ନବରଙ୍ଗପୁର: ସ୍ବଳ୍ପ ବୃଷ୍ଟିପାତର ପ୍ରଭାବ ପଡ଼ିଛି ଇନ୍ଦ୍ରାବତୀ ଡ୍ୟାମ୍‌ ଜଳସ୍ତର ଉପରେ। ମାର୍ଚ୍ଚ ପହିଲାରୁ ଡ୍ୟାମ୍ ଜଳସ୍ତର ୩୩ ପ୍ରତିଶତକୁ ଖସି ଆସିଥିବାରୁ ଚିନ୍ତା ଉଦ୍ରେକ ହୋଇଛି। ପ୍ରାୟ ୪ ମାସ ହେଲା ଜଳଭଣ୍ଡାର ଅଞ୍ଚଳରେ ବର୍ଷା ନ ହେବା, ଉପରମୁଣ୍ଡରେ ବ୍ୟାପକ ଜଙ୍ଗଲ ନଷ୍ଟ ଏବଂ ଝରଣା, ନାଳଗୁଡ଼ିକ ଶୁଖିଯିବା ପରେ ଜଳସ୍ରୋତ କମିବାରେ ଲାଗିଛି। ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୧୬.୫୬ କ୍ୟୁମେକ୍ ପାଣି ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୭୩ କ୍ୟୁ‌ମେକ୍। ସେଥିମଧ୍ୟରୁ ପାୱାର ହାଉସକୁ ୬୫ କ୍ୟୁମେକ୍, ଇନ୍ଦ୍ରାବତୀ ନଦୀକୁ ୫.୧୫ କ୍ୟୁମେକ୍ ଏବଂ ବାଷ୍ପୀୟ ହୋଇ ୨.୮୧ କ୍ୟୁମେକ୍ ଜଳ ନଷ୍ଟ ହେଉଛି। ମେଗା ଜଳଯୋଗାଣ ପ୍ରକଳ୍ପକୁ ଜଳଭଣ୍ଡାରରୁ ଦୈନିକ ଯାଉଛି ୯ ଲକ୍ଷ ଲିଟର ପାଣି। ଫଳରେ ଜଳଭଣ୍ଡାର ଜଳସ୍ତର କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଡ୍ୟାମ୍‌ର ସର୍ବୋଚ୍ଚ ଜଳଧାରଣା କ୍ଷମତା ୬୪୨ ମିଟର ରହିଥିବାବେଳେ ବର୍ତ୍ତମାନ ଜଳସ୍ତର ୬୩୨.୧୧ ମିଟର ରହିଛି। ୨୦୨୪ ମାର୍ଚ୍ଚ ପହିଲାରେ ଜଳସ୍ତର ୬୩୨.୮୩୫ ମିଟର ଥିଲା। 

Advertisment

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଦେଓପାଲି ନିକଟରେ ଇନ୍ଦ୍ରାବତୀ ନଦୀବନ୍ଧ ପ୍ରକଳ୍ପ ନିର୍ମାଣ ହୋଇଛି। ଚିରସ୍ରୋତା ଇନ୍ଦ୍ରାବତୀ, କପୁର, ପୋଡାଗଡ଼, ମୁରାନ ନଦୀ ଉପରେ ଏହି ବହୁମୁଖୀ ବନ୍ଧ ବନ୍ଧାଯାଇଛି। ୧୧୦ ବର୍ଗ କିଲୋମିଟର ପରିବ୍ୟାପ୍ତ ବିସ୍ତୀର୍ଣ୍ଣ ଜଳଭଣ୍ଡାର ମଧ୍ୟରେ ପାଣି ଗଚ୍ଛିତ ରହୁଛି। ଏହି ପାଣିକୁ ବିନିଯୋଗ କରି କଳାହାଣ୍ଡି ମୁଖିଗୁଡାସ୍ଥିତ ପାୱାର ହାଉସରୁ ଚାରୋଟି ୟୁନିଟ୍‌ ଯୋଗେ ବିଦ୍ୟୁତ ଉତ୍ପାଦନ ପ୍ରକ୍ରିୟା ଜାରି ରହିଛି। ଗତ କିଛି ବର୍ଷ ହେଲା ସ୍ୱଳ୍ପ ବୃଷ୍ଟିପାତ କାରଣରୁ ଡ୍ୟାମ୍‌ର ଜଳସ୍ତର ଆଶାତୀତ ଭାବରେ କମି ଚାଲିଛି। ତେନ୍ତୁଳିଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକ୍‌ର ପ୍ରାୟ ୨୦ ହଜାର ହେକ୍ଟର ଜମିକୁ ଜଳସେଚନ ପାଇଁ ମେଗା ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପରେ ଦୈନିକ ୩୦ ଏମ୍‌ଏଲ୍‌ଡି ପାଣି ଚାଷୀଙ୍କ ଜମିରେ ମାଡ଼ିବ। ଅନ୍ୟପକ୍ଷରେ ଜଳଭଣ୍ଡାରକୁ ଲାଗି ରହିଥିବା ପାହାଡ଼ରୁ ପର୍ଯ୍ୟାପ୍ତ ପରିମାଣର ମାଟି ଧୋଇ ହୋଇ ଜଳଭଣ୍ଡାର ମଧ୍ୟରେ ପ୍ରବେଶ କରୁଥିବା ଯୋଗୁଁ ଜଳଭଣ୍ଡାର ପୋତି ହେବାରେ ଲାଗିଛି। ପ୍ରକଳ୍ପ ପକ୍ଷରୁ ଜଳଭଣ୍ଡାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବୃକ୍ଷରୋପଣ ପାଇଁ ଦୃଷ୍ଟି ଦିଆଯାଉନି। ଫଳରେ ଜଳସ୍ତର ହ୍ରାସ ନେଇ ବିଭାଗୀୟ କର୍ତ୍ତୃପକ୍ଷ ଚିନ୍ତା ପ୍ରକଟ କରିଛନ୍ତି।