ସୋନପୁର : ସୋନପୁର ମହାନଦୀ ରାମେଶ୍ୱର ସଙ୍ଗମ ସ୍ଥଳରୁ ଦୀର୍ଘ ୩ ମାସ ହେବ ବାଲି ମାଫିଆମାନେ ବେଧଡ଼କ ବାଲି ଚୋରା ଚାଲାଣ କରୁଥିଲେ। ଏଭଳି ଏକ ପର୍ଯ୍ୟଟନ କ୍ଷେତ୍ରରୁ ବାଲି ଚାଲାଣ ଘଟଣାକୁ ଅଞ୍ଚଳବାସୀ ତୀବ୍ର ବିରୋଧ କରିବା ସହ ଅସନ୍ତୋଷ ପ୍ରକାଶ କରିଥିଲେ। ବାଲି ଚାଲାଣ ହେଉଥିବା ସମ୍ପର୍କରେ ଗତ ୬ ତାରିଖରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ପ୍ରଶାସନ ସଚେତନ ହୋଇଥିଲା। ପ୍ରଶାସନ ମଝିରେ ମଝିରେ କିଛି ଟ୍ରାକ୍ଟର ଧରି ଜରିମାନା ଆଦାୟ କରିଥିଲା, କିନ୍ତୁ ଏହି କାର୍ଯ୍ୟାନୁଷ୍ଠାନକୁ ବାଲି ମାଫିଆମାନେ ବେଖାତିର କରିବା ସହ ବାଲି ଚାଲାଣ ଜାରି ରଖିଥିଲେ। ଏହାକୁ ଦୃଷ୍ଟିରେ ରଖି ସୋନପୁର ତହସିଲ ପ୍ରଶାସନ ପକ୍ଷରୁ ରାମେଶ୍ବର ସଙ୍ଗମ ସ୍ଥଳରେ ସତର୍କ ସୂଚନା ଫଳକ ଲଗାଯାଇଛି।

Advertisment

ଏଥିରେ ଦର୍ଶାଯାଇଛିଯେ ତ୍ରିବେଣୀ ସଙ୍ଗମରେ ଅବସ୍ଥିତ ଥିବା ରାମେଶ୍ବର ପୀଠ ଭୌଳିକ, ଐତିହାସିକ ଓ ସାଂସ୍କୃତିକ ଦୃଷ୍ଟି କୋଣରୁ ସୋନପୁର ସହରର ପ୍ରମୁଖ ସ୍ଥାନ। ଏଣୁ ଏହାର ସୁରକ୍ଷାକୁ ଦୃଷ୍ଟିରେ ରଖି ଏଠାରୁ ବାଲି ଉଠାଣ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଯଦି କେହି ବ୍ୟକ୍ତି ବା ସଂସ୍ଥା ଏହି ଆଦେଶକୁ ଉଲ୍ଲଂଘନ କରି ବେଆଇନ ବାଲି ଉଠାଣ କରନ୍ତି, ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଟ୍ରାକ୍ଟରରେ ବାଲି ଉଠାଣ କଲେ ୫୦ ହଜାର ଟଙ୍କା, ହାଇୱାରେ ବାଲି ଉଠାଣ କଲେ ୧ ଲକ୍ଷ ୫୦ ହଜାର ଟଙ୍କା ଏବଂ ଜେସିବିରେ ବାଲି ଉତ୍ତୋଳନ କଲେ ୫ ଲକ୍ଷ ଅର୍ଥ ଦଣ୍ଡ ଆଦାୟ କରାଯିବାକୁ ଉଲ୍ଲେଖ ରହିଛି। ତହସିଲ ପ୍ରଶାସନ ପକ୍ଷରୁ ଏହି ସତର୍କ ସୂଚନା ଫଳକ ଲାଗିଲା ପରେ ବାଲି ମାଫିଆମାନେ ଚିନ୍ତାରେ ପଡ଼ିଛନ୍ତି।