ଦିଗହରା ଦୟାର କାନ୍ଥ, ପୁରୁଣା ଆସବାବପତ୍ରର ସ୍ଥାନ ନେଲାଣି ଖାଲି ମଦ ବୋତଲ

ବ୍ରହ୍ମପୁର : ପୁରୁଣା ପୋଷାକପତ୍ର, ବହିଖାତା, ଘରୋଇ ଉପକରଣ, ଆସବାବପତ୍ରକୁ ନଫୋଫାଡ଼ି ଅନ୍ୟ ପାଇଁ ଦାନ କରିବାକୁ ଇଚ୍ଛୁକ ବ୍ୟକ୍ତିଙ୍କ ପାଇଁ ସ୍ଥାପନ ହୋଇଥିଲା ଦୟାର କାନ୍ଥ। ସେଠାରେ ଥିବା ଥାକରେ ଯିଏ ଯାହା ଦାନ କରିବାକୁ ଚାହିଁବ ତାହା ରଖିବା ପାଇଁ ସ୍ବତନ୍ତ୍ର ଥାକ (ସେଲ୍ଫ)ର ବ୍ୟବସ୍ଥା ହୋଇଥିଲା। ସେଥିରୁ ଯାହାର ଯାହା ଆବଶ୍ୟକ ବିନା ଦ୍ବେଧାରେ ନେଇପାରିବ। ବ୍ରହ୍ମପୁର ମହାନଗର ନିଗମ ଏବଂ ଏକ ଘରୋଇ ସଂସ୍ଥା (ୱାଇଏସ୍‌ଡି)ର ମିଳିତ ସହଯୋଗରେ ପ୍ରାୟ ଦୁଇ ବର୍ଷ ତଳେ ଏପରି ଦୁଇଟି ଦୟାର କାନ୍ଥ (ୱାଲ୍‌ ଅଫ୍ ସେୟାରିଂ) ସ୍ଥାପନ କରାଯାଇଥିଲା। କିନ୍ତୁ ଯେଉଁ ଉଦ୍ଦେଶ୍ୟ ନେଇ ଏହାର ପରିକଳ୍ପନା ହୋଇଥିଲା, ତାହା ଏବେ ଦିଗହରା ହୋଇପଡ଼ିଥିବା ଦେଖିବାକୁ ମିଳିଛି। ପୁରୁଣା ବସ୍‌ଷ୍ଟାଣ୍ଡ ନିକଟ ଆହାରକେନ୍ଦ୍ର ଠାରେ ଥିବା ଦୟାର କାନ୍ଥ ଏହାର ଜ୍ବଳନ୍ତ ଉଦାହରଣ।

୨୦୧୯ ମସିହାରେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା। ବେଶ୍ କିଛି ଦିନ ଲୋକମାନେ ପୁରୁଣା ପୋଷାକପତ୍ର ଆଣି ସେଠାରେ ରଖୁଥିଲେ। ଗରିବଶ୍ରେଣୀର ଲୋକମାନେ ମଧ୍ୟ ସେଠାରୁ ଆବଶ୍ୟକ ପୋଷାକ ସଂଗ୍ରହ କରୁଥିଲେ। ସ୍ବତଃ ପରିଚାଳିତ ହେଉଥିବା ଏହି ପ୍ରକଳ୍ପ କିନ୍ତୁ ଅଳ୍ପ ଦିନରେ ଲକ୍ଷ୍ୟଚ୍ୟୁତ ହୋଇପଡ଼ିଲା। ଅଳିଆଗଦା ଭଳି ସେଠାରେ ପୋଷାକପତ୍ର ଗଦା ହେଲା। ଫଳରେ ସେଠାରୁ କୌଣସି ସାମଗ୍ରୀ ନେବାପାଇଁ ପୂର୍ବଭଳି ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖାଗଲାନି। ରାତିରେ ସେହିସ୍ଥାନ ଏବେ ଅସାମାଜିକ ବ୍ୟକ୍ତିଙ୍କ ଆଡାସ୍ଥଳୀ ପାଲଟୁଛି। ଆଲୋକବ୍ୟବସ୍ଥା ନଥିବାରୁ ଏହାର ଫାଇଦା ଉଠାଇ ସେଠାରେ ମଦର ଆସର ଜମୁଛି। ଖାଲି ବୋତଲକୁ ସେଠାରେ ଥିବା ସେଲ୍ଫରେ ମଦ୍ୟ ରଖିବାକୁ କୁଣ୍ଠାବୋଧ କରୁନାହାନ୍ତି। ଫଳରେ ପୁରୁଣା ପୋଷାକ କିମ୍ବା ଆସବାବପତ୍ର ରହିବା ସ୍ଥାନରେ ଖାଲି ମଦବୋତଲ ପଡ଼ିଥିବା ଦେଖିବାକୁ ମିଳିଛି। ସେହିପରି ଏଣେତେଣେ ବୁଲି ଜୀବନ ବିତାଉଥିବା ଆଶ୍ରୟହୀନ ବ୍ୟକ୍ତିମାନେ ଶୀତର ଦାଉରୁ ରକ୍ଷା ପାଇବା ପାଇଁ ଏଠାରେ ଅଳିଆଗଦା ଭଳି ଜମି ରହୁଥିବା ପୋଷାକପତ୍ରକୁ ସଂଗ୍ରହ କରିନେଇ ସେଥିରେ ନିଆଁ ଲଗାଇ ଦେଉଥିବା କିଛି ଦେଖେଣାହାରୀ ପ୍ରକାଶ କରିଛନ୍ତି।

ସମାନ ସମୟରେ ଆଉ ଏକ ଦୟାର କାନ୍ଥ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଫାଟକ ନିକଟରେ ସ୍ଥାପନ ହୋଇଥିଲା। ସେଠାରେ ମଧ୍ୟ ସେଲ୍ଫ ବ୍ୟବସ୍ଥା ହେବା ସହ ସାମ୍ନାପଟ ତାର ଜାଲିରେ ଆବଦ୍ଧ କରାଯାଇଛି। କିନ୍ତୁ ଏହାର ମଧ୍ୟ ସଠିକ୍ ପରିଚାଳନା ହୋଇପାରୁନଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର