ଓଏସ୍ଏସ୍‌ଟିଇଟି ପ୍ରଶ୍ନରେ ତ୍ରୁଟି: ବୋର୍ଡକୁ ଅଭିଯୋଗ ପରେ ବି ଫଳ ଶୂନ

ଅଦାଲତ ଯିବାକୁ ଚେତାବନୀ

କଟକ: ଓଡ଼ିଶା ସେକେଣ୍ଡାରି ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା‌ର ପ୍ରଶ୍ନ ଓ ସମ୍ଭାବ୍ୟ ଉତ୍ତର ଭୁଲ ଥିବା ବେଳେ ଏହାର ସଂଶୋଧନ ପାଇଁ ପରୀକ୍ଷାର୍ଥୀ ବୋର୍ଡକୁ ଅବଗତ କରାଇଥିଲେ। ମାତ୍ର କର୍ତ୍ତୃପକ୍ଷ ଏହାର ସମାଧାନ କରିବା ବଦଳରେ ଗତ ୭ ତାରିଖରେ ଫଳ ପ୍ରକାଶ କରିଥିଲେ। ଫଳରେ ପ୍ରାୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ୩ରୁ ୬ ନମ୍ବର କମ ମଳିଥିବା‌ର ଅଭିଯୋଗ ହୋଇଛି। ଭୁଲ ପ୍ରଶ୍ନ ଓ ଉତ୍ତର ପାଇଁ ଗ୍ରେସ ମାର୍କ ଦାବି କରି ଆଜି ପରୀକ୍ଷାର୍ଥୀ ବୋର୍ଡ ସଭାପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏଯାଏ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ନ୍ୟାୟ ପାଇଁ ଅଦାଲତ ଯିବାକୁ ଚେତାବନୀ ଦେଇଛନ୍ତି। ସୂଚନା ଅନୁଯ‌ାୟୀ ଗତ ଅକ୍ଟୋବର ୫ ତାରିଖରେ ଓଡ଼ିଶା ସେକେଣ୍ଡାରି ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସ୍‌ଏସ୍‌ଟିଇଟି) ଅନୁଷ୍ଠିତ ହୋଇଥିଲା। ଏଥିରେ ୧୨ରୁ ଅଧିକ ପ୍ରଶ୍ନ ଓ ସମ୍ଭାବ୍ୟ ଉତ୍ତର ଭୁଲ ଥିବା ପରୀକ୍ଷାର୍ଥୀ ମାନେ ଅଭିଯୋଗ କରିଛନ୍ତି। ଏଥିପାଇଁ ଗ୍ରେସ୍‌ ମାର୍କ ଦେବାକୁ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତିଙ୍କୁ ସେମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ପରୀକ୍ଷା ‌ଦେଇଥିବା ପରୀକ୍ଷାର୍ଥୀଙ୍କୁ ସେହି ମାସରେ ପରିଷଦ ପକ୍ଷରୁ ପ୍ରୋଭିଜନାଲ୍ ଉତ୍ତର ସିଟ୍‌ ପ୍ରଦାନ କରାଯାଇଥିଲା। ମାତ୍ର ସେଥିରେ ଅନେକ ପ୍ରଶ୍ନ ଓ ଉତ୍ତର ଭୁଲ ଥିବା ପରୀକ୍ଷାର୍ଥୀ ବୋର୍ଡ ନିକଟରେ ଅଭିଯୋଗ କରିଥିଲେ। ଯେଉଁ ପ୍ରଶ୍ନର ଉତ୍ତର ଭୁଲ ରହିଛି ତାହାର ଠିକ ଉତ୍ତର ଦେବାକୁ ପରୀକ୍ଷାର୍ଥୀଙ୍କୁ ବୋର୍ଡ ତରଫରୁ କୁହାଯାଇଥିଲା। ପ୍ରତି ପ୍ରଶ୍ନ ପାଇଁ ୫ଶହ ଟଙ୍କା ଦେଇ ପରୀକ୍ଷାର୍ଥୀ ଠିକ ଉତ୍ତରପତ୍ର ମାଧ୍ୟମରେ ବୋର୍ଡକୁ ଜଣାଇଥିଲେ। ମାତ୍ର ସେଥିରେ କୌଣସି ପରିବର୍ତ୍ତନ କରାନଯାଇ ଗତ ୭ ତାରିଖରେ ବୋର୍ଡ ପରୀକ୍ଷାଫଳ ପ୍ରକାଶ କରିଥିଲା। ଅନ୍ୟପଟେ ଓଟିଇଟି ଓ ସିଟିଇଟି ପରୀକ୍ଷାରେ ଆସିଥିବା ପ୍ରଶ୍ନ ଓ ଏହାର ଉତ୍ତର ଓଏସ୍‌ଏସ୍‌ଟିଇଟିରେ ବଦଳି ଯାଉଥିବା ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି। ଭୁଲଥିବା ପ୍ରଶ୍ନ ଓ ଉତ୍ତରକୁ ଏକ୍ସପର୍ଟ କମିଟି ଦ୍ବାରା ଯାଞ୍ଚ କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ବୋର୍ଡ ସଭାପତି ପରୀକ୍ଷାର୍ଥୀଙ୍କୁ କହିଥିବା ବେଳେ ପୂର୍ବରୁ ଯେଉଁ କମିଟି ପ୍ରଶ୍ନ ଓ ଉତ୍ତର କରିଥିଲେ ସେମାନଙ୍କ ଦ୍ବାରା ଏହାକୁ ଯାଞ୍ଚ କରିଲେ ତାଙ୍କୁ ନ୍ୟାୟ ମିଳିବ ନାହିଁ ବୋଲି ସେମାନେ କହିଛନ୍ତି। ରଞ୍ଜିତା ବେହେରା, ପିଙ୍କି ଖଟୁଆ, ଅଞ୍ଜନ କୁମାର ମହାନ୍ତି, ସଂଗ୍ରାମ କେଶରୀ ପଣ୍ଡା, ଶୁଭସ୍ମିତା ସାହୁ, ଶ୍ରଦ୍ଧାଞ୍ଜଳି ଭୂୟାଁ, ମିତାଞ୍ଜଳି ଧଳ, ଅମରେଶ ଷଣ୍ଢ, ପ୍ରିୟଙ୍କା ରାଉତ, ଅମିୟ କୁମାର ବିଶ୍ବାଳ, ସୁନିଲ କୁମାର ପଣ୍ଡା, ଅନ୍ନପୂର୍ଣା ବେହେରା ପ୍ରମୁଖ ଆଜି ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର