ନକଲି ଔଷଧକୁ ନେଇ ଓଡ଼ିଶା ପୁଲିସର ସଚେତନତା ବାର୍ତ୍ତା

ଭୁବନେଶ୍ବର : କଟକରେ ନକଲି ଔଷଧ କାରବାର କରୁଥିବା ଦୁଇ ଜଣ ବ୍ୟବସାୟୀ ଗିରଫ ହେବା ପରେ ଓଡ଼ିଶା ପୁଲିସ ରବିବାର ଏକ ସଚେତନତା ବାର୍ତା ଦେଇଛି। ଓଡ଼ିଶା ପୁଲିସ ତା’ର ଟୁଇଟର୍‌ ପେଜରେ ଏହି ସଚେତନତା ବାର୍ତା ପୋଷ୍ଟ କରିଛି। ଯେଉଁଥିରେ ଲେଖା ଯାଇଛି ଔଷଧ ସଞ୍ଜିବନୀ ସଦୃଶ। ଏହା‌ ମଣିଷକୁ ମୃତ୍ୟୁ ମୁଖରୁ ରକ୍ଷା କରିଥାଏ। କିଛି ଲାଭଖୋର ବ୍ୟବସାୟୀ ରାଜ୍ୟର ପ୍ରମୁଖ ସହରମାନଙ୍କରେ ନକଲି ଔଷଧ କାରବାର କରି ମନୁଷ୍ୟ ଜୀବନ ସହ ଖେଳୁଛନ୍ତି।

ଯଦି କୌଣସି ବ୍ୟବସାୟୀ ନକଲି ଔଷଧ କାରବାର ସହ ସଂପୃକ୍ତ ଥିବା ପ୍ରମାଣ ମିଳେ, ତେବେ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଓଡ଼ିଶା ପୁଲିସର ଏଭଳି ସଚେତନତା ଓ କାର୍ଯ୍ୟାନୁଷ୍ଠାନ ଟୁଇଟ୍‌କୁ ନେଇ ଔଷଧ ବିକ୍ରେତାମାନଙ୍କ ମନରେ ଭୟ ସଂଚାର ହୋଇଛି। ଓଡ଼ିଶା ପୁଲିସ ନକଲି ଔଷଧ ବିକ୍ରେତାମାନଙ୍କ ଉପରେ ସାରା ରାଜ୍ୟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୋଜନା କରିଛି ବୋଲି ପୁଲିସ ମୁଖ୍ୟାଳୟରୁ ସୂଚନା ମିଳିଛି। ଖୁବ୍ ଶୀଘ୍ର ଗୋଟିଏ ଦିନରେ ସାରା ରାଜ୍ୟରେ ଏକାବେଳକେ ଚଢ଼ଉ କରାଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର