ବ୍ରହ୍ମପୁର: ନିଖୋଜ ନୌସେନା ଅଧିକାରୀ ସୌରଭ କୁମାର ପାତ୍ରଙ୍କ ନାଁରେ କୋଚି ନାଭାଲ୍ ୱିଙ୍ଗ୍ ପକ୍ଷରୁ ୱାରେଣ୍ଟ୍ ଜାରି କରାଯାଇଛି। ୱାରେଣ୍ଟ୍ର ଏକ କପି ବ୍ରହ୍ମପୁର ଟାଉନ୍ ଥାନା ପୁଲିସ ନିକଟକୁ ଆସିଥିବା ଥାନାଧିକାରୀ ପ୍ରକାଶ କରିଛନ୍ତି। ନିର୍ଦ୍ଧାରିତ ଛୁଟି ସମୟ ପରେ ବି ସୌରଭ ନିଜ କର୍ମସ୍ଥଳରେ ଯୋଗ ଦେଇନଥିବାରୁ ନାଭାଲ୍ ପକ୍ଷରୁ ୱାରେଣ୍ଟ୍ ଜାରି କରାଯାଇଥିବା ସୂଚନା ମିଳିଛି। ଅପର ପକ୍ଷରେ ନୌସେନା ଅଧିକାରୀ ସୌରଭ ନିଖୋଜ ହେବାର ୧୮ଦିନ ପରେ ବି ତାଙ୍କର କୌଣସି ପତ୍ତା ମିଳୁନାହିଁ। ନିଖୋଜକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି। ବ୍ରହ୍ମପୁର ଗେଟ୍ବଜାର ନିବାସୀ ଯୁବ ନୌସେନା ଅଫିସର୍ ସୌରଭ କୁମାର ପାତ୍ର ଗତମାସ ୧୯ ତାରିଖ ଦିନ ନିଖୋଜ ହୋଇଯାଇଥିଲେ। ସେ ନିଜ କର୍ମସ୍ଥଳକୁ ଯିବା ପାଇଁ ବ୍ରହ୍ମପୁରରୁ ବିଶାଖାପାଟଣା ଟ୍ରେନ୍ ଯୋଗେ ଯାଉଥିବା ବେଳେ ହଠାତ୍ ତାଙ୍କ ମୋବାଇଲ୍ ସୁଇଚ୍ ଅଫ୍ ହୋଇଯାଇଥିଲା।
ପରିବାରବର୍ଗ ଏନେଇ ପୁଲିସରେ ଖବର ଦେବା ପରେ ପୁଲିସ ପକ୍ଷରୁ ଏକ ନିଖୋଜ ମାମଲା ରୁଜୁ କରାଯାଇ ତନାଘନା କରାଯାଇଥିଲା। ତେବେ ପୁଲିସ ତଦନ୍ତ ବେଳେ ସୌରଭ ଇଚ୍ଛାପୁର ଷ୍ଟେସନ୍ରୁ ଓହ୍ଲାଇ ବ୍ରହ୍ମପୁର ଫେରିଥିବା ଏବଂ ବ୍ରହ୍ମପୁରରୁ ଏକ ବସ୍ ଯୋଗେ ଭୁବନେଶ୍ବର ଯାଇଥିବା ଜାଣିବାକୁ ପାଇଥିଲା। ତେବେ ସୌରଭ କାହିଁକି ଅଧରାସ୍ତାରୁ ଟ୍ରେନ୍ରୁ ଓହ୍ଲାଇ ଭୁବନେଶ୍ବର ଗଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ। ସୌରଭ ୨୦୧୯ରେ ନୌସେନାରେ ନିଯୁକ୍ତି ପାଇଥିଲେ। କେରଳର କୋଚି ଆଇଏନ୍ଏସ୍ ଗରୁଡ଼ରେ ତାଙ୍କୁ ନିଯୁକ୍ତି ମିଳିଥିଲା। ୨୦୨୪ ଡିସେମ୍ବର ୨୮ରେ ସେ ଘରକୁ ଛୁଟିରେ ଆସିଥିଲେ। ଜାନୁଆରି ୧୯ରେ ତାଙ୍କର କୋଚି ଫେରିବା ପାଇଁ ଟ୍ରେନ୍ରେ ଚଢ଼ିଥିଲେ। ତେବେ ପୁଲିସ ତଦନ୍ତ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଥିଲା। ଗତ ଫେବ୍ରୁଆରିରେ ସୌରଭଙ୍କ ପଦୋନ୍ନତି ହୋଇଥିଲା। ଏଥିରେ ତାଙ୍କ ସର୍ଭିସ୍ ବୁକ୍ ଅପ୍ଡେଟ୍ ହୋଇଥିଲା। ତେବେ ସର୍ଭିସ୍ ବୁକ୍ରେ ରହିଥିବା ତଥ୍ୟରେ ଭୁଲ ରହିଥିବା ନେଇ ପୁଲିସ ସୂଚନା ପାଇଥିଲା। ଏଭଳିକି ତାଙ୍କ ବାପାଙ୍କ ୨୦୦୮ରେ ମୃତ୍ୟୁ ହୋଇଥିବା ବେଳେ ସର୍ଭିସ୍ ବୁକ୍ରେ ଜୀବିତ ଥିବା ଦର୍ଶାଯାଇଥିବା ତଦନ୍ତ ବେଳେ ଜଣାପଡ଼ିଥିଲା। ତେବେ ସୌରଭଙ୍କ ନିଖୋଜର କାରଣ ଅସ୍ପଷ୍ଟ ରହିଛି।