ସ୍ୱାଧୀନତାର ୭୫ ବର୍ଷ ପରେ ବି ସ୍ଥିତି ଏମିତି! ଗାଁକୁ କାଦୁଅ ପଚପଚ ବାଟ

ରାସ୍ତା ନିର୍ମାଣ ନ ହେଲେ ଲୋକଙ୍କ ଭୋଟ୍‌ ବର୍ଜନ ଚେତାବନୀ

କଳାବାଡ଼ିଆ : ଫଟୋଟିକୁ ଦେଖନ୍ତୁ। ଚାରି ଚକିଆ ଗାଡ଼ି ତ ଦୂରର କଥା, ସାଇକେଲ୍‌ ଓ ମୋଟରସାଇକେଲ୍‌ ବି ଯାଇପାରିବ ନାହିଁ। ଚାଲି ଚାଲି ଯିବା ବି ଭାରି କଷ୍ଟ। ସ୍ବାଧୀନତାର ୭୫ ବର୍ଷ ପରେ ଗାଁକୁ ଯେ ଏମିତି ରାସ୍ତା ଥିବ, କେହି ନ ଦେଖିଲେ ବିଶ୍ବାସ କରିବେନି।

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍‌ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ତଳଭାର୍ଦାଶୋଳ ଗାଁ ଯାଏ ରାସ୍ତାଟି ଲମ୍ବିଛି। ପ୍ରଧାନମନ୍ତ୍ରୀ ସଡ଼କ ଠାରୁ ଗାଁକୁ ଯାଇଥିବା ୮୦୦ ମିଟର ଉକ୍ତ ରାସ୍ତାର ଏ ଦୁରବସ୍ଥା। ଫଳରେ ଗାଁରେ ରହୁଥିବା ୪୦ଟି ପରିବାରର ପ୍ରାୟ ୨୦୦ ଜଣ ଲୋକ ପ୍ରତିଦିନ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। କାହାରି ଦେହ ଖରାପ ହେଲେ ଆମ୍ବୁଲାନ୍‌ସ ସେବା ମିଳୁନି। ଫଳରେ ରୋଗୀର ଜୀବନ ଚାଲିଯାଉଛି। ରାସ୍ତା ମରାମତି କରିବା ପାଇଁ ଗ୍ରାମବାସୀ ବାରମ୍ବାର ପ୍ରଶାସନ ଓ ସ୍ଥାନୀୟ ଜନନେତାଙ୍କ ଠାରେ ଗୁହାରି କରିଥିଲେ। ଫଳରେ ପଞ୍ଚାୟତ ପକ୍ଷରୁ ୮ ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଛି। ହେଲେ ଠିକାଦାର ରାସ୍ତା କାମ କରୁନାହାନ୍ତି। ଏପରି ସମୟରେ ଲୋକେ ତାତିଛନ୍ତି। ତୁରନ୍ତ ରାସ୍ତା ମରାମତି ନ ହେଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ୍ ବର୍ଜନ କରିବେ ବୋଲି ଗ୍ରାମର କାଳୀଚରଣ ସିଂ, ପୂର୍ଣ୍ଣ ସିଂ, ମକର ସିଂ, ମୁନା ସିଂ, ବୁଧୁ ସିଂ, ରାଜୁଗିରି, ରଞ୍ଜିତ ଗିରି, ଚତୁର୍ଭୁଜ ଗିରି, ପଦ୍ମଲୋଚନ ଗିରି, କୁନୁ ସିଂ ପ୍ରମୁଖ ଚେତାବନୀ ଦେଇଛନ୍ତି। ତେବେ ଏନେଇ ବିଡିଓ ରାମଦାସ ଟୁଡୁଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ ରାସ୍ତା କାମ ଯଥାଶୀଘ୍ର ଆରମ୍ଭ ହେବ। ଏଥିପାଇଁ ସେ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦେଶ ଦେବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର