ଥାନା ପରିସରରେ ଖେଳାଉଥିଲେ; ସାପ ଚୋଟରେ ଧରାଳିଙ୍କ ପ୍ରାଣଗଲା

ସୁବଳୟା: ବିଷଧର ସାପ କାମୁଡ଼ାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ମେଣ୍ଢାମାଳ ଗାଁର ସାପ ଧରାଳି ଗୌର କୁମ୍ଭାରଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ସାପ ଧରାଳି ଗୌର ସୋମବାର ଦିନ ଚମ୍ପାମାଳ ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଏକ ନାଗସାପକୁ ଉଦ୍ଧାର କରିଥିଲେ। ସାପକୁ ଏକ ପ୍ଲାଷ୍ଟିକ୍‌ ଡବାରେ ବନ୍ଦ କରି ନିକଟସ୍ଥ ଜଙ୍ଗଲରେ ଛାଡ଼ିବାକୁ ଯାଉଥିଲେ। ତାଙ୍କର କିଛି ପରିଚିତ ବ୍ୟକ୍ତି ଥାନାରେ ଥିବା ଦେଖି ସେ ସାପକୁ ଧରି ସେଠାକୁ ଯାଇଥିଲେ। ସେମାନଙ୍କ ସହିତ କଥାବାର୍ତ୍ତା ହୋଇ ଫେରୁଥିବା ସମୟରେ ଥାନାରେ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ଆଗରେ ସାପକୁ ଜାର୍‌ରୁ ବାହାର କରି ଦେଖାଇଥିଲେ।

ପରେ ପୁଣି ଡବା ଭିତରେ ଭରିବା ସମୟରେ ସାପଟି ଗୌରଙ୍କ ହାତରେ ଶକ୍ତ ଚୋଟ ମାରିଥିଲା। ତୁରନ୍ତ ଗୌରଙ୍କୁ ପୁଲିସ ଉଦ୍ଧାର କରି ପିସିଆର୍‌ ଭ୍ୟାନ ସାହାଯ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ସୂଚନା ଅନୁସାରେ, ପ୍ରାୟ ୧୫ ବର୍ଷ ହେବ ଗୌର ବୀରମହାରାଜପୁର ଆଖପାଖ ଅଞ୍ଚଳରେ ସାପ ଧରାଳି ଭାବେ ପରିଚିତ ଥିଲେ। ବିଭିନ୍ନ ଘରକୁ ଯାଇ ବିଭିନ୍ନ ସମୟରେ ସାପକୁ ଉଦ୍ଧାର କରି ସୁରକ୍ଷିତ ଛାଡ଼ି ଦେଉଥିଲେ। ଗୌର ସାପ ଧରିବାର କୌଣସି ତାଲିମ୍‌ ନେଇନଥିଲେ। ତଥାପି ସାପ ଧରି ଲୋକଙ୍କୁ ସାହାଯ୍ୟ କରୁଥିଲେ। ହେ‌ଲେ, ଆଜି ସାମାନ୍ୟ ଅସାବଧାନତା ଯୋଗୁଁ ସାପ କାମୁଡ଼ାରେ ତାଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର