ଭବାନୀପାଟଣା: ମଦନପୁର ରାମପୁର ପୁଲିସ ପକ୍ଷରୁ ବୁଧବାର ପେଟ୍ରୋଲିଙ୍ଗ୍ କରୁଥିବା ସମୟରେ ଦୁର୍ଦ୍ଦାନ୍ତ ଅପରାଧୀ ହେମନ୍ତ ସାହୁକୁ ଗିରଫ କରିଛି। ତା ନିକଟରୁ ହାତ ତିଆରି ବୋମା, ପିସ୍ତଲ, ୩ଟି ଭୁଜାଲି ଓ ୪ଟି ଗୁଳି, ବାଇକ୍, ୪୮ ଲିଟର ଦେଶୀ ମଦ ଜବତ କରାଯାଇଛି।
ସୂଚନାନୁସାରେ ପୁଲିସ୍ ପକ୍ଷରୁ ଡମକର୍ଲାଖୁଣ୍ଟାରେ ପେଟ୍ରୋଲିଂ ଚାଲିଥିଲା। ଏହି ସମୟରେ ମଦନପୁର ରାମପୁର ପଣ୍ଡକାମାଲ ଗ୍ରାମର ହେମନ୍ତ ସାହୁ (୨୮ ବର୍ଷ) ବାଇକ୍ (ଓଡି୦୮ଏମ୍-୩୬୩୨) ରେ ମୋହନଗିରିଠାରୁ ମଦନପୁର ରାମପୁର ଅଭିମୁଖେ ଆସୁଥିଲା। ପୁଲିସ୍ ବାଇକ୍କୁ ଅଟକାଇବାରୁ ହେମନ୍ତ ପୁଲିସ ଟିମ୍ ଉପରକୁ ଫାଙ୍କା ଗୁଳି ଚଳାଇ ଦୌଡ଼ିବା ଆରମ୍ଭ କରିଥିଲା। ପୁଲିସ ଟିମ୍ ପିଛା କରି ତାକୁ କାବୁ କରିଥିଲେ।
ଏନେଇ ମଦନପୁର ରାମପୁର ପୁଲିସ ଆଇଆଇସି ସତ୍ୟ ନାରାୟଣ ପ୍ରଧାନ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ଦୁର୍ଦ୍ଦାନ୍ତ ହେମନ୍ତ ସାହୁ ନାମରେ ମଦନପୁର ରାମପୁର ଥାନାରେ ୨ଟି, ଭବାନୀପାଟଣା ସଦର ଥାନାରେ ଗୋଟିଏ ମାମଲା ଓ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନାରେ ଗୋଟିଏ ମାମଲା ପୂର୍ବରୁ ରହିଛି। ଚଢ଼ଉ ଟିମ୍ରେ ପୁଲିସ ଆଇଆଇସି ସହିତ ପୁଲିସ୍ ଏଏସ୍ଆଇ କାହ୍ନୁଚରଣ ପଣ୍ଡା ପ୍ରମୁଖ ସାମିଲ ଥିଲେ। ହେମନ୍ତଙ୍କୁ ବୁଧବାର କୋର୍ଟଚାଲାଣ କରାଯାଇଛି ବୋଲି ଶ୍ରୀ ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/25135ff9-59e3-42d4-a4e5-a7b34cc43f2e.jpg)