ୱାସିମ୍ ଜାଫର ହେଲେ ଓଡ଼ିଶା କ୍ରିକେଟ ଦଳର କୋଚ୍‌

ଭୁବନେଶ୍ୱର: ୱାସିମ୍ ଜାଫର ଓଡ଼ିଶା କ୍ରିକେଟ ଦଳର କୋଚ୍ ଭାବେ ନିଯୁକ୍ତ ହୋଇଛନ୍ତି । ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହା ପୂର୍ବରୁ ୱାସିମ୍ ଜାଫର ଉତ୍ତରାଖଣ୍ଡର କୋଚ ଭାବେ ଦାୟିତ୍ୱ ତୁଲାଇଥିଲେ । ଉଭୟ ପ୍ରଥମ ଶ୍ରେଣୀ ଓ ଅନ୍ତର୍ଜାତୀୟ କ୍ରିକେଟରେ ସେ ହେଉଛନ୍ତି ଜଣେ ବଡ଼ ଚେହେରା । ତେଣୁ ଓଡ଼ିଶା ରଣଜୀ ଟିମ୍‌କୁ ତାଙ୍କର ଅଭିଜ୍ଞତା ସୁହାଇବ ବୋଲି ଆଶା କରାଯାଉଛି । ସୂଚନାଯୋଗ୍ୟ ୪୩ ବର୍ଷୀୟ ୱାସିମ୍ ଜାଫର ୩୧ଟି ଟେଷ୍ଟ ମ୍ୟାଚ୍ ଓ ୨ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି ।

ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ୱାସିମ ଜାଫର ୧୯୭୮ ମସିହା ଫେବ୍ରୁଆରି ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଡାହାଣହାତୀ ବ୍ୟାଟ୍‌ସମ୍ୟାନ । ୨୦୦୦ ମସିହା ଫେବ୍ରୁଆରି ୨୪ରେ ଭାରତୀୟ ଦଳରେ ସାମିଲ ହୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ । ୨୦୦୮ ଏପ୍ରିଲ ୧୧ରେ ସେ ଶେଷ ଟେଷ୍ଟ ମ୍ୟାଚ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ । ବର୍ଷ ୨୦୦୬ ନଭେମ୍ବର ୨୨ରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଦିନିକିଆ ଖେଳିଥିବା ବେଳେ ତାଙ୍କର ଅନ୍ତିମ ଦିନିକିଆ ସେହିବର୍ଷ ନଭେମ୍ବର ୨୬ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଥିଲା ।

ସମ୍ବନ୍ଧିତ ଖବର