ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମଲହରି ଜାରି ରହିଛି। ପଶ୍ଚିମ ଓଡ଼ିଶାରେ ସୂର୍ଯ୍ୟଦେବତାଙ୍କ ପ୍ରଖରକିରଣ ପାଣି ଫୁଟାଉଛି। ସକାଳ ୮ଟା ପରଠାରୁ ଅପରାହ୍ଣ ୪ଟା ଯାଏଁ ବାହାରକୁ ଯିବା ସହଜ ହେଉନାହିଁ। ଏହାରି ମଧ୍ୟରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ରାଜ୍ୟର ୧୧ଟି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦେଇଛି।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେଣୁ ଏହି ଗୁରୁତ୍ବପୂର୍ଣ୍ଣ ସମୟରେ ନିଜ ସୁରକ୍ଷା ପାଇଁ ଲୋକେ ସତର୍କ ରୁହନ୍ତୁ। କାରଣ ଏହି ସମୟ ମଧ୍ୟରେ ବର୍ଷା ଘଡ଼ଘଡ଼ି ସହ ଝଡ଼ ତୋଫାନ ହୋଇପାରେ। ପାଣିପାଗ ବିଭାଗ ମୟୂରଭଞ୍ଜ,ବାଲେଶ୍ୱର, କନ୍ଧମାଳ, ରାୟଗଡ଼ା, ନୟାଗଡ଼, ବୌଦ୍ଧ,ଅନୁଗୁଳ, ସୋନପୁର, ସମ୍ବଲପୁର, ଦେବଗଡ଼ ଏବଂ ଝାରସୁଗୁଡ଼ା ଭଳି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଏହିସବୁ ଜିଲ୍ଲାବାସୀ ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ପାଣିପାଗ ଗତିବିଧି ଉପରେ ନଜର ରଖିବା ସହ ବଜ୍ରପାତ ମୁକ୍ତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି।