ଭୁବନେଶ୍ବର: ରାୟଗଡ଼ା ଠାରେ ଏକ ନୂଆ ରେଳ ଡିଭିଜନ ପ୍ରତିଷ୍ଠାକୁ ସ୍ବାଗତ କରୁଛୁ। ହେଲେ ୱାଲଟିୟର୍‌ ଡିଭିଜନକୁ ପୂର୍ବତଟ ରେଳପଥ ଜୋନ୍‌ରୁ ‌କାଢ଼ି ନେବା ନିଷ୍ପତ୍ତିକୁ ଆମେ ବିରୋଧ କରୁଛୁ। କାରଣ ୱାଲଟିୟର୍‌ ଡିଭିଜନ ଅଲଗା ହେଲେ ଓଡ଼ିଶାକୁ ରାଜସ୍ବ ଦୃଷ୍ଟିରୁ ଅଧିକ କ୍ଷତି ସହିବାକୁ ପଡ଼ିବ।  କେନ୍ଦ୍ର ସରକାର କେବଳ ଆନ୍ଧ୍ରକୁ ‌ଖୁସି କରିବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି। ରାଜସ୍ବ ଦୃଷ୍ଟିରୁ ଓଡ଼ିଶାର କ୍ଷତି ହେବାକୁ ଯାଉଥିବାବେଳେ ରାଜ୍ୟ ସରକାର କାହିଁକି ନିରବଦ୍ରଷ୍ଟା ସାଜିଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି।

ରାଜ୍ୟ ସରକାର କାହିଁକି ନିରବଦ୍ରଷ୍ଟା ସାଜିଛନ୍ତି?

Advertisment

ଆଜି ଶଙ୍ଖ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଭୃଗୁ ବକ୍ସିପାତ୍ର, ବିଧାୟକ  ରୁପେଶ ପାଣିଗ୍ରାହୀ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ କଡ଼ା ନିନ୍ଦା କରିଛନ୍ତି। ସେମାନେ କହିଲେ ଯେ ୱାଲଟିୟର୍‌ ଡିଭିଜନ ପୂର୍ବତଟ ରେଳପଥ ଜୋନ୍‌ରେ ପ୍ରମୁଖ ରାଜସ୍ୱ ପ୍ରଦାନ କରୁଥିବା ଏକ ଡିଭିଜନ। ଏହି ଡିଭିଜନକୁ ଅଲଗା କରିବା ନିଷ୍ପତ୍ତି କେବଳ ଆନ୍ଧ୍ରକୁ ଖୁସି କରିବା ପାଇଁ ନୁହେଁ ବରଂ ଏହାର ରାଜନୈତିକ ନେତୃତ୍ବଙ୍କୁ ସନ୍ତୁଷ୍ଟ ପାଇଁ କରାଯାଉଛି। ପୂର୍ବତଟ ରେଳପଥ ଜୋନ୍ ଦେଶର ଥିବା ସମସ୍ତ ରେଳ ଜୋନ୍‌ ଗୁଡ଼ିକ ମଧ୍ୟରେ ସବୁଠାରୁ ଲାଭ ଉପାର୍ଜନକାରୀ ସଂସ୍ଥା। ୱାଲଟିୟର ଡିଭିଜନ୍‌କୁ ଭାଙ୍ଗି ଦେଇ ଏହାର ସିଂହଭାଗ କାଢ଼ି ନେବା ପରେ  ପୂର୍ବତଟ ରେଳପଥ ଜୋନ୍‌ ଭବିଷ୍ୟତରେ  ଆଉ ଏକ ଲାଭ ଉପାର୍ଜନକାରୀ ସଂସ୍ଥା ହୋଇ ରହିନପାରେ। ସେହିପରି ରେଳ ବିଭାଗର ବିଭିନ୍ନ ଜୋନ୍‌ ରାଜ୍ୟର ପରିସୀମାକୁ ନେଇ ଗଠିତ ହୋଇନଥାଏ। କିନ୍ତୁ କେବଳ ଆନ୍ଧ୍ରକୁ ଖୁସି କରିବା ପାଇଁ କେନ୍ଦ୍ର ସରକାର ଏପରି କରିଛନ୍ତି। ସେହି ନ୍ୟାୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳ ଯଥା ଜରେଇକେଲା, ବଣ୍ଡମୁଣ୍ଡା, ରାଉରକେଲା, ଝାରସୁଗୁଡ଼ା, ବେଲପାହାଡ଼, କେନ୍ଦୁଝର, ବଡ଼ବିଲ, ମୟୂରଭଞ୍ଜ ଓ ବାଲେଶ୍ୱର ଇତ୍ୟାଦି ଅଞ୍ଚଳକୁ ଦକ୍ଷିଣ-ପୂର୍ବ ରେଲ୍‌ୱେ ଜୋନ୍‌ରୁ କାଢ଼ି ଆଣି ପୂର୍ବତଟ ରେଳପଥ ଜୋନ୍‌ରେ ମିଶାଯାଉ। ଏହାଦ୍ବାରା ଓଡ଼ିଶାର ସ୍ବାର୍ଥ ହାସଲ ହେବ।

ଏହାସହ ବିଜେଡି ପ୍ରସ୍ତାବ ଦେଇଛି ଯେ ଉତ୍ତର ଓଡ଼ିଶାରେ ଏକ ସ୍ବତନ୍ତ୍ର ଡିଭିଜନ ହେଉ। ଏଥିରେ ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର ରହୁ, ଯାହା ଏବେ ଦକ୍ଷିଣ-ପୂର୍ବ ରେଲୱେ ଜୋନ୍‌ରେ ଅଛି। ସେହିପରି ନୂଆ ରାଉରକେଲା ଡିଭିଜନ କରାଯାଉ। ଏଥିରେ ଝାରସୁଗୁଡ଼ା, ସୁନ୍ଦରଗଡ଼କୁ ସ୍ଥାନିତ କରାଯାଉ। ଯାହା ଏବେ ଚକ୍ରଧରପୁର ଡିଭିଜନରେ ଅଛି।