ଜଣଙ୍କ ନାଁରେ ୱାରେଣ୍ଟ, ଅନ୍ୟ ଜଣକୁ ଜେଲ୍‌ ପଠାଇବା ଘଟଣା: ମାନବାଧିକାର କମିସନଙ୍କୁ ଭେଟିବେ ପରିବାର ଲୋକେ

ଘୁ.ଉଦୟଗିରି : କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ପୁଲିସ ସଂଜୀବ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ଥିବା ପୁରୁଣା ୱାରେଣ୍ଟ ତାମିଲ୍‌ କରିବାକୁ ଯାଇ ପ୍ରଭୁରଶ୍ମି ପ୍ରଧାନ ନାମକ ଅନ୍ୟ ଜଣେ ନିରୀହ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ଓ ପ୍ରଭୁରଶ୍ମି ଜେଲ୍‌ କାନ୍ଥ ଭିତରେ ଥିବା ଘଟଣାକୁ ନେଇ ଦୁଇ ଦିନ ହେଲା ଉତ୍ତେଜନା ପରିସ୍ଥିତି ଲାଗି ରହିଛି। ଥାନା ଅଧିକାରୀ ରେବତୀ ଶବର ପ୍ରତିକ୍ରିୟାରେ କହିଛନ୍ତି, ଯାହାକୁ ଗିରଫ କରାଯାଇଛି, ସେ ହିଁ ସଂଜୀବ। ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅଭିଯୁକ୍ତକୁ ଗିରଫ କରିଛି ବୋଲି ଥାନା ଅଧିକାରୀ ଶ୍ରୀମତୀ ଶବରଙ୍କ ଯୁକ୍ତି। ହେଲେ ସ୍ଥାନୀୟ ଲୋକ କିନ୍ତୁ ପୁଲିସର ଏଭଳି ପ୍ରତିକ୍ରିୟାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି। ପୁଲିସ ନିଜ ଭୁଲ ଲୁଚାଇବାକୁ ଲୋକଙ୍କୁ ଭୁଆଁ ବୁଲାଉଛି ବୋଲି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି।

ଗ୍ରାମବାସୀଙ୍କ ସମେତ ଗିରଫ ପ୍ରଭୁରଶ୍ମିଙ୍କ ପରିବାର, ସଂପର୍କୀୟ, ପଡ଼ୋଶୀଙ୍କ ଯୁକ୍ତି ହେଲ‌ା, ସେମାନେ ପ୍ରଭୁରଶ୍ମିଙ୍କୁ ଜନ୍ମରୁ ଜାଣିଛନ୍ତି। ପ୍ରଭୁରଶ୍ମିଙ୍କ ନାମ କେବେ ବି ସଂଜୀବ ନଥିଲା। ତାଙ୍କ ଡାକ ନାମ ଲଣ୍ଡା। ତଥାପି ପୁଲିସ ସଂଜୀବ ବୋଲି ଦର୍ଶାଇ କିଭଳି ପ୍ରଭୁରଶ୍ମିଙ୍କୁ ଗିରଫ କଲା? ପୁଲିସ କେଉଁ ବିଶ୍ବସ୍ତ ସୂତ୍ରରୁ ଜାଣିଲା, ପ୍ରଭୁରଶ୍ମି ହିଁ ସଂଜୀବ ବୋଲି? ଏହାର ପ୍ରତିବାଦରେ ଗତକାଲି ଗ୍ରାମର ଶତାଧିକ ପୁରୁଷ ମହିଳା ଓ ସ୍ଥଶନୀୟ ଜନପ୍ରତିନିଧି ଥାନା ଆଗରେ ବିକ୍ଷୋଭ କରିବା ସହ ଏ ଘଟଣାର ଳନିରପେକ୍ଷ ତଦନ୍ତ ଦାବି କରିଥିଲେ। ପରିବାର ଲୋକ ଘଟଣାର ନିରପେକ୍ଷ ତଦନ୍ତ ଦାବି କରି ମାନବାଧିକାର କମିସନଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ପୁଲିସ ଯଦି ଭୁଲ ବ୍ୟକ୍ତିଙ୍କୁ ଗିରଫ କରିଥାଏ, ଦୋଷୀ ପୁଲିସ ଅଫିସରଙ୍କ ବିରୋଧରେ ମଧ୍ୟ ଆଇନର ଆଶ୍ରୟ ନେବେ ବୋଲି  କହିଛନ୍ତି।

ଏ ଘଟଣାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପୁଲିସ ନିର୍ଦୋଷ ବ୍ୟକ୍ତିଙ୍କୁ ଗିରଫ କରିନାହିଁ ବୋଲି ସ୍ପଷ୍ଟ କରିଛି। ସେପଟେ ଗ୍ରାମବାସୀ ଯେଉଁ ପ୍ରଶ୍ନ ଉଠାଇଛନ୍ତି, ତାହାର ସତ୍ୟତା ଜାଣିବା ପାଇଁ ‘ସମ୍ବାଦ’ ପ୍ରତିନିଧି ଗ୍ରାଉଣ୍ଡ ଜିରୋରେ ପହଞ୍ଚି ଅନୁଧ୍ୟାନ କରିଥିଲେ। ସାହିପଡ଼ୋଶୀଙ୍କ ସମେତ ଗାଁ ଲୋକଙ୍କୁ ଭେଟିବା ସହ ଗିରଫ ହୋଇ ଜେଲ୍‌ରେ ଥିବା ପ୍ରଭୁରଶ୍ମିଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ପ୍ରଭୁରଶ୍ମିଙ୍କ ପରିବାର ଲୋକଙ୍କ କହିବା ହେଲା ଗତ ୨୮ତାରିଖ ଦିନ ସ୍ଥାନୀୟ ପୁଲିସ ଟିମ୍‌ ତାଙ୍କ ଲେବଗୁଡ଼ା ଗାଁ ଘରେ ପହଁଚି ପ୍ରଭୁରଶ୍ମିଙ୍କୁ ତମ ନାଁ ସଂଜୀବ କି ବୋଲି ପଚାରିଥିଲେ। ସେ ମନା କରିବା ସହ ତାଙ୍କ ନାଁ ପ୍ରଭୁରଶ୍ମି ପ୍ରଧାନ ବୋଲି କହିଥିଲେ। ତାହା ହେଲେ ସଂଜୀବ ପ୍ରଧାନ କିଏ ଜାଣିଛ କି ବୋଲି ପୁଲିସ ପଚାରିଥିଲେ।

