ସମ୍ବଲପୁର: ସମ୍ବଲପୁର ତହସିଲକୁ ନେଇ ଅନେକ ଅଭିଯୋଗ ମିଳିଛି। ସେଥିପାଇଁ ତହସିଲଦାରଙ୍କୁ ପୂର୍ବରୁ ଅନେକ ଥର ଡାକି ସୁଧୁରିବା ପାଇଁ କହିଥିଲି। ଆଜି ଅନ୍ୟ ଏକ ସରକାରୀ କାର୍ଯ୍ୟରେ ସମ୍ବଲପୁର ଆସିଥିବାବେଳେ ଅଭିଯୋଗର ସତ୍ୟତା ଜାଣିବା ପାଇଁ ତହସିଲ କାର୍ଯ୍ୟାଳୟ ପହଞ୍ଚିଥିଲି। ଦେଖିବା ବେଳକୁ ଏଠାରେ ଅଭିଯୋଗଠାରୁ ଅଧିକ ଅବ୍ୟବସ୍ଥା ରହିଛି। ସ୍ଥିତି ଏଭଳି ମନେ ହେଲା ଯେ ତହସିଲଦାରଙ୍କ ପ୍ରକୋଷ୍ଠ ବର୍ଷାଧିକ ସମୟ ଧରି ଖୋଲା ହେଉନଥିଲା। ତେଣୁ, ପ୍ରକୋଷ୍ଠ ଖୋଲିବା ପାଇଁ କହିବା ବେଳକୁ ୧୦ ମିନିଟ ସମୟ ଲାଗିଥିଲା। ଏପରିକି କେଉଁ ଚାବିରେ ଚ୍ୟାମ୍ବର ତାଲା ଖୋଲାଯାଏ, ତାହା ଅନେକ ସମୟ ପର୍ଯ୍ୟନ୍ତ କେହି ଜାଣି ପାରୁନଥିଲେ। ଭିତରକୁ ପଶିବାବେଳକୁ ଅନୁଭବ ହେଲା ରୁମଟି ଅନେକ ମାସ ହେଲା ସଫା ହୋଇନାହିଁ। ସେଥିରେ ପୁଣି ଘଣ୍ଟା ବି ଚାଲୁନାହିଁ। ଅଭିଯୋଗ ଶୁଣାଣିର ବ୍ୟବସ୍ଥା ନାହିଁ। ଆବେଦନକାରୀ ଏବଂ ଓକିଲଙ୍କ ଠାରୁ ଯେଉଁ ଅଭିଯୋଗ ମିଳିଛି ତାହା ମଧ୍ୟ ଚିନ୍ତାର ବିଷୟ। ଏହି ତହସିଲ ଅଫିସରେ ଜଣେ ମହିଳାଙ୍କୁ ସାର୍ଟିଫାଏ କପି ବର୍ଷେ ହେଲା ମିଳିନାହିଁ। ଏଭଳି ସ୍ଥିତିରେ ସେ କେମିତି ଉପର କୋର୍ଟରେ ଅପିଲ କରିବେ? ଆହୁରି ମଧ୍ୟ ନାମ ଲେଖା ସମୟରେ ପିଲାଙ୍କୁ ଜାତି ପ୍ରମାଣପତ୍ର ମିଳୁନାହିଁ। ବାପାଙ୍କ ନାମରେ ଅନୁସୂଚିତ ଜାତି କିମ୍ବା ଜନଜାତି ପ୍ରମାଣପତ୍ର ରହିଛି। କିନ୍ତୁ, ପିଲାଙ୍କୁ ହଇରାଣ କରାଯାଉଛି। ହୀରାକୁଦ ବିସ୍ଥାପିତମାନେ ନୋଟିସ ଧରି ଘୂରି ବୁଲୁଛନ୍ତି, ତାଙ୍କ କଥା ଶୁଣିବାକୁ କେହି ନାହିଁ। ଏଥିରୁ ସ୍ପଷ୍ଟ ଯେ ସମ୍ବଲପୁର ତହସିଲରେ କର୍ମଚାରୀଙ୍କ ନିଷ୍ଠାର ଅଭାବ ରହିଛି। ପୂର୍ବରୁ ଭୁବନେଶ୍ବର ତହସିଲଙ୍କ ସମେତ ଅନ୍ୟ ତହସିଲ କାର୍ଯ୍ୟାଳୟ ଯାଇଛି କିନ୍ତୁ ସମ୍ବଲପୁର ତହସିଲ କାର୍ଯ୍ୟାଳୟ ଭଳି ଅବ୍ୟବସ୍ଥା କେଉଁଠି ନାହିଁ। ଶେଷ ଥର ପାଇଁ ତାଗିଦ କରାଯାଉଛି, ଏଣିକି କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।

Advertisment

ଏ ହେଲା ରାଜସ୍ବମନ୍ତ୍ରୀଙ୍କ ମୁହଁରେ ସମ୍ବଲପୁର ତହସିଲ କାର୍ଯ୍ୟାଳୟର ଅବ୍ୟବସ୍ଥା ଏବଂ ଏଠାକୁ କୌଣସି କାମରେ ଆସୁଥିବା ଲୋକେ ହଇରାଣ ହେଉଥିବାର ଚିତ୍ର। ଶୁକ୍ରବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ସମୟରେ ତହିସଲ କାର୍ଯ୍ୟାଳୟରେ ମନ୍ତ୍ରୀ ଅଚାନକ ପହଞ୍ଚିବାବେଳକୁ ସମ୍ବଲପୁର ତହସିଲଦାର ଉପସ୍ଥିତ ନଥିଲେ। ମନ୍ତ୍ରୀ ଉପସ୍ଥାନ ରେଜିଷ୍ଟାର ଦେଖିବାବେଳକୁ କେବଳ ହସ୍ତାକ୍ଷର ଥିଲା ସିନା କେଉଁ ଅଧିକାରୀ କେଉଁଠିକୁ ଯାଉଛନ୍ତି ତାର ସୂଚନା ନଥିଲା। ଅତିରିକ୍ତ ତହସିଲଦାରଙ୍କୁ ପଚାରିବାରୁ ସେ ଏ ସଂପର୍କରେ କିଛି କହିପାରିନଥିଲେ। ଏହା ପରେ ମନ୍ତ୍ରୀ ତହସିଲ କାର୍ଯ୍ୟାଳୟକୁ ଆସିଥିବା ଲୋକଙ୍କ ସମସ୍ୟା ଶୁଣିଥିଲେ। ଇତିମଧ୍ୟରେ ପ୍ରଥମେ ଅତିରିକ୍ତ ଜିଲ୍ଲାପାଳ ଏବଂ ପରେ ତହସିଲଦାର, ଜିଲ୍ଲାପାଳ, ଉପଜିଲ୍ଲାପାଳ ପ୍ରମୁଖ ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ମନ୍ତ୍ରୀ କହିଛନ୍ତି, ବିଳମ୍ବିତ ନ୍ୟାୟ କେବେ ବି ନ୍ୟାୟ ନୁହେଁ। ତେଣୁ, ତ୍ବରିତ ମାମଲା ଫଇସଲା ପାଇଁ ପଦକ୍ଷେପ ଗ୍ରହଣ ହେଉଛି। ଏଥିପାଇଁ ରାଜସ୍ବ ବିଭାଗରେ ସଂସ୍କାର ଅଣାଯିବା ସହିତ ତାର କାର୍ଯ୍ୟ ପ୍ରକ୍ରିୟାକୁ ସରଳ କରାଯିବ। ବର୍ତ୍ତମାନର ନୂତନ ବ୍ୟବସ୍ଥା ଅନୁଯାୟୀ, ଜିଲ୍ଲାପାଳ ପ୍ରତ୍ୟେକ ତହସିଲଦାରଙ୍କ ପ୍ରତିଦିନ କାର୍ଯ୍ୟର ରିପୋର୍ଟ ରାଜସ୍ବ ବିଭାଗକୁ ଦାଖଲ କରିବା ପାଇଁ ନିର୍ଦେଶ ଦେଇଥିଲେ। ଅନ୍ୟଦିଗରେ ତହସିଲଦାର ମନୋଜ ପ୍ରଭାକର କୁଜୁର କହିଛନ୍ତି, ଗୋପାଲପାଲି ସ୍ଥିତ ସଦର ଆରଆଇ କାର୍ଯ୍ୟାଳୟ-୩ ଭୁଶୁଡ଼ି ପଡ଼ିଛି। ଏହି କାର୍ଯ୍ୟାଳୟକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରଣ ପାଇଁ ଗୋପାଲପାଲି ଯାଇଥିବାରୁ ମନ୍ତ୍ରୀ ପରିଦର୍ଶନ ସମୟରେ ସେ ଅନୁପସ୍ଥିତ ଥିଲେ। ସେ ଅନୁପସ୍ଥିତ ଥିବାରୁ ଏଭଳି ଅବ୍ୟବସ୍ଥା ଅନୁଭବ ହୋଇଥିଲା। ତହସିଲ କାର୍ଯ୍ୟାଳୟରେ ପ୍ରତିଦିନ ଜନଶୁଣାଣି ସମ୍ଭବ ନୁହେଁ। ନୂଆ କାର୍ଯ୍ୟାଳୟକୁ ସ୍ଥାନାନ୍ତରଣ ପରେ ଅନେକ କପି ଠିକ୍‌ ଭାବରେ ସର୍ଟିଂ ହୋଇନାହିଁ। ସେଥିପାଇଁ କିଛି ବ୍ୟକ୍ତି ମାଗୁଥିବା କପି ପ୍ରଦାନରେ ସମସ୍ୟା ହେଉଛି। ଖୁବ ଶୀଘ୍ର ଏହାର ସମାଧାନ ହୋଇଯିବ।