କୁକୁଡ଼ା ଅଣ୍ଡା ଚାଷୀଙ୍କ ଚେତାବନୀ: ଅଣ୍ଡା ଦର ନବଢ଼ିଲେ ପୁଣି ହେବ ଆନ୍ଦୋଳନ

ଭୁବନେଶ୍ୱର : ରାଜ୍ୟରେ ଅଣ୍ଡା ପିଛା ଉତ୍ପାଦନ ଖର୍ଚ୍ଚ ୪ ଟଙ୍କା ୭୫ ପଇସା ହୋଇଥିବା ବେଳେ ନାସନାଲ୍‌ ଏଗ୍ କୋର୍ଡିନେସନ୍ କମିଟି (ଏନ୍‌ଇସିସି) ଅଣ୍ଡା ପିଛା ମାତ୍ର ୩ ଟଙ୍କା ୬୦ ପଇସା ଦର ଧାର୍ଯ୍ୟ କରିଛି। ଫଳରେ ଚାଷୀଟିଏ ଅଣ୍ଡା ପିଛା ୧ ଟଙ୍କାରୁ ଅଧିକ କ୍ଷତି ସହୁଛି। ଏନ୍‌ଇସିସିର ମନମାନି ଯୋଗୁଁ ଗତ ୬ ମାସରେ ରାଜ୍ୟର ୨୦୦ରୁ ଅଧିକ ଫାର୍ମ ପ୍ରାୟ ୧୦୦ କୋଟି ଟଙ୍କାର କ୍ଷତି ସହିଲେଣି। ବ୍ୟାଙ୍କରୁ ଋଣ କରି କୁକୁଡ଼ା ଚାଷୀମାନେ ବେପାର ଆରମ୍ଭ କରିଥିବା ବେଳେ କ୍ରମାଗତ କ୍ଷତିଯୋଗୁଁ ଅନେକ ଚାଷୀ ନିଜ ଫାର୍ମ ବିକ୍ରି କରିବାକୁ ବସିଲେଣି। ମାତ୍ର ଏନ୍‍ଇସିସି ଅଣ୍ଡା ଚାଷୀଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନାହିଁ। ତେଣୁ ଏ କ୍ଷେତ୍ରରେ ଏନ୍‍ଇସିସି ତୁରନ୍ତ ପଦକ୍ଷେପ ଗ୍ରହଣ ନ କଲେ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବାକୁ ଅଣ୍ଡା ଚାଷୀମାନେ ଚେତାବନୀ ଦେଇଛନ୍ତି।

ଚାଷୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଅଣ୍ଡାର ଉତ୍ପାଦନ ଖର୍ଚ୍ଚକୁ ବିଚାରକୁ ନେଇ ଦର ନିର୍ଦ୍ଧାରଣ, ମଧ୍ୟାହ୍ନ ଭୋଜନ ଯୋଜନାରେ ଓଡ଼ିଶାରୁ ଉତ୍ପାଦିତ ଅଣ୍ଡାକୁ ସାମିଲ କରିବା ଏବଂ ଏନଏସି, ପୌରାଞ୍ଚଳ ଓ ମହାନଗର ନିଗମରେ ଖୁଚୁରା ବିକ୍ରୟ କେନ୍ଦ୍ର ଖୋଲିବାକୁ ଅନୁମତି ଦେବା ଲାଗି ଅଲ୍‍ ଓଡ଼ିଶା ଲେୟର ଫାର୍ମର୍ସ ସଂଘ ଦାବି କରିଛି।
ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନରେ ସଂସ୍ଥାର ସାଧାରଣ ପରିଷଦ ବୈଠକରେ କୁକୁଡ଼ା ଚାଷୀଙ୍କ ବିଭିନ୍ନ ଅସୁବିଧା ସମ୍ପର୍କରେ ବ୍ୟାପକ ଆଲୋଚନା ହୋଇଥିବା ବେଳେ ଏଥିରେ ଭବିଷ୍ୟତର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଛି। ପୂର୍ବରୁ ଅଣ୍ଡା ଚାଷୀମାନେ ନିଜ ହକ୍‍ ହାସଲ ପାଇଁ ଚକା ଜାମ୍‍ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଅନୁରୋଧ ପରେ ଅଣ୍ଡା ଚାଷୀମାନେ ଆନ୍ଦୋଳନରୁ ବିରତ ରହିଥିଲେ। ମାତ୍ର ଏଥର ଯଦି ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରାନଯାଏ ତାହେଲେ ପୁଣି ଥରେ ବିଭିନ୍ନ ରାଜ୍ୟ ଅଣ୍ଡା ଚାଷୀ ଓ କୁକୁଡ଼ା ଚାଷୀ ସଂଘ ମିଳିତ ଭାବରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ଅଲ୍‍ ଓଡ଼ିଶା ଲେୟର ଫାର୍ମର୍ସ ସଂଘର ରାଜ୍ୟ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଏହି ବୈଠକରେ ଯୋଗ ଦେଇ କୁକୁଡ଼ା ଚାଷୀଙ୍କ ବିଭିନ୍ନ ଦାବିକୁ ସମର୍ଥନ ଜଣାଇଛନ୍ତି। ସେ କହିଛନ୍ତି ଯେ କୁକୁଡ଼ା ଖାଦ୍ୟ ସହ ଉତ୍ପାଦନ ଖର୍ଚ୍ଚ ଦିନକୁ ଦିନ ବଢ଼ିଚାଲିଛି। ସେହି ଅନୁପାତରେ ଅଣ୍ଡା ଦର ବୃଦ୍ଧି ପାଉନାହିଁ। ଏହି ଦାବି ନେଇ ସଂଘ ରାଜରାସ୍ତାକୁ ଓହ୍ଲାଇଥିଲା, ଏବେ ଏନ୍‍ଇସିସି ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ନ କଲେ ଅଣ୍ଡାଚାଷୀ ପୁଣି ରାସ୍ତାକୁ ଓହ୍ଲାଇବେ ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି। ଅଣ୍ଡା ଦର ନିର୍ଦ୍ଧାରଣ ନେଇ ରାଜ୍ୟ ସରକାରଙ୍କ ହାତରେ କ୍ଷମତା ନାହିଁ। ତେବେ ରାଜ୍ୟ ସରକାର ଏ ଦିଗରେ କେଉଁପ୍ରକାର ସହଯୋଗ କରିପାରିବେ ସେ ସମ୍ପର୍କରେ ସେ ଆଲୋଚନା କରିବେ ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି। ଏହା ସହିତ କୁକୁଡ଼ା ଖାଦ୍ୟରେ ଜିଏସ୍‍ଟି ବୃଦ୍ଧି ଅଣ୍ଡା ଚାଷୀମାନଙ୍କ ପାଇଁ ସବୁଠୁ ବଡ଼ ସମସ୍ୟା ହୋଇଛି। ସୋୟା ଓ ମକାରେ ଜିଏସ୍‍ଟି ହ୍ରାସ ନିମନ୍ତେ ସଂଘର ପ୍ରତିନିଧି ଦଳ ଖୁବ୍‍ ଶୀଘ୍ର କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବ ବୋଲି ସେ ସୂଚନା ଦେଇଛନ୍ତି। ଏହି ବୈଠକରେ ସଂଘର ସଭାପତି ଦେବଦତ୍ତ ବିଶ୍ୱାଳ, ସାଧାରଣ ସମ୍ପାଦକ ଏଲ୍‍. ସରୋଜ ପାତ୍ର, ଯୁଗ୍ମ ସମ୍ପାଦକ ବନ୍ଦନ ମହାନ୍ତି, ଉପସଭାପତି ପ୍ରସନ୍ନ କୁମାର ବସ୍ତିଆ, ଦୀପକ ମିଶ୍ର, କୋଷାଧ୍ୟକ୍ଷ ସନ୍ତୋଷ ପାତ୍ରଙ୍କ ସହ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା କୁକୁଡ଼ା ଚାଷୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର