ଭୁବନେଶ୍ବର : ରାଜ୍ୟରେ ପୌର ନିର୍ବାଚନ ଘୁଞ୍ଚି ଚାଲିଛି। ୧୦୧ େପୗରସଂସ୍ଥାରେ ଏବେ ନିର୍ବାଚିତ ପ୍ରତିନିଧି ନାହାନ୍ତି। ଫଳରେ ଲୋକଙ୍କ ସମସ୍ୟା କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚୁନି ବୋଲି ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ଏଥି ପାଇଁ ସରକାର ବିକଳ୍ପ ବାଟ ବାହାର କରିଛନ୍ତି। ପ୍ରତି ୱାର୍ଡରେ ‘ୱାର୍ଡ ଅଫିସ୍’ ଖୋଲି ସିଧାସଳଖ ଲୋକଙ୍କ ଅଭିଯୋଗ ଶୁଣାଣିର ବ୍ୟବସ୍ଥା କରାଯିବ। ୱାର୍ଡ ଅଫିସର୍ମାନେ ଅଭିଯୋଗ ଶୁଣିବା କରିବା ସହ ସମାଧାନର ବାଟ ବାହାର କରିବେ। ଆସନ୍ତା ସ୍ବାୟତ୍ତ ଶାସନ ଦିବସ ଠାରୁ ଏହା ଲାଗୁ ହେବ ବୋଲି ସୂଚନା ମିଳିଛି।
ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ ଏ ନେଇ ସବୁ ମହାନିଗର ନିଗମ, ପୌରପାଳିକା ଓ ଏନ୍ଏସିକୁ ଚିଠି ଲେଖିଛନ୍ତି। ଏହି ନୂଆ ବ୍ୟବସ୍ଥା ଦ୍ବାରା ‘୫ ଟି’କୁ କାର୍ଯ୍ୟକାରୀ କରାଯିବା ସହ ଲୋକଙ୍କ ପାଖରେ ସେବା ପହଞ୍ଚିପାରିବ ବୋଲି କୁହାଯାଇଛି। ଏଥିରେ ଦର୍ଶାଯାଇଛି, ସବୁ ପୌରସଂସ୍ଥା ତୁରନ୍ତ ୱାର୍ଡ ଅଫିସର୍ ନିଯୁକ୍ତି କରିବେ। ଏହି ଅଫିସର୍ମାନେ ପ୍ରତିଦିନ ସକାଳ ୧୦ଟାରୁ ୧୨ଟା ୱାର୍ଡ ଅଫିସ୍ରେ ବସିବେ। ସେଠାରେ ଲୋକମାନେ ନିଜ ଆପତ୍ତି ଅଭିଯୋଗ ଜଣାଇବେ। ମୁଖ୍ୟତଃ ପାନୀୟ ଜଳ, ଡ୍ରେନେଜ୍, ରାସ୍ତା ମରାମତି, ଷ୍ଟ୍ରିଟ୍ ଲାଇଟ୍ ଓ ଅନ୍ୟ ମୌଳିକ ସେବା ସମ୍ପର୍କିତ ଅଭିଯୋଗ ଏଠାରେ ଗ୍ରହଣ କରାଯିବ। େପୗରସଂସ୍ଥାଗୁଡ଼ିକ ପକ୍ଷରୁ ଯୋଗାଇ ଦିଆଯାଉଥିବା ସେବା ଯେପରି ଲୋକଙ୍କ ପାଖରେ ଠିକ୍ ଭାବେ ପହଞ୍ଚିବ, ସେ ନେଇ ୱାର୍ଡ ଅଫିସର୍ମାନେ ନିଶ୍ଚିତ କରିବେ।
ସୂଚନାଯୋଗ୍ୟ ଯେ ସଂରକ୍ଷଣ ପ୍ରସଙ୍ଗରେ ଆଇନଗତ ବିବାଦରେ ଛନ୍ଦି ହୋଇ ରାଜ୍ୟରେ ପୌର ନିର୍ବାଚନ ଘୁଞ୍ଚି ଚାଲିଛି। ଯଦିଓ ଏବେ ବିବାଦ ତୁଟିଯାଇଛି, ତେବେ ଦୁଇଟି ଆଇନ୍ରେ ସଂଶୋଧନର ଆବଶ୍ୟକତା ଥିବାରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇପାରି ନାହିଁ। ଚଳିତ ବର୍ଷ ମଧ୍ୟ ପୌର ନିର୍ବାଚନ ହେବାର କୌଣସି ସମ୍ଭାବନା ଦେଖାଯାଉ ନାହିଁ। ଗତ ସେପ୍ଟମ୍ବର ମାସରୁ ବର୍ତ୍ତମାନ ମଧ୍ୟରେ ଯେତେେବଳେ ଯେଉଁ ପୌର ସଂସ୍ଥାର କାର୍ଯ୍ୟକାଳ ଶେଷ ହେଉଛି, ସେଠାରେ ପ୍ରଶାସକ ନିଯୁକ୍ତି ଦିଆଯାଉଛି। ୨୦୧୮ ମସିହା ସେପ୍ଟମ୍ବର ୨୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୬୬ ପୌରସଂସ୍ଥାର କାର୍ଯ୍ୟକାଳ ଶେଷ ହୋଇଥିଲା ଓ ସେଠାରେ ପ୍ରଶାସକ ନିଯୁକ୍ତି କରାଯାଇଥିଲା। ତାହା ପରେ ବିଭିନ୍ନ ପର୍ଯ୍ୟାୟରେ ଅନ୍ୟ ପୌରସଂସ୍ଥାରେ ପ୍ରଶାସକ ନିଯୁକ୍ତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ୫ ମହାନଗର ନିଗମ, ୪୬ ପୌରପାଳିକା ଓ ୫୦ ଏନ୍ଏସିରେ ପ୍ରଶାସକ ନିଯୁକ୍ତି ସରିଛି। କେବଳ ୨ଟି ପୌରପାଳିକା ଓ ୧୧ଟି ଏନ୍ଏସିରେ ନିର୍ବାଚିତ ପ୍ରତିନିଧି କାର୍ଯ୍ୟ କରୁଛନ୍ତି।