ନୀଳଗିରି: ଝିଅ ବାହାଘରରେ ୱାସିଂ ମେସିନ୍ ଦେଲେନି ବୋଲି ସମନ୍ୱିତ ଶିଶୁ ବିକାଶ ବିଭାଗର ମଣ୍ଡଳ ପରିଦର୍ଶିକା ଜଣେ କ୍ୟାନ୍ସର ପୀଡ଼ିତା ଅଙ୍ଗନବାଡ଼ି କର୍ମୀଙ୍କୁ ବୈଠକରୁ ବାହାରିଯିବାକୁ କହିଛନ୍ତି। କେବଳ ସେତିକି ନୁହେଁ, ୨ ଘଣ୍ଟା କାଳ ତାଙ୍କୁ ଖରାରେ ଛିଡ଼ା କରାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ୍ ନୟାପାଟଣା ଅଙ୍ଗନବାଡ଼ି କେନ୍ଦ୍ରରେ ସମନ୍ୱିତ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ସନ୍ତରାଗଡ଼ିଆ ମଣ୍ଡଳ ବୈଠକ ଥିଲା। ମଣ୍ଡଳ ପରିଦର୍ଶିକା ଅଗଣି ଜେନାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ବୈଠକରେ ୧୯ ଜଣ ଅଙ୍ଗନବାଡ଼ି କର୍ମୀ ଅଂଶଗ୍ରହଣ କରିଥିଲେ। ତେବେ ବୈଠକ ଚାଲିଥିବା ବେଳେ ମଣ୍ଡଳ ପରିଦର୍ଶିକା ଶ୍ରୀମତୀ ଜେନା କ୍ୟାନ୍ସର୍ ପୀଡ଼ିତା ସିକିଡ଼ିଆ ଅଙ୍ଗନବାଡ଼ି କର୍ମୀ ନିକୁଞ୍ଜବାସିନୀ ରଥଙ୍କୁ ବିଭିନ୍ନ କଟୁ କଥା କହିବା ସହ ଗାଳିଗୁଲଜ କରିଥିଲେ ଏବଂ ବୈଠକ ଛାଡ଼ି ବାହାରେ ଛିଡ଼ା ହେବାକୁ କହିଥିଲେ। ଫଳରେ ନିକୁଞ୍ଜବାସିନୀ ଅଙ୍ଗନବାଡ଼ି କେନ୍ଦ୍ର ବାହାରେ ଖରାରେ ଛିଡ଼ା ହୋଇଥିଲେ।
ଜଣେ କ୍ୟାନ୍ସର୍ ପୀଡ଼ିତା ଅଙ୍ଗନବାଡ଼ି କର୍ମୀ ୨ ଘଣ୍ଟାରୁ ଅଧିକ ସମୟ ଖରାରେ ଛିଡ଼ା ହୋଇଥିବା ଦେଖି ସ୍ଥାନୀୟ ଲୋକେ ଅଙ୍ଗନବାଡ଼ି ସଂଘକୁ ଖବର ଦେଇଥିଲେ। ପରେ ସଂଘ ସଭାପତି ଜମ୍ବୁବତୀ ମହାନ୍ତି ସେଠାରେ ପହଞ୍ଚି ନିକୁଞ୍ଜବାସିନୀଙ୍କୁ ନେଇ ଛାଇରେ ବସାଇଥିଲେ। ନିକୁଞ୍ଜବାସିନୀଙ୍କ ଅଭିଯୋଗ ମୁତାବକ, ମଣ୍ଡଳ ପରିଦର୍ଶିକା ଶ୍ରୀମତୀ ଜେନା ତାଙ୍କ ଝିଅ ବାହାଘରରେ ଏକ ୱାସିଂ ମେସିନ୍ ଉପହାର ସ୍ବରୂପ ଦେବାକୁ କହିଥିଲେ। ହେଲେ ନିକୁଞ୍ଜବାସିନୀ ସମର୍ଥ ହୋଇ ନଥିଲେ। ଫଳରେ ମଣ୍ଡଳ ପରିଦର୍ଶିକା ଶ୍ରୀମତୀ ଜେନା ଆକ୍ରୋଶ ରଖି ତାଙ୍କ ପ୍ରତି ଏପରି ବ୍ୟବହାର କରିଥିବା ନିକୁଞ୍ଜବାସିନୀ ଅଭିଯୋଗ କରିଛନ୍ତି। ଅଭିଯୋଗ ବାବଦରେ ମଣ୍ଡଳ ପରିଦର୍ଶିକା ଶ୍ରୀମତୀ ଜେନାଙ୍କୁ ପଚରାଯିବାରୁ ସେ ବୈଠକରେ କାହାକୁ ରଖିବେ, କାହାକୁ ନ ରଖିବେ; ତାହା ତାଙ୍କର ନିଷ୍ପତ୍ତି ବୋଲି କହିଥିବାବେଳେ ଅଧିକ କିଛି ଉତ୍ତର ନ ଦେଇ ଚାଲିଯାଇଥିଲେ। ଏ ସଂପର୍କରେ ସିଡିପିଓ ଜୟଶ୍ରୀ ସିଟ୍ଙ୍କ ମତାମତ ନିଆଯାଇଥିଲା। ସେ କହିଛନ୍ତି, ଘଟଣା ବାବଦରେ ତଦନ୍ତ ହେବ। ଯିଏ ଦୋଷୀ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।