ଭୁବନେଶ୍ବର : ସରକାରୀ ସଙ୍ଗରୋଧ ବ୍ୟବସ୍ଥାରୁ ମନଇଚ୍ଛା ପଳାଇବା ଓ ନିୟମ ଉଲ୍ଲଂଘନ କରୁଥିବା ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି। ଏଭଳି ବିଶୃଙ୍ଖଳିତ ଆଚରଣ ଆଦୌ ଗ୍ରହଣୀୟ ନୁହେଁ। ଲୋକମାନେ ପ୍ରଶାସନର ଧୈର୍ଯ୍ୟକୁ ପରୀକ୍ଷା କରନ୍ତୁ ନ‌ାହିଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

Advertisment

ଆଜି ସାମ୍ବାଦିକ ସମ୍ମିଳନୀ‌‌ରେ କୋଭିଡ-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଲେ, ମୁଖ୍ୟମନ୍ତ୍ରୀ ୭ଟି ଜିନିଷ ଉପରେ ଗୁରୁତ୍ବ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଫେରୁଥିବା ପ୍ରତ୍ୟେକ ଓଡ଼ିଆ ହେଉଛନ୍ତି ଆମ ନିଜର। ପ୍ରତ୍ୟେକ ଜୀବନ ମୂଲ୍ୟବାନ, ସୁରକ୍ଷିତ ପ୍ରତ୍ୟାବର୍ତନ ସହିତ ସଙ୍ଗ‌େରୋଧର ବ୍ୟବସ୍ଥା କରାଯାଇଛି। ଓଡ଼ିଶାର ସ୍ଥିତି ଅନ୍ୟ ରାଜ୍ୟ ତୁଳନାରେ ଭଲ ରହିଛି। ଏଥିପାଇଁ ଆଶା, ଅଙ୍ଗନବାଡ଼ି କର୍ମୀ, ସ୍ବାସ୍ଥ୍ୟ କର୍ମଚାରୀମାନେ ଦିନରାତି କାମ କରୁଛନ୍ତି। ଯେଉଁମାନେ ଓଡ଼ିଶା ଫେରୁଛନ୍ତି ସେମାନଙ୍କୁ ମଧ୍ୟ କିଛି ତ୍ୟାଗ କରିବାକୁ ହେବ। ମାତ୍ର ଏଥିପାଇଁ ବିଶୃଙ୍ଖଳା ଆଚରଣ ଗ୍ରହଣୀୟ ନୁହେଁ। ଯେଉଁମାନେ ବିଶୃଙ୍ଖଳିତ ଆଚରଣ କରି ସରକାରୀ ନିୟମକୁ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଗତ ୨୪ ଘଣ୍ଟାରେ ୮୮୩୦ଜଣ ବ୍ୟକ୍ତି ଓଡ଼ିଶାକୁ ଫେରିଛନ୍ତି। ବସ୍‌ରେ ୬୩୮୨, ଟ୍ରେନ୍‌ରେ ୨୪୦୯ ଓ ଅନ୍ୟ ଗାଡ଼ିରେ ୩୯ ଫେରିଛନ୍ତି। ମାତ୍ର ଆଗାମୀ ଦିନରେ ୫ଲକ୍ଷ ଲୋକ ଫେରିବାର ସମ୍ଭାବନା ରହିଛି। ବାହାରୁ ଆସୁଥିବା ୫ଲକ୍ଷ ଲୋକଙ୍କୁ ନେଇ ଓଡ଼ିଶାବାସୀଙ୍କ ମନରେ ଶଙ୍କା ରହିଛି। ଓଡ଼ିଶା ଫେରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅଳ୍ପ କିଛି ଲୋକଙ୍କ ପାଇଁ ଅନ୍ୟ ଫେରନ୍ତାମାନେ ସାଢ଼େ ୪ କୋଟି ସମବେଦନା ହରାଇବାର ଆଶଙ୍କା ରହିଛି। ଯେଉଁମାନେ ବସ୍‌ରୁ ଓହ୍ଲାଇ ଅସଦ ବ୍ୟବହାର କରୁଛନ୍ତି ତାଙ୍କ ପ୍ରତି ନିଜ ଗ୍ରାମବାସୀଙ୍କ ସମବେଦନା ଚାଲିଯିବ। ସଙ୍ଗରୋଧ ଭାଙ୍ଗୁଥିବା ଲୋକ ଘରକୁ ଯିବା ପରେ ନିଜ ବୟସ୍କ ବ୍ୟକ୍ତିମାନଙ୍କ ପ୍ରତି ବିପଦ ଆଣୁଛନ୍ତି। ଆଶା, ଡାକ୍ତର, ନର୍ସ ଓ ଅନ୍ୟମାନେ ନିରବଚ୍ଛିନ୍ନ ଭାବେ କାମ କରୁଛନ୍ତି। ଯଦି ଏହି ବିଶୃଙ୍ଖଳିତ ଲୋକମାନଙ୍କ ପାଇଁ ଏମାନଙ୍କ ମନ ଭାଙ୍ଗିଗଲା ତେବେ ରାଜ୍ୟବାସୀଙ୍କ ଅବସ୍ଥା କ’ଣ ହେବ ତାହା ଚିନ୍ତା କରନ୍ତୁ। ବିପଜ୍ଜନକ ପରିସ୍ଥିତି‌ରେ ସର୍ବାଧିକ ଲୋକଙ୍କ ସ୍ବାସ୍ଥ୍ୟକୁ ନଜରରେ ରଖି ସରକାର ଆଗକୁ ବଢ଼ିଥାନ୍ତି। ଯଦି ଘରକୁ ଫେରୁଥିବା ୫ଲକ୍ଷ ଲୋକଙ୍କ ମଧ୍ୟରୁ ୧୦ ପ୍ରତିଶତ ଲୋକଙ୍କ ବିଶୃଙ୍ଖଳିତ ହୋଇ ଯଦି ଅନ୍ୟ ଓଡ଼ିଆମାନଙ୍କ ପାଇଁ ବିପଦ ଆଣନ୍ତି ତେବେ ପ୍ରଶାସନ ପାଖରେ ଯାହା କ୍ଷମତା ରହିଛି ସେସବୁକୁ ଠୁଳ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟ ବଡ଼ ସହରରେ ଖସିଯିବା ସହଜ, ମାତ୍ର ଓଡ଼ିଶାରେ ଖସିଥିବା ଲୋକକୁ ଖୋଜିବାକୁ ଅଳ୍ପ ସମୟ ଲାଗିବ। ତେଣୁ ପ୍ରଶାସନର ଧୈର୍ଯ୍ୟର ପରୀକ୍ଷା ନ କରି ସହାୟତା କରିବାକୁ ଆଗେଇ ଆସିବାକୁ ଶ୍ରୀ ବାଗଚୀ କହିଛନ୍ତି।