ଜୁଲୁମ କରୁଛି ଜେଏସଡବ୍ଲୁ, ପେସା ପରେ ପ୍ରଭାବିତ ଅଞ୍ଚଳବାସୀଙ୍କ ମେଳି

୨୪ରେ ଦେବେ ରଣହୁଙ୍କାର, ପ୍ରଶ୍ନବାଚୀରେ ପ୍ରଶାସନର ନିରବତା 

ସୁନ୍ଦରଗଡ଼/କୁତ୍ରା : କୁତ୍ରା ବ୍ଲକ ଅନ୍ତର୍ଗତ ତେଲିଘଣା ଠାରେ ଜେଏସଡବ୍ଲୁ ଅଧିକୃତ ଶିବାସିମେଣ୍ଟ କାରଖାନାର ସଂପ୍ରସାରଣ ଓ ଖତକୁରବାହାଲ, ଫଲସାକାନି ଠାରେ ଚୂନପଥର ଖଣି ପାଇଁ ଜୁଲୁମ ବଢ଼ିବାରେ ଲାଗିଛି। ସ୍ଥାନୀୟ ପ୍ରଭାବିତ ଲୋକ ଓ ଅଞ୍ଚଳର କୌଣସି ବିକାଶ ନକରି ପ୍ରଶାସନ ମାଧ୍ୟମରେ ଜମି ହାତେଇବାକୁ ଜେଏସଡବ୍ଲୁ ଜୋର୍ ଲଗାଇ ଦେଇଛି। ଯିଏ ବିରୋଧ କରୁଛି, ତାକୁ କମ୍ପାନି ଦଲାଲ, ଗୁଣ୍ଡାମାନେ ଧମକଚମକ ଦେଉଥିବା ଅଭିଯୋଗ ହୋଇଛି। ଏହା ସତ୍ତ୍ବେ ଅଞ୍ଚଳବାସୀ ଏହାକୁ ଜୋର୍‌ଦାର ବିରୋଧ କରୁଛନ୍ତି। ଏହା ମଧ୍ୟରେ କାରଖାନା ସମ୍ପ୍ରସାରଣ ଓ ଖଣି ପାଇଁ ଜନଶୁଣାଣି କରିବାକୁ ପ୍ରଶାସନ ନୋଟିସ ଜାରି କରିଛି। ଯାହାକୁ ନେଇ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜୁଲୁମ ବିରୋଧରେ ପେସା ପରେ ପ୍ରଭାବିତ ଅଞ୍ଚଳବାସୀ ମେଳି ବାନ୍ଧିଛନ୍ତି। ଜନଶୁଣାଣି ବାତିଲ ଦାବିରେ ଲୋକେ ରାଜରାସ୍ତାକୁ ଓହ୍ଲାଇବା ସହ ୨୩ ଓ ୨୬ ତାରିଖରେ ରଣହୁଙ୍କାର ଦେବାକୁ ପ୍ରସ୍ତୁତି ଚଲାଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ତେଲିଘଣା ସ୍ଥିତ ସିମେଣ୍ଟ ପ୍ରକଳ୍ପର ସଂପ୍ରସାରଣ କରି କ୍ଲିଙ୍କର ଉତ୍ପାଦନ ବାର୍ଷିକ ୦.୧୬୫ ନିୟୁତ ମେଟ୍ରିକ୍ ଟନରୁ ବାର୍ଷିକ ୩.୦୦ ନିୟୁତ ଟନକୁ ବୃଦ୍ଧି କରିବା ଓ ସିମେଣ୍ଟ ଉତ୍ପାଦନ ବାର୍ଷିକ ୦.୨୫୨ ନିୟୁତ ଟନ୍ କରିବା ସହ ୧୨ ମେଗାୱାଟ କ୍ଷମତା ବିଶିଷ୍ଟ ବର୍ଜ୍ୟବସ୍ତୁ ଉତାପ ଶକ୍ତି ପ୍ରକଳ୍ପ ପ୍ରତିଷ୍ଠା କରିବା ନିମନ୍ତେ ପରିବେଶୀୟ ମଞ୍ଜୁରୀ ପାଇଁ ୨୬ ତାରିଖରେ ତେଲିଘଣା ଆମ୍ବ ବଗିଚାଠାରେ ଜନଶୁଣାଣି ପାଇଁ ନୋଟିସ ଜାରି କରାଯାଇଛି । ସେହିପରି ଖତକୁରବାହାଲ ଓ ଫଲସାକାନି ଗ୍ରାମରେ ୧୫୬.୪୩ ହେକ୍ଟର ପରିମିତ ଖଣି ଲିଜ ଅଞ୍ଚଳରେ ଅବସ୍ଥିତ ଖତକୁରବାହାଲ ଚୂନପଥର ଖଣିରୁ ବାର୍ଷିକ ୧.୬ ନିୟୁତ ଟନ୍ ଚୂନପଥର ଉତ୍ତୋଳନ, ବାର୍ଷିକ ୦.୦୩୫ ନିୟୁତ ଟନ୍ ମିନେରାଲ, ବାର୍ଷିକ ୦.୦୩୩ ନିୟୁତ ଟନ୍ ଟପ୍ ମୃତ୍ତିକା ଓ ବାର୍ଷିକ ୩.୮୭୫ ନିୟୁତ ଟନ୍ ଆବର୍ଜନା ସହିତ ୮୦୦ ଟିପିଏଚ୍ କ୍ଷମତା ବିଶିଷ୍ଟ କ୍ଳବର ଓ ସ୍କ୍ରିନ୍ ପ୍ରତିଷ୍ଠା ନିମନ୍ତେ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଦ୍ବାରା ପରିବେଶୀୟ ମଞ୍ଜୁରୀ ପାଇଁ ଆସନ୍ତା ୨୩ ତାରିଖ ଖତକୁରବାହାଲ ଗ୍ରାମ ସ୍ଥିତ ଜଗନ୍ନାଥ ମନ୍ଦିର ପଛରେ ଜନଶୁଣାଣି କରିବାକୁ ସ୍ଥିର କରାଯାଇଛି। ତେବେ ଏହି ଜନଶୁଣାଣି ସଂପୂର୍ଣ୍ଣ କମ୍ପାନି ଓ ପ୍ରଶାସନର ଏକପାଖିଆ ନିଷ୍ପତ୍ତି ବୋଲି ଅଭିଯୋଗ କରି ସ୍ଥାନୀୟ ଜନସାଧାରଣ ଜିଲ୍ଲାପାଳଙ୍କୁ ଜନ ଶୁଣାଣି ବନ୍ଦ କରିବାକୁ ଲିଖିତ ଦାବି କରିଥିଲେ । ଏହିକ୍ରମରେ ସୋମବାର ଦିନ ରାଜରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିଥିଲେ ।

