ଜୟପୁର: ଗତ ୪ବର୍ଷରେ ମାଲପରିବହନରେ ସର୍ବାଧିକ ରେକର୍ଡ ଆର୍ଥିକ ବର୍ଷର ୨ଦିନ ପୂର୍ବରୁ ସ୍ଥାପନ କରିଛି ପୂର୍ବତଟ ରେଳବାଇର ୱାଲଟିୟର ଡିଭିଜନ୍। ଏଥିରେ ସିଂହଭାଗ ଅବିଭକ୍ତ କୋରାପୁଟଜିଲ୍ଲା ଓ ଛତିଶଗଡର କିରଣ୍ଡଲ ରହିଥିବା ସୂଚନା ମିଳିଛି। ଅବିଭକ୍ତ କୋରାପୁଟ ଜିଲ୍ଲାରୁ ବକ୍ସାଇଟ, ଆଲୁମନିୟମ, ମକା, ଧାନ  ଏବଂ କିରଣ୍ଡଲରୁ ଆଇରନ ଓର ପରିବହନ ହେଉଛି। ଏହି ଡିଭିଜନରେ ଗତ ୨୦୨୦-୨୧ଆର୍ଥିକ ବର୍ଷରେ ୬୧.୭ନିୟୁତ ଟନ ମାଲ ପରିବହନ କରାଯାଇଥିଲା। ସେହିଭଳି ୨୦୨୧-୨୨ଆର୍ଥିକ ବର୍ଷରେ ୬୬.୮୮ନିୟୁତ ଟନ, ୨୦୨୨-୨୩  ଆର୍ଥିକ ବର୍ଷରେ ୬୯.୬ନିୟୁତ ଟନ ହୋଇଥିଲା।

Advertisment

ତେବେ ଏହି ଆର୍ଥିକ ବର୍ଷରେ ରେକର୍ଡ ସୃଷ୍ଟି କରିବା ସହ ୭୫.୬୪ନିୟୁତ ଟନ ପରିବହନ କରି ଆର୍ଥିକ ବର୍ଷ ଶେଷର ୨ଦିନ ପୂର୍ବରୁ ଏହି ରେକର୍ଡ ସୃଷ୍ଟି କରିଛି। ଏହି ମାସ ଶେଷ ସୁଦ୍ଦା ୭୭ ନିୟୁତ ଟନ ପହଚିଂବ ବୋଲି ଡିଭିଜନ ପକ୍ଷରୁ ଆଶାବକ୍ତ କରାଯାଇଛି। ସେହିଭଳି ଗତ ବର୍ଷ ତୁଳନାରେ ଏହା ୬.୫୮ପ୍ରତିଶତ ଅଧିକା। ଏଥିରେ ଆଲୁମିନା ପାଉଡର ୩.୭୭ନିୟୁତ ଟନ, ବକ୍ସାଇଟ୍ ୫.୫୨ନିୟୁତ ଟନ, କୋଇଲା ୨୫.୨୯ନିୟୁତ ଟନ, କଣ୍ଟେନର ୧.୩୭ ନିୟୁତ ଟନ, ଆଇରନ ଓ ଷ୍ଟିଲ ୩.୦୨ନିୟୁତ ଟନ, ଆଇରନ ଓର(ଲୁହା ପଥର ) ୨୨.୫୩ ନିୟୁତ ଟନ, ଜିପସମ ଓ ଅନ୍ୟାନ୍ୟ ୧୨.୩୦ ନିୟୁତ ଟନ ଏଭଳି ସର୍ବମୋଟ ୭୫.୬୪ନିୟୁତ ଟନ ହୋଇଥିବା ବେଳେ ଏହା ମାସ ଶେଷ ସୁଦ୍ଧା ୭୭ନିୟୁତ ଟନରେ ପହଚିଂବା ପୂର୍ବତଟ ରେଳବାଇ ୱାଲଟିୟର ଡିଭିଜନ ପକ୍ଷରୁ ସୂଚନା ମିଳିଛି। ଗତ ବର୍ଷ ତୁଳନାରେ କୋତାୱାଲସା–କିରଣ୍ଡୁଲ ଲାଇନରେ ୨୨.୪ପ୍ରତିଶତ ଅଧିକା ଆଇରନ ଓର (ଲୁହାପଥର) ଲୋଡ ହୋଇଥିଲା।

ଭାଇଜାଗ ବନ୍ଦରରେ ୨୦.୬୬ନିୟୁତ ଟନ ଓ  ଆଦାନୀ ଗଙ୍ଗାଭାରାମ ବନ୍ଦରରେ ୧୭.୭୫ନିୟୁତ ଟନ ଟ୍ରେନରୁ ଓହ୍ଲାଇ  ବାହାରକୁ ରତ୍ପାନୀ ପାଇଁ ପଠାଯାଇଥିଲା। ଭାଇଜାଗ ଷ୍ଟିଲ ପ୍ଲାଣ୍ଟ ଗତ ବର୍ଷ ତୁଳନାରେ ୧୬.୭ ପ୍ରତିଶତ ଅଧିକା ୪.୧୯ନିୟୁତ ଟନର ଷ୍ଟିଲ ରେଳ ଜରିଆରେ ପଠାଇଥିଲା। କୋତାୱାଲସା କିରଣ୍ଡୁଲ ଦୋହରୀକରଣ କାମ ସଂପୁର୍ଣ୍ଣ ହେଲେ ଏହି ମାଲ ପରିବହନ ଆହୁରି ଅଧିକା ବୃଦ୍ଧି ପାଇବା ସହ ରେଳବାଇକୁ ଯଥେଷ୍ଟ ଲାଭ ଦେବ। ଏହା ସହ ଅଂଚଳର ମାଲ ପରିବହନ ହେବା ଦ୍ବାରା ଅଂଚଳର ବି ସାମଗ୍ରୀକ ବିକାଶ ହେବା ସହ ଦେଶର ବିକାଶରେ ଭାଗିଦାରୀ ହୋଇପାରିବା ବୋଲି ଡିଭିଜନ ପକ୍ଷରୁ କୁହାଯାଇଛି। ମାଲଗାଡ଼ିର ଘୋର ଅଭାବ, ପ୍ରାକୃତିକ ବିପର୍ଯ୍ୟୟ, ନୂତନ ଦୋହରୀକରଣ ଲାଇନ କାମ, କୋତାୱାଲସା–କିରଣ୍ଡୁଲ ଲାଇନରେ ବଡ ଦୁର୍ଘଟଣା ସତ୍ବେ ଏହା ହାସଲ କରାଯାଇଛି । ଏହାର ଶ୍ରେୟ ଡିଭିଜନର ସମସ୍ତ ବରିଷ୍ଠ ଅଧିକାରୀ ଓ ଟିମଙ୍କୁ ଦେଇଛନ୍ତି ଡିଭିଜିନାଲ ଆଂଚଳିକ ପ୍ରବନ୍ଧକ(ଡିଆରଏମ) ସୌରଭ ପ୍ରସାଦ । ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହା ଧାର୍ଯ୍ୟ ଲକ୍ଷ୍ୟକୁ ଅତିକ୍ରମ କରିବ ବୋଲି ଡିଆରଏମ୍ ଆଶାବକ୍ତ କରିଛନ୍ତି।