କୋରାପୁଟ,(ଶ୍ରୀକାନ୍ତ ସାହୁ): ପ୍ରାକୃତିକ ସୌନ୍ଦର୍ଯ୍ୟର ଭୂସ୍ବର୍ଗ କୋରାପୁଟ ଉତ୍ତପ୍ତ ହେବାରେ ଲାଗିଛି। ଜଙ୍ଗଲ ନଷ୍ଟ, ଖଣି ଉତ୍ତୋଳନ, ମୃତ୍ତିକା କ୍ଷୟ ଓ ବନାଗ୍ନି ମାଳଭୂମିର ସବୁଜ ବଳୟକୁ ନଷ୍ଟ କରୁଥିବାରୁ ପ୍ରତିବର୍ଷ ତାପମାତ୍ରା ବଢ଼ି ଚାଲିଛି। ଗତ ୧୫ ବର୍ଷ ମଧ୍ୟରେ ଜିଲ୍ଲାରେ ୩ ଡିଗ୍ରି ତାପମାତ୍ରା ବୃଦ୍ଧି ପାଇଥିବା ହସ୍ତଗତ ତଥ୍ୟରୁ ଜଣାପଡ଼ିଛି।

Advertisment

ଦିନଥିଲା କୋରାପୁଟରେ କେବଳ ଦୁଇଟି ଋତୁ ଅନୁଭବ ହେଉଥିଲା। ଶୀତ ଓ ବର୍ଷାକୁ ଛାଡ଼ିଲେ ଏଠାରେ ଗ୍ରୀଷ୍ମଋତୁର ଅନୁଭବ ହିଁ ନଥିଲା। ଏହି ଜିଲ୍ଲାକୁ ଲାଗିଥିବା ପୂର୍ବଘାଟ ପର୍ବତମାଳାରେ ରହିଛି ଦେଓମାଳି, ପଞ୍ଚପଟ୍ଟମାଳି, ଶାଶୂବୋହୂମାଳି, କୋଡିଙ୍ଗାମାଳି ଏବଂ ନାଗେଶ୍ବରୀ ପାହାଡ଼ ଭଳି ସୁଉଚ୍ଚ ପର୍ବତମାଳା। ଯାହା ସୌନ୍ଦର୍ଯ୍ୟ ବୃଦ୍ଧି ସହ ପରିବେଶ ସନ୍ତୁଳନରେ ବେଶ୍ ସହାୟକ ହୋଇ ଆସୁଥିଲା। ଏପ୍ରିଲ୍, ମେ ମାସରେ ଏହି ଜିଲ୍ଲାର ସର୍ବାଧିକ ତାପମାତ୍ରା ୩୨ରୁ ୩୫ ଡିଗ୍ରି ମଧ୍ୟରେ ସୀମିତ ରହୁଥିଲା। ମାତ୍ର, ପରିବେଶ ସନ୍ତୁଳନ ବିଗିଡ଼ିବା ପରେ ୨୦୦୮ ପରଠାରୁ କୋରାପୁଟର ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ହେବାରେ ଲାଗିଛି।

publive-image

୨୦୦୮ ଏପ୍ରିଲ୍‌ ମାସରେ କୋରାପୁଟର ସର୍ବୋଚ୍ଚ ତାପମାତ୍ରା ୩୭.୧ ଡିଗ୍ରିରେ ପହଞ୍ଚିଥିବା ବେଳେ ୨୦୨୩ ଏପ୍ରିଲ୍‌ରେ ୪୦ ଡିଗ୍ରିକୁ ଛୁଇଁଛି। ୨୦୦୯ ଏପ୍ରିଲ୍‌ରେ ତାପମାତ୍ରା ୩୭.୯ ଡିଗ୍ରି, ୨୦୧୦ରେ ୩୬, ୨୦୧୧ରେ ୩୫, ୨୦୧୨ରେ ୩୭.୩, ୨୦୧୩ରେ ୩୭.୮, ୨୦୧୪ରେ ୩୭.୪, ୨୦୧୫ରେ ୩୫.୬, ୨୦୧୬ରେ ୩୨, ୨୦୧୭ରେ ୩୭.୨, ୨୦୧୮ରେ ୩୬, ୨୦୧୯ରେ ୩୯, ୨୦୨୦ରେ ୩୭, ୨୦୨୧ରେ ୩୭.୫, ୨୦୨୨ରେ ୩୭.୫ ଓ ୨୦୨୩ରେ ୪୦ ଡିଗ୍ରିରେ ପହଞ୍ଚିଛି। ୨୦୦୮ରୁ ୨୦୨୩ ମଧ୍ୟରେ କୋରାପୁଟ ଜିଲ୍ଲାରେ ଏକାଧିକ ଖଣି ଖାଦାନ ଖନନ, ଭାରତମାଳା ପରିଯୋଜନାରେ ୬ ଥାକିଆ ରାସ୍ତା ନିର୍ମାଣ, ପାହାଡ଼ କାଟି ଜାତୀୟ ରାଜପଥ ସଂପ୍ରସାରଣ, ପୋଡ଼ୁଚାଷ ପରିମାଣ ବୃଦ୍ଧି ହୋଇଛି। ଯେଉଁଥିପାଇଁ ଗତ ୧୫ ବର୍ଷ ମଧ୍ୟରେ ୩ ଡିଗ୍ରି ଅଧିକ ଉତ୍ତପ୍ତ ହୋଇଛି କୋରାପୁଟ।

ଗ୍ରୀଷ୍ମର ପ୍ରଭା‌ବ ସବୁଜିମା ସହ ଜିଲ୍ଲାର ଚତୁଃପାର୍ଶ୍ବକୁ ଘେରି ରହିଥିବା ଜଳଭଣ୍ଡାର ଉପରେ ମଧ୍ୟ ପଡ଼ିଛି। ଅପର କୋଲାବ, ମାଛକୁଣ୍ଡ, ଅନକାଡେଲି, ମୁରାନ୍ ଡ୍ୟାମ୍‌ ସହ ଅନେକ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ଖରାଦିନେ ପାଣି ସମସ୍ୟା ଦେଖାଦେଲାଣି। ଜଳଭଣ୍ଡାର ଶୁଖିଲା ପଡ଼ିବାରୁ ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହେଉଥିବା ବେଳେ ଜଳସେଚନ ଅଭାବରୁ ଦୁଇ ଫସଲ ଜମି ପଡ଼ିଆ ପଡୁଛି। ଜିଲ୍ଲାର ୧୪ଟି ବ୍ଲକର ୪ ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ଖରାଦିନେ ପାନୀୟ ଜଳ ସ୍ଥିତି ଉତ୍କଟ ହେବାରେ ଲାଗିଲାଣି।