ରାଜ୍ୟ କ୍ରାଇମବ୍ରାଞ୍ଚ ତରଫରୁ ଜାମିନ୍ ବିହୀନ ଗିରଫ ପରୱାନା ଗୁଡିକୁ କାର୍ଯ୍ୟକାରୀ କରିବାକୁ ଏକ ସ୍ୱତନ୍ତ୍ର ଅଭିଯାନ

କଟକ : ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ କ୍ରାଇମବ୍ରାଞ୍ଚ ତରଫରୁ ଜାମିନ୍ ବିହୀନ ଗିରଫ ପରୱାନା ଗୁଡିକୁ କାର୍ଯ୍ୟକାରୀ କରିବାକୁ ଏକ ସ୍ୱତନ୍ତ୍ର ଅଭିଯାନ ତା ୨୭.୦୧.୨୦୨୦ ଠାରୁ ୪.୨.୨୦୨୦ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଆରମ୍ଭ କରାଯାଇଥିଲା। ଏହି ସ୍ୱତନ୍ତ୍ର ଅଭିଯାନ ଖୁବ୍ ସନ୍ତୋଷଜନକ ଥିଲା। ଏହି ସମୟ ମଧ୍ୟରେ ୫୧୨୧ ଟି ଜ‌ାମିନ୍ ବିହୀନ ପରୱାନାକୁ କାର୍ଯ୍ୟକାରୀ କରାଯାଇପାରିଥିଲା। ବର୍ଷ ୨୦୧୯ରେ ସମୁଦାୟ ୧୬,୪୯୯ ଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ କରାଯାଇଥିବା ବେଳେ ସ୍ୱତନ୍ତ୍ର ଅଭିଯାନର ଏହି ସ୍ୱଳ୍ପ ସମୟ ମଧ୍ୟରେ ୫୧୨୧ ଟି ପରୱାନାକୁ କାର୍ଯ୍ୟକାରୀ କରିବା ନିଶ୍ଚିତ ପୁଲିସ ପାଇଁ ଏକ ସଫଳତା। ନ୍ୟାୟାଳୟରେ ମାମଲା ଗୁଡିକର ବିଚାର ସମୟରେ ୱାରେଣ୍ଟର କାର୍ଯ୍ୟକାରିତା ଖୁବ୍ ସହାୟକ ହୋଇଥାଏ।

ଏହି ସ୍ୱତନ୍ତ୍ର ଅଭିଯାନ ଫଳରେ କାର୍ଯ୍ୟକାରୀ ହୋଇନଥିବା ଜାମିନ୍ ବିହୀନ ପରୱାନା ସଂଖ୍ୟାରେ ୨୦ ପ୍ରତିଶତ ହ୍ରାସ ଘଟିଛି। ସ୍ୱତନ୍ତ୍ର ଅଭିଯାନର ଆରମ୍ଭରେ କାର୍ଯ୍ୟକାରୀ ହୋଇନଥିବା ଏନ୍.ବି.ଡବ୍ଲ୍ୟୁର ସଂଖ୍ୟା ଥିଲା ୩୯,୨୫୪। ଅଭିଯାନ ସମୟରେ ଆଉ ୧୬୮୫ ଟି ନୂଆ ପରୱାନା ଗ୍ରହଣ କରାଯାଇଥିଲା। ଏହି ସ୍ୱତନ୍ତ୍ର ଅଭିଯାନ ସମୟରେ ୫୧୨୧ ଟି ପରୱାନା କାର୍ଯ୍ୟକାରୀ ହୋଇଥିବା ବେଳେ ୪୩୩୩ ଟି ଏନ୍.ବି.ଡବ୍ଲ୍ୟୁର ଅନ୍ୟ ଉପାରେ ସମାଧାନ କରାଯାଇଛି। ସ୍ୱତନ୍ତ୍ର ଅଭିଯାନ ଶେଷ ସୁଦ୍ଧା କାର୍ଯ୍ୟକାରୀ ହୋଇନଥିବା ଏନ୍.ବି.ଡବ୍ଲ୍ୟୁର ସଂଖ୍ୟା ୩୧,୪୮୨ କୁ ଖସିଛି।

ଏହି ସ୍ୱତନ୍ତ୍ର ଅଭିଯାନ ସମୟରେ ଅନେକ ଜିଲ୍ଲାର ଆରକ୍ଷୀ ଅଧିକ୍ଷକମାନେ ଦୃଷ୍ଟାନ୍ତ ମୂଳକ ନେତୃତ୍ବ ପ୍ରଦର୍ଶନ କରି ବହୁ ସଂଖ୍ୟାରେ ଏନ୍.ବି.ଡବ୍ଲ୍ୟୁ ଗୁଡିକୁ କାର୍ଯ୍ୟକାରୀ କରିବାକୁ ବ୍ୟାପକ ଉଦ୍ୟମ କରିଥିଲେ। ଗଞ୍ଜାମ ଜିଲ୍ଲା ପୁଲିସ ସବୁଠାରୁ ଅଧିକ ୭୩୩ ଟି ଏନ୍.ବି.ଡବ୍ଲ୍ୟୁ କାର୍ଯ୍ୟକାରୀ କରିଥିବା ବେଳେ କୋରାପୁଟ ଜିଲ୍ଲା ପୁଲିସ ୪୧୭ ଟି ଏନ୍.ବି.ଡବ୍ଲ୍ୟୁ କାର୍ଯ୍ୟକାରୀ କରିଛନ୍ତି।‌ ସେହିପରି ଖୋର୍ଦ୍ଧା ଜିଲ୍ଲା ପୁଲିସ ଏହି ସମୟରେ ୩୫୫ ଟି ଏନ୍.ବି.ଡବ୍ଲ୍ୟୁକୁ କାର୍ଯ୍ୟକାରୀ କରିଛନ୍ତି। ଯେଉଁ ଜିଲ୍ଲାମାନେ ୨୦୦ ରୁ ଅଧିକ ଏନ୍.ବି.ଡବ୍ଲ୍ୟୁକୁ କାର୍ଯ୍ୟକାରୀ କରିବାରେ ସଫଳ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ରାପଡା, କଟକ, କେନ୍ଦୁଝର, ଯାଜପୁର ଏବଂ ମୟୂରଭଞ୍ଜ। ଗଞ୍ଜାମ, କୋରାପୁଟ ଓ ଖୋର୍ଦ୍ଧା ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଏବଂ କେନ୍ଦ୍ରାଞ୍ଚଳ ପୁଲିସ ରେଂଜର ପୁଲିସ ଡିଆଇଜିଙ୍କୁ ସେମାନଙ୍କ ସଫଳତା ପାଇଁ ରାଜ୍ୟ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ପ୍ରଶଂସା ପତ୍ର ପ୍ରଦାନ କରି ଉତ୍ସାହିତ କରିଛନ୍ତି।

ସମ୍ବନ୍ଧିତ ଖବର