ସେ ଜାଣି ନଥିବା କହିବାରୁ, ଠିକ୍‌ ଅଛି ତମେ ଆମ ସହ ଥାନାକୁ ଚାଲ ଆମେ ତୁମ କାଗଜପତ୍ର ଯାଞ୍ଚ କରି ତମକୁ ଛାଡ଼ିଦେବୁ କହି ଥାନାକୁ ନେଇ ଯାଇଥିଲେ। ଥାନାରେ ପହଞ୍ଚି ସଙ୍ଗେ ସଙ୍ଗେ ମେଡ଼ିକାଲ ଟେଷ୍ଟ୍‌ କରାଇ ସଂଜୀବ ପ୍ରଧାନ ଓରଫ ପ୍ରଭୁରଶ୍ମି ପ୍ରଧାନ ବୋଲି କାଗଜପତ୍ର ପ୍ରସ୍ତୁତ କରି କୋର୍ଟ ଚାଲାଣ କରିଦେଲେ। ପ୍ରଭୁରଶ୍ମି ବାରମ୍ବାର ତାଙ୍କ ନାଁ’ରେ କେବେ କୌଣସି ମାମଲା ଓ ୱାରେଣ୍ଟ ନାହିଁ କହି ଯେତେ ନେହୁରା ହେଲେ ବି ପୁଲିସ କିଛି ଶୁଣି ନଥିଲା ବୋଲି କହିଛନ୍ତି।

୨୦୦୮ରେ ଏକ ଦଙ୍ଗା ମାମଲା, ଜିଆର୍‌ କେସ୍‌ ନଂ-୩୫୬(ଏଫ୍‌)/୨୦୦୮ର ଏହି ୱାରେଣ୍ଟଟି ସଂଜୀବ ପ୍ରଧାନ, ପିତା: ରାଜବନ ପ୍ରଧାନ, ଗ୍ରାମ: ବାନ୍ଦାଗୁଡା ବୋଲି କୋର୍ଟ କାଗଜପତ୍ରରେ ଦର୍ଶାଯାଇଛି। ଏହି ୱାରେଣ୍ଟ ଦସ୍ତାବିଜ ଅନୁସାରେ ସଂଯୋଗ କ୍ରମେ କେବଳ ବାପାଙ୍କ ନାଁ ମେଳ ଖାଉଥିବା ବେଳେ ଅଭିଯୁକ୍ତର ନାଁ ଏବଂ ଗାଁର ନାଁ ମେଳ ଖାଉ ନାହିଁ। ପୁଲିସ ଏ ସବୁ ଭଲଭାବେ ଯାଞ୍ଚ ନ କରି କିଭଳି ପ୍ରଭୁରଶ୍ମିଙ୍କୁ ଆଖି ବୁଜି ଗିରଫ କରି କୋର୍ଟ ଚାଲାଣ କରିଦେଲେ ବୋଲି ସେମାନେ ଅଭିଯୋଗ କରିଛନ୍ତି। ‌ତେବେ ପ୍ରଭୁରଶ୍ମିଙ୍କ ମାଟ୍ରିକ ସାର୍ଟିଫିକେଟ, ଆଧାର କାର୍ଡ଼, ଭୋଟ ପରିଚୟପତ୍ର, ଛୁଆର ବିଦ୍ୟାଳୟ ପ୍ରବେଶିକା ପତ୍ର ସମସ୍ତ କାଗଜପତ୍ରରେ ପ୍ରଭୁରଶ୍ମି ପ୍ରଧାନ ରହିଥିବା ବେଳେ ସଂଜୀବ ବୋଲି କେଉଁଠି ନାଁ ଗନ୍ଧ ନାହିଁ। ଏତେସବୁ ସତ୍ତ୍ବେ ପ୍ରଭୁରଶ୍ମି ପୁଲିସ ଫାଇଲ୍‌ରେ ହଠାତ୍‌ ସଂଜୀବ କେମିତି ହୋଇଗଲେ ବୋଲି ଗ୍ରାମବାସୀଙ୍କ ଯୁକ୍ତି।

ଏ ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇ କନ୍ଧମାଳ ଜିଲ୍ଲା ପରିଷଦ ଉପସଭାପତି ସାଧବାଣୀ ନାୟକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଜଣକ ନାଁ’ରେ ୱାରେଣ୍ଟ ଥିବା ବେଳେ ଅନ୍ୟ ଜଣକୁ ଗିରଫ କରି ତରବରିଆ ଭାବେ କୌଣସି ଯାଞ୍ଚ ନକରି କୋର୍ଟ ଚାଲାଣ କରିଦେବା ଭଳି ପୁଲିସର ବେପରୁଆ କାର୍ଯ୍ୟକୁ ସେ ଦୃଢ଼ ଭାବେ ନିନ୍ଦା କରିଛନ୍ତି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର