ରେଳ ବଜେଟ:ୱାଲଟିୟର୍ ଡିଭିଜନକୁ ୨୫୫୨ କୋଟି, ରାୟଗଡ଼ା ଡିଭିଜନର ପୁରୁଣା ଓ ନୂଆ ପ୍ରକଳ୍ପକୁ ଗୁରୁତ୍ବ

କୋରାପୁଟ-ସିଙ୍ଗାପୁରକୁ ୩୬୩, ଜଗଦଲପୁର-କୋରାପୁଟକୁ ୨୪୮ କୋଟି

ରାୟଗଡ଼ା: ୨୦୨୨-୨୩ ବଜେଟରେ ରେଳ ଭିତ୍ତିଭୂମିର ସୁଦୃଢ଼ୀକରଣ ପାଇଁ ବିଶାଖାପାଟଣାସ୍ଥିତ ୱାଲଟିୟର୍ ଡିଭିଜନକୁ ୨୫୫୨ କୋଟିର ଅନୁଦାନ ମିଳିଛି। ୱାଲଟିୟର୍ ଡିଭିଜନ୍ ପାଇଁ ଅନୁମୋଦିତ ବଜେଟ୍ ମଧ୍ୟରେ ନୂଆ ଲାଇନ୍ ପାଇଁ ୧୧୭.୮ କୋଟି, ରେଳ ଲାଇନ୍ ଦୋହରୀକରଣ ପାଇଁ ୨୧୬୨.୫ କୋଟି, ଟ୍ରାକ୍ ନବୀକରଣ ପାଇଁ ୧୯୩.୩୪ କୋଟିର ଅନୁଦାନ ଘୋଷଣା ହୋଇଛି। ସେହିପରି ରାୟଗଡ଼ା ଡିଭିଜନ୍ ଅଧୀନରେ ଥିବା ରାୟଗଡ଼ା-ସିଙ୍ଗାପୁର-କୋରାପୁଟ, କୋରାପୁଟ-ଜଗଦଲପୁର, କୋରାପୁଟ-କୋଟ୍ଟାଭାଲସାର ଦୋହରୀକରଣ ପାଇଁ ବ୍ୟାପକ ପରିମାଣର ଅନୁଦାନ ମିଳିଛି।

ସାମ୍ବାଦିକ ସମ୍ମିଳନୀରେ ୱାଲଟିୟର୍ ଡିଆରଏମ୍ ଅନୁପ ଶତପଥୀ ଦେଇଥିବା ସୂଚନାନୁଯାୟୀ, ଡିଭିଜନର ନିରାପତ୍ତା କାର୍ଯ୍ୟ ଓ ଭିତ୍ତିଭୂମି ବିକାଶକୁ ବଜେଟରେ ଗୁରୁତ୍ବ ମିଳିଛି। ଅଗ୍ରାଧିକାର ଭିତ୍ତିରେ ୨୨୦୮ କୋଟି ଟଙ୍କା କେବଳ ଦୋହରୀକରଣ ଏବଂ ନୂଆ ଲାଇନ ପାଇଁ ମିଳିଛି। ଜୟପୁର-ମାଲକାନଗିରି (୧୩୦ କିମି) ନୂଆ ଲାଇନ୍ ପାଇଁ ୧୩.୮୦ କୋଟି. ଜୟପୁର-ନବରଙ୍ଗପୁର (୩୮ କିମି) ନୂଆ ଲାଇନ୍ ପାଇଁ ୮୧ କୋଟି, ନୌପଡା-ଗୁଣପୁର- ଥେରୁବାଲି (୭୯.୧୫ କିମି) ନୂତନ ବ୍ରଡ ଗେଜ୍ ଲାଇନ ସଂପ୍ରସାରଣ ପାଇଁ ୧୦ କୋଟି ଅନୁଦାନ ମିଳିଛି। ସେହିପରି କୋରାପୁଟ-ସିଙ୍ଗାପୁର ରୋଡ୍ ଦୋହରୀକରଣ ପାଇଁ ୩୬୩ କୋଟି, ଜଗଦଲପୁର-କୋରାପୁଟ ଦୋହରୀକରଣ ପାଇଁ ୨୪୮ କୋଟି, କୋରାପୁଟ-କୋଟ୍ଟାଭାଲସା ଲାଇନ୍ ପାଇଁ ୩୪୮ କୋଟିର ଅନୁଦାନ ମିଳିଛି।

