ) ପା‌ଚେରୀ। ଗତକାଲି ରାତି ବର୍ଷାରେ ପାର୍କର ରିଂରୋଡ ପାର୍ଶ୍ବର ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ଧସି ଯାଇଥିଲା। ଆଜି ସକାଳେ ହଠାତ୍‌ ପାଚେରୀ ଭୁଶୁଡ଼ି ପଡ଼ିଥିଲା। ଏବେ ଅବଶିଷ୍ଟ ଭାଗ ପାଚେରୀ ବିପଦସଙ୍କୁଳ ସ୍ଥିତିରେ ରହିଛି। ପୁଣି ବର୍ଷା ହେଲେ ପାଚେରୀଟି ସମ୍ପୂର୍ଣ୍ଣ ଭୂଷୁଡ଼ି ଯିବାର ସମ୍ଭାବନା ରହିଛି। ନିମ୍ନମାନର କାମ ଓ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି।

ସ୍ମାର୍ଟସିଟି ମିଶନ ଦ୍ବାରା ପ୍ରାୟ ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚରେ ପାର୍କର ସୌନ୍ଦର୍ଯ୍ୟକରଣ କରାଯାଇଛି। ଯେତେବେଳେ ପାର୍କର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହେଉଥିଲା ସେତେବେଳେ ପାଚେରୀର ସ୍ଥିତି ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କ ନଜର କିପରି ପଡିଲା ନାହିଁ, ତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ। ଯଦି ପାର୍କରେ ସୌନ୍ଦର୍ଯ୍ୟକରଣ, ଆଲୋକୀକରଣ ବାବଦରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି, ଏହାର ସୁରକ୍ଷା ପାଇଁ ପାଚେରୀ ମଧ୍ୟ ସେମିତି ସୁଦୃଢ଼ ହେବାର ଆବଶ୍ୟକତା ରହିଥିଲା। ଏଥିରୁ ସ୍ମାର୍ଟସିଟି ପ୍ରକଳ୍ପଗୁଡ଼ିକ କେମିତି ହେଉଛି ? କାମ ନେଉଥିବା ଠିକା ସଂସ୍ଥା୍ଗୁଡ଼ିକ କେମିତି କାମ କରୁଛନ୍ତି ? ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି ପାର୍କର ପାଚେରୀ ଭୁଶୁଡ଼ିବା ଘଟଣା ସ୍ପଷ୍ଟ ବାରି ହୋଇ ପଡୁଛି।

ଉଲ୍ଲେଖଯୋଗ୍ୟ, ଗତ ୩/୪ ବର୍ଷ ତଳେ ଫିଟ୍‌ନେସ୍‌ ପାର୍କ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ଅଧୀନରେ ରହିଥିଲା। ପାର୍କଟି କେବଳ ପାଚେରୀରେ ସୀମିତ ଥିଲା। ପରବର୍ତ୍ତୀ ସମୟରେ ଆର୍‌ଏସ୍‌ପି କର୍ତ୍ତୃପକ୍ଷ ପାର୍କଟିକୁ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)କୁ ହସ୍ତାନ୍ତର କରିଥିଲେ। ଆର୍‌ଏମ୍‌ସି ଅଧୀନକୁ ଆସିବା ପରେ ପାର୍କରେ ପାଥ୍‌ ୱେ ସମେତ କିଛି ବ୍ୟାୟାମ ଉପକରଣ ଲଗାଯାଇଥିଲା। ଗତ ପ୍ରାୟ ଦେଢ଼ ବର୍ଷ ତଳେ ସ୍ମାର୍ଟସିଟି ମିଶନ ୬ ଅତ୍ୟାଧୁନିକ ପାର୍କ ମଧ୍ୟରେ ଏହି ଫିଟ୍‌ନେସ୍‌ ପାର୍କ ସ୍ଥାନ ପାଇଥିଲା। ସ୍ମାର୍ଟସିଟି ପାର୍କର ସୌନ୍ଦର୍ଯ୍ୟକରଣ ଓ ଅନ୍ୟାନ୍ୟ ବାବଦରେ ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି। ପାଚେରୀ ଭୁଷୁଡିପା ପରେ ଏବେ ପାର୍କଟି ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇ ପଡିଛି। ଭୁଶୁଡ଼ି ଯାଇଥିବା ପାଚେରୀ ନିର୍ମାଣ କରିବା ସହ ବଳକା ରହିଥିବା ପାଚେରୀର ସ୍ଥିତି ଯାଞ୍ଚ କରିବାକୁ ସହରବାସୀଙ୍କ ପକ୍ଷରୁ ଦାବି ହେଉଛି।

ସମ୍ବନ୍ଧିତ ଖବର