shivacement.com

ସେମାନଙ୍କ ଅଭିଯୋଗ ମୁତାବକ ଶିବା ସିମେଣ୍ଟ ୨୫ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଏଠାରେ ବେପାର କରୁଥିଲେ ହେଁ ଅଞ୍ଚଳର କୌଣସି ଆଖିଦୃଶିଆ ବିକାଶ କରିନାହିଁ। ନା ରାସ୍ତାଘାଟ ନା ପାନୀୟଜଳ, ନା ପରିମଳ , ନା ସ୍ବାସ୍ଥ୍ୟ ନା ପରିବେଶ କୌଣସି ଦିଗରେ କିଛି ବି କାମ କରିନି। ଅନ୍ୟପଟେ କାରଖାନା ଦ୍ବାରା ଚାଷ ଜମି ଉର୍ବରତା ହରାଉଛି । ପାନୀୟଜଳ ଦୂଷିତ ହେବା ସଙ୍ଗକୁ ଲୋକେ ନାନାଦି ରୋଗର ଶିକାର ହେଉଛନ୍ତି । ସ୍ଥାନୀୟ ସରଳ ଆଦିବାସୀଙ୍କ ଜମିକୁ ଶାଗ ମାଛ ଦରରେ ଦଲାଲ ମାଧ୍ୟମରେ ନେଇଯାଉଛି। ଯିଏ ଜମି ଦେବାକୁ ଅମଙ୍ଗ ହେଉଛି ତାଙ୍କୁ ଧମକ ଚମକ ଦିଆଯାଉଛି । ସ୍ଥାନୀୟ ଲୋକଙ୍କ ନିଯୁକ୍ତିର କୌଣସି ନିଶ୍ଚିତତା ନାହିଁ। ଏସ୍ଥିତିରେ ବାହାର ରାଜ୍ୟର ଲୋକଙ୍କୁ ଏଠାରେ ନିଯୁକ୍ତି ଦିଆଯାଉଛି । ଖଣି ଓ କାରଖାନା ଯୋଗୁଁ ଜଳବାୟୁ ଦୂଷିତ ହୋଇ ଜନଜୀବନ ପ୍ରତି ବିପଦ ଡାକି ଆଣିଥିବା ବେଳେ ସ୍ଥାନୀୟ ଜନସାଧାରଣ ବାରମ୍ବାର ଅଭିଯୋଗ କଲେ ହେଁ ପ୍ରଶାସନ ସଂପୂର୍ଣ୍ଣ ନିରବଦ୍ରଷ୍ଟା ସାଜିଥିବା ଲୋକେ ଅଭିଯୋଗ କରିଛନ୍ତି। ଅଞ୍ଚଳର ଅନିଲ ଏକ୍କା, ନେଏଲ କାଣ୍ଡୁଲାନା, ସୁନୀଳ ମିଞ୍ଜ, ସରୋଜ ସରୋନିଆଁ, ସୁଧିର ବାରବିଆ, ସରୋଜ ତରୁଆର, ସୁନୀଳ ତରୁଆର, ପୁସ୍ପା ତିର୍କୀ, ଧନିଆ ଧନୁୱାର, ସବିତା ମାଝି, ଫ୍ରିକସା ତିର୍କୀ, ଶାନ୍ତି ତିର୍କୀ, ଅଲମା ଟପ୍ପୋ, ସୁସ୍ମିତା ଟପ୍ପୋ, ରିତା ଟପ୍ପୋ, ଫିଲିସିଆ ତିର୍କୀ, ଅଲବିନା ତିର୍କୀ ପ୍ରମୁଖ ବ୍ୟକ୍ତି ବିଶେଷ ଜନଶୁଣାଣି ବାତିଲ କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର