ଶ୍ରୀକାନ୍ତ ସାହୁ
ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ସଂଘାତିକ ଭାବେ ହ୍ରାସ ପାଉଛି ଭୂତଳ ଜଳସ୍ତର। ୧୦ ବର୍ଷ ମଧ୍ୟରେ ଭୂତଳ ଜଳସ୍ତର ୨.୬ ମିଟର ତଳକୁ ଖସିଗଲାଣି। ଫଳରେ ଆଗାମୀ ଦିନରେ ଜିଲ୍ଲାରେ ଜଳ ସଂକଟ ଉତ୍କଟ ହେବା ନେଇ ଆଶଙ୍କା ବଢ଼ିଛି। ଏକ ଦଶନ୍ଧି ହେଲା ଜଳସ୍ତର ହ୍ରାସ ପାଉଥିଲେ ବି ଦୀର୍ଘମିଆଦି ଯୋଜନା କରାଯାଉ ନଥିବାରୁ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୨୦୨୪ ମସିହାର କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ରିପୋର୍ଟ ଅନୁଯାୟୀ; ଜିଲ୍ଲାରେ ପ୍ରାକ୍ ମୌସୁମୀ ଓ ମୌସୁମୀ ପରବର୍ତ୍ତୀ ଭୂତଳ ଜଳସ୍ତର ସାଂଘାତିକ ଭାବେ ପତନ ହେଉଥିବା ଦେଖାଯାଇଛି। ମୁଖ୍ୟତଃ ଅତ୍ୟଧିକ ଜଳ ଅପଚୟ, ଅନିୟମିତ ବର୍ଷା, ମାତ୍ରାଧିକ ବୋର୍ୱେଲ୍ ଖନନ ଓ ଘରୋଇ ବ୍ୟବହାର କ୍ଷେତ୍ରରେ ଜଳର ଅପଚୟ ବୃଦ୍ଧି ପାଉଥିବାରୁ ଏମିତି ଘଟୁଥିବା କୁହାଯାଉଛି।
ତଥ୍ୟ ଅନୁଯାୟୀ; ମୟୂରଭଞ୍ଜର ପ୍ରାକ୍ ମୌସୁମୀ ଭୂତଳ ଜଳସ୍ତର ଗତ ଦଶନ୍ଧିରେ ହାରାହାରି ୨.୬ ମିଟର ହ୍ରାସ ପାଇଛି। ବାର୍ଷିକ ହାରାହାରି ୦.୨୬ ମିଟର ଜଳସ୍ତର ଖସୁଛି। ମୌସୁମୀ ପରବର୍ତ୍ତୀ କ୍ଷେତ୍ରରେ ମଧ୍ୟ ୧.୧ ମିଟର ଜଳସ୍ତର ହ୍ରାସ ପାଇଛି। ୨୦୧୫ରେ ପ୍ରାକ୍ ମୌସୁମୀ ଜଳସ୍ତର ୭.୮ ମିଟର ରହିଥିବା ବେଳେ ମୌସୁମୀ ପରବର୍ତ୍ତୀ କ୍ଷେତ୍ରରେ ୬.୦ ମିଟର, ୨୦୧୬ରେ ପ୍ରାକ୍ ମୌସୁମୀ ଜଳସ୍ତର ୮.୦ ମିଟର ରହିଥିବାବେଳେ ମୌସୁମୀ ପରବର୍ତ୍ତୀ ସମୟରେ ୬.୨ମିଟର, ୨୦୧୭ରେ ପ୍ରାକ୍ ମୌସୁମୀ ଜଳସ୍ତର ୮.୩ ମିଟର ଓ ମୌସୁମୀ ପରବର୍ତ୍ତୀ ଜଳସ୍ତର ୬.୪ମିଟର, ୨୦୧୯ରେ ପ୍ରାକ୍ ମୌସୁମୀ ଜଳସ୍ତର ୮.୯ ମିଟର ଓ ମୌସୁମୀ ପରବର୍ତ୍ତୀ ଜଳସ୍ତର ୬.୬ ମିଟର ରହିଥିଲା। ସେହିପରି ୨୦୨୦ରେ ପ୍ରାକ୍ ମୌସୁମୀ ଜଳସ୍ତର ୯.୨ ମିଟର ଓ ମୌସୁମୀ ପରବର୍ତ୍ତୀ ଜଳସ୍ତର ୬.୭ ମିଟର, ୨୦୨୧ରେ ପ୍ରାକ୍ ମୌସୁମୀ ଜଳସ୍ତର ୯.୫ ମିଟର ଓ ମୌସୁମୀ ପରବର୍ତ୍ତୀ ଜଳସ୍ତର ୬.୮ ମିଟର, ୨୦୨୨ରେ ପ୍ରାକ୍ ମୌସୁମୀ ଜଳସ୍ତର ୯.୮ ମିଟର ଓ ପରବର୍ତ୍ତୀ ଜଳସ୍ତର ୬.୯ ମିଟର, ୨୦୨୩ରେ ପ୍ରାକ୍ ମୌସୁମୀ ଜଳସ୍ତର ୧୦.୧ ମିଟର ଓ ମୌସୁମୀ ପରବର୍ତ୍ତୀ ଜଳସ୍ତର ୭ ମିଟର, ୨୦୨୪ରେ ପ୍ରାକ୍ ମୌସୁମୀ ଜଳସ୍ତର ୧୦.୪ ମିଟର ରହିଥିବାବେଳେ ମୌସୁମୀ ପରବର୍ତ୍ତୀ ସମୟରେ ୭.୧ ମିଟର ରହିଛି।
ମୌସୁମୀ ପ୍ରବାହରେ ଅନିୟମିତତା ଯୋଗୁ ଠିକଣା ସମୟରେ ଓ ଆବଶ୍ୟକତା ଅନୁଯାୟୀ ବର୍ଷା ହେଉନି। ଫଳରେ ଭୂତଳ ଜଳ ପୁନଃ ପରିପୂର୍ଣ୍ଣ ହୋଇପାରୁନି। ସହରୀକରଣ, ଜଙ୍ଗଲ ନଷ୍ଟ ଏହାର କାରଣ ସାଜୁଛି। ସେହିପରି ଅଧିକ ଜଳ ଗ୍ରହଣ କରୁଥିବା ଫସଲ ଯେପରିକି; ଧାନ ଚାଷ ପାଇଁ ଅତ୍ୟଧିକ ଭୂତଳ ଜଳ ବ୍ୟବହାର ହେଉଥିବାରୁ ଜଳସ୍ତର ହ୍ରାସ ପାଉଛି। ତାପମାତ୍ରା ବୃଦ୍ଧି ମଧ୍ୟ ଭୂତଳ ଜଳସ୍ତରକୁ ପ୍ରଭାବିତ କରୁଛି। ଏହାସହ ଜଳର ଗୁଣବତ୍ତା ମଧ୍ୟ ହ୍ରାସ ପାଉଛି। ଏନେଇ ଆର୍ଡବ୍ଲ୍ୟୁଏସ୍ଏସ୍ ନିର୍ବାହୀ ଯନ୍ତ୍ରୀ ଜ୍ଞାନେନ୍ଦ୍ର ନାୟକ କହିଛନ୍ତି; ବାରିପଦା, ରାସଗୋବିନ୍ଦପୁର, ବଡ଼ସାହି, ବେତନଟୀ, ଖୁଣ୍ଟା, ଶାମାଖୁଣ୍ଟା, ଗୋପବନ୍ଧୁନଗର ପରି ବ୍ଲକ୍ର ଜଳସ୍ତର ଉପରେ ନଜର ରଖାଯାଇଛି। ଜଳ ସଂରକ୍ଷଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି।