କେନ୍ଦୁଝର: ୱକଫ୍ ବିଲ୍ ସଂଶୋଧନ ଦ୍ବାରା ୱକଫ୍ ବୋର୍ଡରେ ସ୍ବଚ୍ଛତା ରହିବ। ମୁସଲିମ ସଂପ୍ରଦାୟର ମହିଳା ଓ ଝିଅମାନେ ସ୍ବାବଲମ୍ବୀ ହେବା ସହିତ ଆର୍ଥିକ ଦୁର୍ବଳ ଶ୍ରେଣୀର ବ୍ୟକ୍ତି ଉପକୃତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୱକଫ୍ ସଂଶୋଧନ ବିଲ୍ ଉପରେ ହୋଇଥିବା ଜନଜାଗରଣ କାର୍ଯ୍ୟକ୍ରମରେ ଯୋଗ ଦେଇ ମତ ଦେଇଛନ୍ତି।
ବିଜେପି ପକ୍ଷରୁ ଆଜି କେନ୍ଦୁଝର ଅଡିଟୋରିୟମ୍ରେ ଏହି ଜନଜାଗରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ସହିତ ସାଂସଦ ଅନନ୍ତ ଚରଣ ନାୟକ, ବିଧାୟକ ଡାକ୍ତର ଫକୀର ନାଏକ, ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତ, ପୂର୍ବତନ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶିବାଜୀ ମହାନ୍ତି, ଜିଲ୍ଲା ବିଜେପି ସମ୍ପାଦକ ନୀଳମଣି ମହାନ୍ତ, ସଂଖ୍ୟାଲଘୁ ମୋର୍ଚ୍ଚାର ରାଜ୍ୟ ସାଧାରଣ ସଂପାଦକ ଜଲାଲୁଦ୍ଦିନ ଆକବର, ସଂଖ୍ୟାଲଘୁ ମୋର୍ଚ୍ଚା ଜିଲ୍ଲା ସଭାପତି ମହତାବ ଆଲାମ, କେନ୍ଦୁଝରଗଡ଼ ପୌରାଧ୍ୟକ୍ଷା ନିକୁ ସାହୁ ପ୍ରମୁଖ ଯୋଗ ଦେଇଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ବିଜେପି ସରକାରଙ୍କ ସ୍ଳୋଗାନ ହେଉଛି ସବ୍କା ସାଥ, ସବ୍କା ବିକାଶ। ହିନ୍ଦୁ ହୁଅନ୍ତୁ କି ମୁସଲମାନ, ସମସ୍ତଙ୍କୁ ନେଇ ସରକାର ଚାଲିଛି। ‘ସୁଭଦ୍ରା’ ଯୋଜନା ହେଉ କି ଧାନର ଇନ୍ପୁଟ୍ ସବ୍ସିଡି, ସବୁଥିରେ ସମସ୍ତ ବର୍ଗଙ୍କୁ ସାମିଲ କରାଯାଉଛି। ବିଜେପି ବିରୋଧରେ ସାଂପ୍ରଦାୟିକ ଆରୋପ ଲଗାଯାଉଛି। ଏହା ମିଥ୍ୟା। ଯୋଡ଼ା, ବଡ଼ବିଲ, କେନ୍ଦୁଝର ସହରରେ ହନୁମାନ ଜୟନ୍ତୀ ଭଳି କାର୍ଯ୍ୟକ୍ରମରେ ବିଶୃଙ୍ଖଳା ହୋଇନାହିଁ। ମୁସଲମାନ ସମ୍ପ୍ରଦାୟର ଭାଇମାନେ ଏଥିରେ ସହଯୋଗ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ୱକଫ୍ ବୋର୍ଡ ବାବଦରେ ସେ କହିଥିଲେ, ଏହି ବିଲ୍ରେ ସଂଶୋଧନ କରାଯାଇଛି। ଏହା କିଭଳି ସ୍ବଚ୍ଛ ଏବଂ ଫଳପ୍ରଦ ହେବ, ସେ ନେଇ ବ୍ୟବସ୍ଥା ହୋଇଛି।
ନୂଆଦିଲ୍ଲୀ ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ଥିବା ମସଜିଦ୍କୁ ୱକଫ୍ ବୋର୍ଡ ନିଜର ବୋଲି ଦାବି କରୁଛି। ଏଭଳି ଅନେକ ମସଜିଦ୍ ସମେତ କେରଳର ଏକାଧିକ ଖ୍ରୀଷ୍ଟିଆନ ସଂପତ୍ତିକୁ ମଧ୍ୟ ୱକଫ୍ ବୋର୍ଡ ନିଜର ବୋଲି ଦାବି କରିଛି। ଯାହା ଗ୍ରହଣୀୟ ନୁହେଁ। ଏସବୁର ଆଇନଗତ ସମାଧାନ ପାଇଁ ଏହି ବିଲ୍ରେ ସଂଶୋଧନ କରାଯାଇଛି। ମୋଗଲ ସାମ୍ରାଜ୍ୟ ପରଠାରୁ ୨୦୧୩ ମସିହା ପର୍ଯ୍ୟନ୍ତ ୱକଫ୍ ବୋର୍ଡ ପାଖରେ ୧୮ଲକ୍ଷ ୩୦ ହଜାର ଏକର ଜମି ଥିଲା। ୨୦୧୩ରୁ ୨୦୨୫ ମସିହା ମଧ୍ୟରେ ୨୦ ଲକ୍ଷ ୯୨ ହଜାର ଏକର ଜମି ୱକଫ୍ ବୋର୍ଡ ସହିତ ଯୋଡ଼ି ହୋଇଗଲା। ୨୦୧୩ ମସିହା ମଧ୍ୟରେ ୱକଫ୍ ବୋର୍ଡର କେସ୍ ସଂଖ୍ୟା ୧୦ ହଜାର ୩୮୧ ଥିବାବେଳେ ୨୦୧୩ରୁ ଏଯାଏଁ ମୋଟ କେସ୍ ସଂଖ୍ୟା ୨୧ହଜାର ୬୧୮ ହୋଇଛି। ଏହି ବିଲ୍ ସଂଶୋଧନ ହେବା ଦ୍ବାରା ଆଇନରେ ସମାନତା ଆସିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।