ଭୁବନେଶ୍ବର : ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ କଠିନ ବର୍ଜ୍ୟବସ୍ତୁ ଏକ ଗୁରୁତର ସମସ୍ୟା ସୃଷ୍ଟି କଲାଣି। ଏହାକୁ ପରିଚାଳନା କରିବା ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ବର୍ଜ୍ୟବସ୍ତୁ ପରିଚାଳନାକୁ ଜୀବନରେ ଏକ ଅଭ୍ୟାସରେ ପରିଣତ କରିବା ପାଇଁ ସ୍କୁଲ୍‌ ପାଠ୍ୟକ୍ରମରେ ଏହାକୁ ସ୍ଥାନ ଦିଆଯିବ। ଏହା ସହ ପ୍ରତି ୱାର୍ଡ ଓ ବାସଗୃହରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ବିଷୟରେ ସଚେତନତା ସୃଷ୍ଟି ସହ ନିୟମଗୁଡ଼ିକ କଡ଼ାକଡ଼ି ଲାଗୁ କରାଯିବ। ଆଜି ସହରାଞ୍ଚଳରେ କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ଅଗ୍ରଗତିର ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଲୋକସେବା ଭବନରେ ଆଜି ଆୟୋଜିତ ଏହି ସମୀକ୍ଷା ବୈଠକରେ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥିଭାଥାନନ୍‌ ଓଡ଼ିଶାର ୧୧୪ଟି ସହରାଞ୍ଚଳ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ବନ୍ଧିତ ପ୍ରଶାସନିକ, ବୈଷୟିକ ଓ ଆର୍ଥିକ ବିଷୟବସ୍ତୁ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ। ୧୧୪ଟି ସହରାଞ୍ଚଳରେ ୨୦୨୪ ୱାର୍ଡ ରହିଛି ଓ ସେଠାରୁ ହାରାହାରି ପ୍ରାୟ ୨୫୭୫ ଟନ୍ ବର୍ଜ୍ୟବସ୍ତୁ ବାହାରୁଛି। ଓଡ଼ିଶାରେ ଘର ପିଛା ହାରାହାରି ୩୦୦ ଗ୍ରାମ୍ ବର୍ଜ୍ୟବସ୍ତୁ ବାହାରୁଛି ଓ ଏହା ଜାତୀୟ ହାର ଠାରୁ କମ୍ ରହିଛି। ଏହାର ପରିଚାଳନା ପାଇଁ ମୁଖ୍ୟତଃ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ୍‌ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ସୂଚନା ଦେଇଥିଲେ, ବିଭିନ୍ନ ସହରାଞ୍ଚଳରେ ବର୍ତ୍ତମାନ ସୁଦ୍ଧା ୧୨୦୦ ‌ସ୍ବଚ୍ଛ ସାଥୀଙ୍କୁ ଏହ କାର୍ଯ୍ୟରେ ସାମିଲ କରାଯାଇଛି ଓ ଏଥି ପାଇଁ ସେମାନଙ୍କୁ ଦୁଇଟି ପର୍ଯ୍ୟାୟରେ ଉତ୍ତମ ମାନର ପ୍ରଶିକ୍ଷଣ ଦିଆଯାଇଛି। ଜଣେ ସ୍ବଚ୍ଛ ସାଥୀ ପ୍ରାୟ ୬୦୦ ବାସଗୃହ ଦାୟିତ୍ବରେ ରହିବେ ଓ ୪ ଜଣ ସ୍ବଚ୍ଛ ସାଥୀଙ୍କ କାର୍ଯ୍ୟକୁ ଜଣେ ସୁପର୍‌ଭାଇଜର୍ ତଦାରଖ କରିବେ। ବ୍ୟାପକ ସଚେତନତା ପାଇଁ ସହରାଞ୍ଚଳର ପ୍ରତ୍ୟେକ ୱାର୍ଡରେ ହୋର୍ଡିଂ ଲାଗିବ। ସଚେତନ କାର୍ଯ୍ୟକ୍ରମ ନିୟମକୁ କଡ଼ାକଡ଼ି ଲାଗୁ କରିବା ସହ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲେ। ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ଶାସନ ସଚିବ ମୋନା ଶର୍ମା, ରାଜସ୍ବ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ଧଳ, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଦେଓ ରଞ୍ଜନ କୁମାର ସିଂହ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖସଚିବ ଜି ମାଥିଭାଥାନନ୍‌ଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।