ଆସନ୍ତା ୩ ଦିନ ପାଇଁ ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡିକ ପାଇଁ ସତର୍କ ସୂଚନା ଜାରି : କାଲିଠାରୁ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷାର ପ୍ରକୋପ ଆରମ୍ଭ ହେବ

ଶୁକ୍ରବାର ସନ୍ଧ୍ୟା ୫.୩୦ରେ ପୁରୀ ଉପକୂଳ ଛୁଇଁଁବ ବାତ୍ୟା ଫନି

ଭୁବନେଶ୍ୱର : ଓଡିଶା ଉପକୂଳ ମୁହାଁ ବାତ୍ୟା ଫନି । ସମୁଦ୍ର ମଧ୍ୟରେ ଅତି ଭୟଙ୍କର ବାତ୍ୟାରେ ପରିଣତ ହୋଇସାରିଥିବା ଫନି ଆସନ୍ତା ଶୁକ୍ରବାର ସନ୍ଧ୍ୟା ୫.୩୦ରେ ପୁରୀ ଉପକୂଳ ଛୁଇଁଁବ ବୋଲି ପାଣିପାଗ ବିଭାଗ ଆକଳନ କରୁଛି । ଯେଉଁଥିପାଇଁ ରାଜ୍ୟ ସରକାର ବାତ୍ୟା ଫନିକୁ ମୁକାବିଲା କରିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତେବେ ଏହି ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଓ ପ୍ରଶମନ ବିଭାଗ ତରଫରୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୩ ଦିନ ପାଇଁ ଫନି ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

ଆସନ୍ତା ୩ ତାରିଖରେ ବାତ୍ୟା ଫନି ଓଡିଶା ଉପକୂଳ ଛୁଇଁବାକୁ ଥିବା ବେଳେ ଆସନ୍ତାକାଲି ଠାରୁ ଉପକୂଳବର୍ତ୍ତି ଜିଲ୍ଲାରେ ବର୍ଷାର ପ୍ରକୋପ ଆରମ୍ଭ ହେବ । ଆସନ୍ତାକାଲି ୬ଟି ଜିଲ୍ଲାକୁ ସର୍ତକ ସୂଚନା ଜାରି କରାଯାଇଛି । ଆଉ ଏହା ମଧ୍ୟରେ ଖୋର୍ଦ୍ଧା, ପୁରୀ, ରାୟଗଡା, ଗଞ୍ଜାମ, ଗଜପତି ଓ କନ୍ଧମାଳ ରହିଛି । ଏହି ଜିଲ୍ଲା ଗୁଡିକରେ ୬୪.୫ରୁ ୨୦୪.୪ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ।

ସେହିଭଳି ଫନି ଓଡିଶା ଉପକୂଳ ଛୁଇଁବା ଦିନ ୧୦ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଉପକୂଳବର୍ତ୍ତି ଜିଲ୍ଲା ଗୁଡିକରେ ଏହାର ଅଧିକ ପ୍ରଭାବ ଦେଖିବାକୁ ମିଳିପାରେ । ଏହି ୧୦ଟି ଜିଲ୍ଲା ଗୁଡିକରେ ୨୦୪.୪ ଏମଏମରୁ ଅଧିକ ବର୍ଷା ହୋଇପାରେ । ସେହିଭଳି ଫନିର ପ୍ରଭାବରେ ଅନ୍ୟ ୧୨ଟି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ । ଏହି ୨୨ଟି ଜିଲ୍ଲା ମଧ୍ୟରୁ ୧୭ଟି ଜିଲ୍ଲା ପାଇଁ ସର୍ତକ ସୂଚନା ଜାରି କରାଯାଇଥିବା ବେଳେ ୫ଟି ଜିଲ୍ଲା ଉପରେ ସତର୍କ ନଜର ରଖାଯାଇଛି ।

ଫନି ସ୍ଥଳଭାଗ ଛୁଇଁବା ପରେ ୪ ତାରିଖରେ ଏହା ଅପେକ୍ଷାକୃତ ଦୁର୍ବଳ ହୋଇଯିବ । ଉତ୍ତର-ପୂର୍ବର ୬ଟି ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିବ । ଯେଉଁଠାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ତେଣୁ ଏହି ଜିଲ୍ଲା ଗୁଡିକ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

ସମ୍ବନ୍ଧିତ ଖବର