ବିଜେଡି-ବିଜେପି ମୁହାଁମୁହିଁ: ବିଜେଡି କହିଲା, ସିଇଓଙ୍କୁ ବଦଳାଇବା ଦାବି ବିଜେପିର ଅଭ୍ୟାସଗତ

ପୁରୀ: ପିପିଲି ଉପନିର୍ବାଚନ ମଧ୍ୟରେ ଏବେ ପୁଣି ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ସକାଳେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଟାର୍ଗେଟ କରିଥିବା ବେଳେ ଏବେ ବିଜେଡି ଏହାର ଜବାବ ଦେଇଛି । ବିଜେଡି କହିଛି ସିଇଓଙ୍କୁ ବଦଳାଇବା ପାଇଁ ଦାବି ବିଜେପିର ଅଭ୍ୟାସଗତ ହୋଇଗଲାଣି ।

ବିଜେଡି ପ୍ରବକ୍ତା ସୁଶ୍ରୀ ଇସ୍ପିତା କହିଛନ୍ତି, ରାଜ୍ୟ ବିଜେପିକୁ ଏବେ ଠାରୁ ପିପିଲିରେ ହାରିବାର ଭୟ ଗୋଡାଇଲାଣି । ତେଣୁ ସେମାନେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବଦଳାଇବାକୁ ଦାବି କରୁଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବଦଳାଇବା ପାଇଁ ଦାବି କରିବା ବିଜେପି ପାଇଁ ନୂଆ ନୁହେଁ । ବିଜେପିର ଏଭଳି ଆଚରଣ ଯୋଗୁଁ ରାଜ୍ୟବାସୀ ତାଙ୍କୁ ପ୍ରତ୍ୟାଖ୍ୟାନ କରୁଛନ୍ତି । ପିପିଲିରେ ମଧ୍ୟ ଏହାର ପୁନରାବୃତ୍ତି ହେବ । ତେଣୁ ମୁଖ୍ୟ ନିର୍ବାଚନ ଅଧିକାରୀ ଭଳି ମର୍ଯ୍ୟାଦାଜନକ ପଦବୀକୁ ନେଇ ବିଜେପି ରାଜନୀତି ନକରୁ ବୋଲି ବିଜେଡି କହିଛି ।

ଆଜି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଟାର୍ଗେଟ କରିଥିଲେ । ଲେଖାଶ୍ରୀ କହିଥିଲେ, ବର୍ତ୍ତମାନ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଯିଏ ଅଛନ୍ତି ସେ ରାଜ୍ୟ ସରକାରଙ୍କ ଅବକାରୀ ସଚିବ ମଧ୍ୟ ଅଛନ୍ତି । ତେବେ ରାଜ୍ୟ ସରକାର କାହିଁକି ତାଙ୍କୁ ଅବକାରୀ ସଚିବ ପଦବୀରୁ ହଟାଇ ନାହାନ୍ତି ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି ।

ସମ୍ବନ୍ଧିତ ଖବର