ଟିଟିଲାଗଡ଼-ରାୟଗଡ଼ା-ବିଜୟନଗରମ ତୃତୀୟ ଲାଇନ ନିର୍ମାଣ ପାଇଁ ରେକର୍ଡ ୯୬୧ କୋଟିର ଅନୁଦାନ ମିଳିଛି।  ଟ୍ରାଫିକ୍ ସୁବିଧା ପାଇଁ ୧୧ କୋଟି ବଜେଟରେ ଆବଣ୍ଟିତ ହୋଇଛି। ଯେଉଁଥିରେ ଗୋପାଳପାଟନମ୍-ବିଜୟନଗରମ, ସୀମାଞ୍ଚଳମ ବାଇପାସ୍ ଲାଇନ ଅନ୍ତର୍ଭୁକ୍ତ ରହିଛି। ଲେଭଲ୍ କ୍ରସିଂ ପାଇଁ ୧୭.୭୪ କୋଟି ଟଙ୍କା ମିଳିଥିବା ବେଳେ ପାଲାସା-ପୁଣ୍ଡି-ରୋଡ୍ ଓଭରବ୍ରିଜ୍, ପଣ୍ଡୁରୁ-ସିଗଡମ୍ ଓଭରବ୍ରିଜ୍ ଅନ୍ତର୍ଭୁକ୍ତ ରହିଛି। ଟ୍ରାକ୍ ନବୀକରଣ ପାଇଁ ୧୯୩.୩୪ କୋଟି, ବ୍ରିଜ୍, ଟନେଲ୍ ଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ୨୦.୩ କୋଟି, ସିଗନାଲ୍ ଓ ଟେଲିକମ୍ କାର୍ଯ୍ୟ ପାଇଁ ୨୩.୬୮୫ କୋଟି ଅନୁଦାନ ମିଳିଛି। ଯାହା ପୁରୁଣା ସିଗନାଲ୍ ସିଷ୍ଟମର ଆଧୁନିକୀକରଣ ଏବଂ ମରାମତି ପାଇଁ ବ୍ୟବହୃତ ହେବ। ଅନ୍ୟ ବିଦ୍ୟୁତକରଣ କାର୍ଯ୍ୟ ଟ୍ରାକସନ୍ ବିତରଣ କାର୍ଯ୍ୟ ପାଇଁ ୨.୪୮୭ କୋଟି, କର୍ମଶାଳା ଓ ପ୍ରଡକସନ୍ ୟୁନିଟ୍ ପାଇଁ ୧୧.୯ କୋଟି, ଷ୍ଟାଫ୍ ୱେଲଫେୟାର୍ ପାଇଁ ୯୫ ଲକ୍ଷ, ଅନ୍ୟାନ୍ୟ ନିର୍ଧିଷ୍ଟ କାର୍ଯ୍ୟ ପାଇଁ ୧.୭୧ କୋଟି ଅନୁଦାନ ମିଳିଛି।

ରାୟଗଡ଼ା ନୂଆ ଡିଭିଜନ୍ ପାଇଁ ମାତ୍ର ୪୦ ଲକ୍ଷ ଟଙ୍କାର ଅନୁଦାନ ମିଳିଛି। ଡିଭିଜନ୍ ନିର୍ମାଣ ପାଇଁ ଆବଶ୍ୟକ ଜମି ରେଳ ବିଭାଗ ହାତକୁ ଆସିପାରୁନଥିବାରୁ ନିର୍ମାଣ କାମ ଆରମ୍ଭରେ ବାଧା ଉପୁଜିଥିବା ସାମ୍ବାଦିକ ସମ୍ମିଳନୀରେ ଡିଆରଏମ୍ ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି। ୨୦୧୯ରେ ନୂଆ ଡିଭିଜନ୍ ମାନ୍ୟତା ପାଇଥିବା ରାୟଗଡ଼ା ପାଇଁ ୧୭୦ କୋଟିର ଡିପିଆର ଦାଖଲ ହୋଇଥିବା ବେଳେ ଗତ ୩ ରେଳ ବଜେଟରେ ମାତ୍ର ୩ କୋଟି ୪୦ ଲକ୍ଷ ଅନୁଦାନ ମିଳିଥିଲା।

ସମ୍ବନ୍ଧିତ ଖବର