ସାଲେପୁର: ପ୍ରତି ପଞ୍ଚାୟତରେ ବର୍ଜ୍ୟବସ୍ତୁ ପରିଚାଳନା ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ। ପଲିଥିନର କୁପ୍ରଭାବ ସଂପର୍କରେ ଲୋକଙ୍କ ମଧ୍ୟ‌ରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ। ଏ ପ୍ରସଙ୍ଗ ବିଧାନସଭାରେ ମଧ୍ୟ ଉତ୍‌ଥାପନ କରାଯିବ ବୋଲି ସାଲେପୁର ନିର୍ବାଚନମଣ୍ଡଳୀର ଗୋପୀନାଥପୁରରେ ଆୟୋଜିତ ପରିବେଶ ପଞ୍ଚାୟତରେ ପ୍ରତିଶ୍ରୁତି ଦେଇଛନ୍ତି ବିଧାୟକ ପ୍ରଶାନ୍ତ ବେହେରା।

Advertisment

କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକ ଶ୍ରୀ ବେହେରା କହିଥିଲେ ଯେ ବର୍ତ୍ତମାନ ସମୟରେ ପରିବେଶର ସୁରକ୍ଷା ସମଗ୍ର ବିଶ୍ବରେ ଚିନ୍ତାର କାରଣ ହୋଇଛି। ଏହା ସମଗ୍ର ମାନବ ସମାଜ ପାଇଁ ଆହ୍ବାନ ସୃଷ୍ଟି କରିଛି। ପରିବେଶର ସୁରକ୍ଷା ପାଇଁ ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ସଚେତନତା। ଏଥିପାଇଁ ‘ସମ୍ବାଦ’ ପକ୍ଷରୁ ଯେଉଁ ଅଭିଯାନ ଆରମ୍ଭ ହୋଇଛି, ତାହା ଅତ୍ୟନ୍ତ ପ୍ରଶଂସନୀୟ। ସାଲେପୁରର ପରିବେଶକୁ ନେଇ ଯେଉଁ ପ୍ରସଙ୍ଗ ସାମନାକୁ ଆସୁଛି, ତାହାକୁ କିଭଳି ଆଗାମୀ ଦିନରେ ମୁକାବିଲା କରାଯିବ, ସେ ଦିଗରେ ପଦକ୍ଷେପ ନିଆଯିବ। ସାଲେପୁରରେ ବୃକ୍ଷରୋପଣ ଅଭିଯାନକୁ ତ୍ବରାନ୍ବିତ କରାଯିବ କିନ୍ତୁ ତା’ ସହିତ ବୃକ୍ଷର ସୁରକ୍ଷା ଦିଗରେ ସ୍ବତନ୍ତ୍ର ଯତ୍ନ ନିଆଯିବ। ବିଧାୟକ କହିଥିଲେ ଯେ ଜଳ, ବାୟୁ ଓ ମୂର୍ତ୍ତିକା ପ୍ରଦୂଷଣ ପ୍ରସଙ୍ଗରେ ଯେଉଁ ମତ ସାମନାକୁ ଆସୁଛି, ତାହା ନିର୍ଦ୍ଦିଷ୍ଟ ଭାବେ ଅଞ୍ଚଳ ଭିତରେ ସୀମିତ ନାହିଁ। ମହାନଦୀ ଓ ଚିତ୍ରୋତ୍ପଳା ନଦୀ ଶୁଖିଲା ପଡ଼ିବା ଘଟଣାରେ ବର୍ଷା ଓ ମହାନଦୀର ଉପର ମୁଣ୍ଡରୁ ଜଳ ନ ଆସିବା ଭଳି କାରଣ ରହିଛି। କିନ୍ତୁ ସାଲେପୁର ନିର୍ବାଚନ ମଣ୍ଡଳୀବାସୀଙ୍କୁ ସଚେତନ କରିବା ପାଇଁ ସବୁପ୍ରକାର ସହଯୋଗ ତଥା ପ୍ରୟାସ ରହିବ ବୋଲି ବିଧାୟକ ଶ୍ରୀ ବେହେରା କହିଛନ୍ତି।

ଗୋପୀନାଥପୁର ସାଇ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମ‌ରେ ଇଂଜିନିୟର ଉଦ୍ଧବ ନାୟକ, ସରପଞ୍ଚ ଦମୟନ୍ତୀ ମହାନ୍ତି, ପ୍ରଶାନ୍ତ ଭୂୟାଁ, ଦିଲ୍ଲୀପ ଦାସ, ସମ୍ବିତ ଦାସ, ପ୍ରଫୁଲ୍ଲ ମିଶ୍ର, ବିଷ୍ଣୁଚରଣ ମିଶ୍ର, ଇଂଜିନିୟର ସନ୍ତୋଷ ସ୍ବାଇଁଙ୍କ ଭଳି ଅଞ୍ଚଳର ପ୍ରମୁଖ ବ୍ୟକ୍ତିବିଶେଷ ଉପସ୍ଥିତ ରହି ନିଜର ମତାମତ ରଖିଥିଲେ। ନଈ, କେନାଲ ଶୁଖିଲା ପଡୁଥିବାରୁ ଜମିରେ ପାଣି ନ ପହଞ୍ଚିବା, ମଲା ପ୍ରାଣୀ ଓ ବର୍ଜ୍ୟବସ୍ତୁ ଇତ୍ୟାଦି ପକାଇବା ଫଳରେ ନଈନାଳ ପାଣି ଦୂଷିତ ହେବା, ମୂର୍ତ୍ତିକା ପ୍ରଦୂଷଣ ଭଳି ସମସ୍ୟା ରହିଥିବା ବେଳେ ଗଛ କଟା ବନ୍ଦ କରିବା, ଗଛ ଲଗାଇ ତାହାକୁ ସଂରକ୍ଷିତ ରଖିବା, ପଲିଥିନ ସଂପୂର୍ଣ୍ଣ ବର୍ଜନ କରିବାକୁ ମତ ପ୍ରକାଶ ପାଇଥିଲା।