ଘୂରି ବୁଲୁଛି ଆହତ ଦନ୍ତା, ବା‌ମଗୋଡ଼ରେ ଶକ୍ତ ଆଘାତ ଲାଗିଛି

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନର ପଡ଼ାଙ୍ଗ ବିଟ୍‌ ଅନ୍ତର୍ଗତ ବନବିହାରୀପୁର-ଦୁଲ୍ଲଭପୁର ଜୁଆଙ୍ଗସାହି ନିକଟରେ ଏକ ଗୁରୁତର ଦନ୍ତାହାତୀ ଘୂରି ବୁଲୁଛି। ଦନ୍ତାର ସମ୍ମୁଖ ପାର୍ଶ୍ବ ବାମଗୋଡ଼ରେ ଶକ୍ତ ଆଘାତ ଲାଗିଥିବାରୁ ସେ ଯନ୍ତ୍ରଣା ଅନୁଭବ କରିବା ସହ ଭଲରେ ଚାଲିପାରୁନି। ଖବର ପାଇ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ଦନ୍ତାହାତୀର ପିଛା କରୁଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୬ଟାବେଳେ ଦନ୍ତାହାତୀଟି ଖୁଣ୍ଟାପଡ଼ା ପଞ୍ଚାୟତ ଦୁଲ୍ଲଭପୁର ଗ୍ରାମଠାରୁ ମାତ୍ର ୧୦୦ ମିଟର ଦୂରରେ ଥିବା ଆମ୍ବବଗିଚା ନିକଟରେ ଠିଆ ହୋଇଥିଲା। ସ୍ଥାନୀୟ ଲୋକେ ତା ପାଖକୁ ଯାଇ ପାଟି କରିବାରୁ ଦନ୍ତାଟି ବାମଗୋଡ଼କୁ ଘୋଷାରି ଘୋଷାରି ବହୁ କଷ୍ଟରେ ଆଗକୁ ଯାଇଥିଲା। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀଟିକୁ ଠାବ କରିଛନ୍ତି। ଦନ୍ତାଟି ଏବେ ବନ୍ଧନଝରୀ ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ବନବିହାରୀପୁର-ଆକୁଳ ମଧ୍ୟଭାଗ ଜଙ୍ଗଲରେ ରହିଛି। ଅପରାହ୍ନରେ ସେ ୧୨ ଟିକିଆ ହାତୀପଲରେ ସାମିଲ ହୋଇଯାଇଥିବା ଜଣାପଡ଼ିଛି। କୌଣସି ଧାରୁଆ ଜିନିଷ ହାତୀର ପାଦରେ ପଶି ଯାଇଥିବାରୁ ସେ ଭଲରେ ଚାଲିପାରୁନି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ଏ ସମ୍ପର୍କରେ ରେଞ୍ଜର ଶିବାଜୀମୋହନ ରାଓଙ୍କୁ ପଚାରିବାରୁ, ହାତୀଟି ଏବେ ତା ଦଳରେ ସାମିଲ ହୋଇଯାଇଛି। ହାତୀଙ୍କ ମଧ୍ୟରେ ଲଢ଼େଇ ହୋଇ ଆହତ କାରଣରୁ ଦନ୍ତାଟି ଠିକ୍ ଭାବରେ ପାଦ ପକାଇ ଚାଲିପାରୁ ନାହିଁ। ତାର ଗତିବିଧି ଉପରେ ତୀକ୍ଷ୍ମ ନଜର ରଖାଯାଇଛି ବୋଲି ଶ୍ରୀ ରାଓ କହିଛନ୍ତି। ଅନ୍ୟପକ୍ଷରେ, ଦନ୍ତାହାତୀ ଗୁରୁତର ହୋଇ ବୁଲୁଥିବା ଖବର ପାଇ ଏସିଏଫ ଘନଶ୍ୟାମ ମହାନ୍ତଙ୍କ ନେତୃତ୍ବରେ ବନ ବିଭାଗର ଏକ ସ୍ବତନ୍ତ୍ର ଦଳ ପହଞ୍ଚି ଅନୁଧ୍ୟାନ କରୁଛନ୍ତି।

ବର୍ତ୍ତମାନ ତେଲକୋଇ ରେଞ୍ଜ ବିମଳା ସେକ୍ସନ ଅନ୍ତର୍ଗତ ବାଲେଶ୍ବର-ଆକୁଳ ପୂର୍ତ୍ତ ବିଭାଗ ରାସ୍ତାର ଉଭୟ ପାର୍ଶ୍ବ ଜଙ୍ଗଲରେ ୪ ଦଳ ହୋଇ ୩୩ଟି ହାତୀ ବୁଲୁଛନ୍ତି। ଗୋଟିଏ ଦଳରେ ୧୨ଟି, ‌ଆ‌ଉ ଗୋଟିଏରେ ୧୮ଟି ହାତୀ ଅଛନ୍ତି। ସେହିପରି ଅନ୍ୟ ଏକ ଦଳରେ ଦୁଇଟି ଓ ଗୋଟିଏ ଗୋଠଛଡ଼ା ଦନ୍ତା ବୁଲୁଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର