କରୋନା ଲଢ଼େଇର ସାରଥୀ ସାଜିବ ୱାର୍ଡ କମିଟି

ପ୍ରତି ୱାର୍ଡରେ ଗଠନ ହେବ କମିଟି
ଥଣ୍ଡା ଆଦି କରୋନା ଲକ୍ଷଣର ଚିହ୍ନଟ କରି ସୂଚନା ଦେବେ
କରୋନା ସମ୍ପର୍କରେ ସଚେତନତା ସୃଷ୍ଟି କରିବେ

ବାରିପଦା : କରୋନା ଲଢ଼େଇରେ ସାମିଲ ହେବ ୱାର୍ଡ କମିଟି। ଜିଲ୍ଲାର ପ୍ରତି ବ୍ଲକ୍ ଓ ସହରାଞ୍ଚଳରେ କୋଭିଡ୍-୧୯ର ସଠିକ ପରିଚାଳନ ନିମନ୍ତେ ଏହି କମିଟି ଗଠନ କରାଯିବ। ସଂପୃକ୍ତ ୱାର୍ଡର ୱାର୍ଡ ସଭ୍ୟ/ସଭ୍ୟା ଏବଂ ସହରାଞ୍ଚଳରେ କାଉନ୍‌ସିଲରଙ୍କ ଅଧ୍ୟକ୍ଷତାରେ ଗଠନ ହେବାକୁ ଥିବା ଏହି କମିଟିରେ ଅଙ୍ଗନବାଡ଼ି, ଆଶା କର୍ମୀଙ୍କ ସହିତ ସ୍ବୟଂସହାୟିକା ଗୋଷ୍ଠୀର ସଭାପତି, ସଂପାଦିକାଙ୍କ ସମେତ କିଛି ସ୍ବେଚ୍ଛାସେବୀ ରହିବେ। ସଂପୃକ୍ତି ୱାର୍ଡରେ କାହାର ଥଣ୍ଡା, କାଶ କିମ୍ବା କରୋନା ସମ୍ପର୍କୀତ ଅନ୍ୟାନ୍ୟ କୌଣସି ଲକ୍ଷଣ ଦେଖାଦେଲେ ଉକ୍ତ କମିଟି ତତ୍‌କ୍ଷଣାତ ଏହାର ଚିହ୍ନଟ କରିବ। ଏହାସହିତ ସଂପୃକ୍ତ ବ୍ୟକ୍ତିଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ପଦକ୍ଷେପ ନେଇ ପ୍ରଶାସନକୁ ସୂଚିତ କରିବେ।

Association for India’s Development

କରୋନା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବ ଏହି କମିଟି। ହାତ ଧୋଇବା, ସାମାଜିକ ଦୂରତା ବଜାୟ ରଖିବା, ମାସ୍କର ସଠିକ ବ୍ୟବହାର, ସାଧାରଣରେ ଛେପ ନପକାଇବା ଆଦି ସଂପର୍କରେ ଏହି କମିଟି ସଚେତନତା ସୃଷ୍ଟି କରିବ। ସେହିପରି ସଂପୃକ୍ତ ଅଞ୍ଚଳରେ ସ୍ବଚ୍ଛତାର ମଧ୍ୟ ଅନୁଧ୍ୟାନ କରିବ ଏହି କମିଟି। ସେହିପରି ବିଭିନ୍ନ ରାଜ୍ୟରୁ ଜିଲ୍ଲାକୁ ଫେରୁଥିବା ପ୍ରବାସୀମାନଙ୍କ ସମ୍ପର୍କରେ ମଧ୍ୟ ଏହି କମିଟି ନିୟମିତ ବ୍ୟବଧାନରେ ଚେକ୍ କରିବ। ଏଥିସହିତ ଏମାନେ ଯେପରି ହୋମ୍ କ୍ବାରାଣ୍ଟିନ୍ ନିୟମ ପାଳନ କରୁଛନ୍ତି କି ନାହିଁ ସେ ସମ୍ପର୍କରେ ମଧ୍ୟ ଏହି କମିଟି ତଦାରଖ କରିବ। ଯଦି କେହି ସଙ୍ଗରୋଧ ସମ୍ପର୍କିତ ନିୟମକୁ ଉଂଲଘନ କରୁଥିବେ ତେବେ ଏସମ୍ପର୍କରେ ସଂପୃକ୍ତ ଅଞ୍ଚଳର ସରପଞ୍ଚ ଏବଂ ନିର୍ବାହୀ ଅଧିକାରୀଙ୍କୁ ରିପୋର୍ଟ କରିବେ। ତୃଣମୂଳସ୍ତରରୁ କରୋନା ଲଢ଼େଇରେ ସମସ୍ତଙ୍କୁ ସାମିଲ କରି ଏହାର ସୁଫଳ ମିଳିପାରିବ ସେନେଇ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଏହି ନିର୍ଦ୍ଦେଶାନାମା ଜାରି କରିଛନ୍ତି।

ସମ୍ବନ୍ଧିତ ଖବର