ଭୁବନେଶ୍ବର: ଅଧିକରୁ ଅଧିକ ଚାଷୀଙ୍କୁ ଫସଲ ବୀମା କରିବା ପାଇଁ ସଚେତନ କରିବା ଦରକାର। ଫସଲ ବୀମା ଇଚ୍ଛାଧୀନ ହୋଇଥିଲେ ବି ଓଡ଼ିଶାରେ ଯେଭଳି ଲଗାତାର ଭାବେ ପ୍ରାକୃତିକ ଦୁର୍ବିପାକ ଲାଗି ରହିଛି, ସେଥିରେ ବ୍ୟାପକ ଫସଲ ହାନି ହେଉଛି। ବୀମା ପାଇଁ ଚାଷୀଙ୍କ ପଞ୍ଜୀକରଣ କାର୍ଯ୍ୟକୁ ତ୍ବାରାନ୍ବିତ କରାଯାଉ। ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଫସଲ ବୀମା ସଂକ୍ରାନ୍ତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି କୃଷି, ରାଜସ୍ବ, ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ଅଧିକାରୀଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି। ବୀମାଭୁକ୍ତ ହେବା ପାଇଁ ଇଚ୍ଛୁକ ଚାଷୀମାନେ ଜୁଲାଇ ୩୧ ତାରିଖ ମଧ୍ୟରେ ପଞ୍ଜୀକରଣ କରିବାକୁ ଦିନ ଧାର୍ଯ୍ୟ କରାଯାଇଛି।
ସମୀକ୍ଷାବେଳେ ଶ୍ରୀ ତ୍ରିପାଠୀ କହିଥିଲେ, ଚଳିତ ଖରିଫ୍ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି। ଫସଲବୀମା ପଞ୍ଜୀକରଣ ଇଚ୍ଛାଧୀନ ବିଷୟ ହୋଇଥିବାରୁ ଏ ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଉପରେ ସେ ଗୁରୁତ୍ବ ଦେଇଥିଲେ। ଏହି କାର୍ଯ୍ୟରେ ବୀମା କମ୍ପାନି, ବ୍ୟାଙ୍କ, କ୍ଷେତ୍ର ସ୍ତରୀୟ କୃଷି କର୍ମଚାରୀ, କୃଷକ କ୍ଲବ୍, ପ୍ରଡ୍ୟୁସର୍ ଗ୍ରୁପ୍ ମାନଙ୍କୁ ସକ୍ରିୟ ଭାବେ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଥିଲା।
କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ କହିଥିଲେ, ଏବର୍ଷ ଖରିଫ୍ ଋତୁରେ ଧାନ, ମକା, କପା, ଚିନାବାଦାମ୍, ମାଣ୍ଡିଆ, ହରଡ଼, ଅଦା, ହଳଦି ଆଦି ୮ଟି ଶସ୍ୟକୁ ବୀମା ଅନ୍ତର୍ଭୁକ୍ତ କରାଯାଇଛି। ଏଥିପାଇଁ ଜମି ରେକର୍ଡ଼୍କୁ ଜାତୀୟ ବୀମା ପୋର୍ଟାଲ୍ ସହିତ ସଂଯୋଗ କରିବା କାମ ସମ୍ପୂର୍ଣ୍ଣ ହୋଇଛି। ଚାଷୀମାନେ ଚଳିତମାସ ଶେଷସୁଦ୍ଧା ବ୍ୟାଙ୍କ, ବୀମା କମ୍ପାନିଙ୍କ ପ୍ରତିନିଧି, ପ୍ରାଥମିକ କୃଷି ସମବାୟ ସମିତି, ପଞ୍ଚାୟତ ଓ ବ୍ଲକ୍ମାନଙ୍କରେ ଥିବା ଜନସେବା କେନ୍ଦ୍ର (କମନ୍ ସର୍ଭିସ୍ ସେଣ୍ଟର)ମାନଙ୍କରେ ପଞ୍ଜୀକୃତ କରିପାରିବେ। କୃଷି ନିର୍ଦ୍ଦେଶକ ମୁଥୁ କୁମାର ଜଣାଇଥିଲେ ଗତ ୫ ବର୍ଷ ମଧ୍ୟରେ ଲଗାତାର ଭାବେ ବୀମାଭୁକ୍ତ ଚାଷ ଜମିର ପରିମାଣ ବୃଦ୍ଧି ପାଇଛି। ୨୦୧୬ ମସିହା ଖରିଫ୍ ଋତୁରେ ୧୨.୫୭ ଲକ୍ଷ ହେକ୍ଟର, ୨୦୧୭ ମସିହାରେ ୧୩.୪୬ ଲକ୍ଷ ହେକ୍ଟର୍, ୨୦୧୮ ମସିହାରେ ୧୪.୨୬ ଲକ୍ଷ ହେକ୍ଟର୍ ଓ ୨୦୧୯ ମସିହାରେ ୧୮.୫୨ଲକ୍ଷ ହେକ୍ଟର୍ ଚାଷ ଜମି ବୀମାଭୁକ୍ତ ହୋଇଥିଲା। ୨୦୧୬ ମସିହାରୁ ରିମୋଟ୍ ସେନ୍ସିଂ ଆପ୍ଲିକେସନ୍ ଓ ମୋବାଇଲ୍ ଆପ୍ ମାଧ୍ୟମରେ ଫସଲ କଟାର ରିପୋର୍ଟ ନିଆଯାଉଛି। ଏ କ୍ଷେତ୍ରରେ ଦେଶରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ବୋଲି କୃଷି ନିର୍ଦ୍ଦେଶକ କହିଥିଲେ।
ବୀମା ପାଇଁ ଚାଷ ଜମିର ଆକାର ଓ ଫସଲର ପ୍ରକାର ଅନୁସାରେ ବୀମା ରାଶି ନିର୍ଦ୍ଧାରଣ ହୁଏ। ନିର୍ଦ୍ଧାରିତ ରାଶିର ୨% ଚାଷୀ ଦେଉଥିବାବେଳେ ଅବଶିଷ୍ଟ ରାଶିର ୫୦% ରାଜ୍ୟ ଓ କେନ୍ଦ୍ର ସରକାର ୫୦% ବହନ କରିଥାନ୍ତି। ଅର୍ଥକରୀ ଫସଲ ଯଥା, କପା, ଅଦା ଓ ହଳଦି ପାଇଁ ଚାଷୀଙ୍କୁ ବୀମାର ରାଶିର ୫% ଏବଂ ଅନ୍ୟାନ୍ୟ ଫସଲ ପାଇଁ ୨% ଦେବାକୁ ପଡ଼ିଥାଏ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ଶାସନ ସଚିବ ବୀର ବିକ୍ରମ ଯାଦବ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ଶାସନ ସଚିବ ଅଭୟ କୁମାର ନାୟକଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।