ବର୍ଜ୍ୟବସ୍ତୁ ପାଇଁ ଉପରେ ତନାଘନା, ତଳେ ସ୍ଥିତି ସଙ୍ଗିନ୍

କଠିନ ବର୍ଜ୍ୟବସ୍ତୁ ପରିଚାଳନା ଫଳପ୍ରଦ ନେଇ ଆଶଙ୍କା, ଏନ୍‌ଜିଟି ଛାଟ ବାଜିଲା ପରେ ବି ଉପର ଠାଉରିଆ ତତ୍ପରତା, କୌଣସି ସହରରେ ନାହିଁ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ୍, ଆବର୍ଜନା ହେବ କ’ଣ?

ଭୁବନେଶ୍ବର : ଓଡ଼ିଶା ସମେତ ସାରା ଦେଶରେ ଚିନ୍ତା ବଢ଼ାଉଛି କଠିନ ବର୍ଜ୍ୟବସ୍ତୁ। ରାଜ୍ୟର ପୌରସଂସ୍ଥାଗୁଡ଼ିକର ଖାମଖିଆଲ କାରବାର ପରିସ୍ଥିତିକୁ ସାଂଘାତିକ କରିଦେଲାଣି। କଠିନ ବର୍ଜ୍ୟବସ୍ତୁ ପରିଚାଳନା ନେଇ ସରକାର ନିୟମ ପ୍ରଣୟନ କରି ଦାୟିତ୍ବ ସାରିଦେଇଥିଲା ବେଳେ ପୌରସଂସ୍ଥାର ଅଧିକାରୀମାନେ ତାହାକୁ କୌଣସି ପରିସ୍ଥିତିରେ ମାନିବାକୁ ପ୍ରସ୍ତୁତ ନାହାନ୍ତି। ଏବେ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ୍‌(ଏନ୍‌ଜିଟି) ଏ ନେଇ ଖପ୍ପା ହୋଇଛନ୍ତି। ସ୍ଥିତି ବିଗୁଡ଼ୁଥିବା ଦେଖି ଏନ୍‌ିଜିଟି କଠୋର ଆଭିମୁଖ୍ୟ ଗ୍ରହଣ କଲା ପରେ ରାଜ୍ୟ ପ୍ରଶାସନରେ ତତ୍ପରତା ପ୍ରକାଶ ପାଇଛି। ସଚିବାଳୟରେ ଖୋଦ୍ ମୁଖ୍ୟ ଶାସନ ସଚିବ ତନାଘନା କରୁଛନ୍ତି। କିନ୍ତୁ ବାସ୍ତବ କ୍ଷେତ୍ରରେ ସ୍ଥିତି ଓଲଟା। ବର୍ତ୍ତମାନର ଭିତ୍ତିଭୂମି ଯାହା ଆବର୍ଜନା ପରିଚାଳନା ଯେ କେବଳ କାଗଜପତ୍ରରେ ଚାଲିବ, ତାହା ଜଳ ଜଳ ହୋଇ ଦେଖାଗଲାଣି।

ବର୍ତ୍ତମାନ ରାଜ୍ୟର କୌଣସି ସହରରେ ଆବର୍ଜନା ପରିଚାଳନା ବ୍ୟବସ୍ଥା ଠିକ ନାହିଁ। ସହରର ରାସ୍ତାଘାଟରୁ ଆବର୍ଜନା ଉଠାଇବାରେ ସୀମିତ ବର୍ଜ୍ୟବସ୍ତୁ ପରିଚାଳନା। ସେହି ଆବର୍ଜନାଗୁଡ଼ିକ କ’ଣ ହେବ ଓ ଭବିଷ୍ୟତରେ ତାହା ପରିବେଶ ଉପରେ କେତେ କୁପ୍ରଭାବ ପକାଇବ, ସେ ନେଇ କାହାର ଚିନ୍ତା ନାହିଁ। ସହରକୁ ଉପରେ ଉପରେ ସଫା କରିଦେଇ ଭିତରେ ପୌରସଂସ୍ଥାଗୁଡ଼ିକ ଯେପରି ବିଷ ମଞ୍ଜି ବୁଣୁଛନ୍ତି, ତାହା ଏବେ ଚିନ୍ତାର ବିଷୟ ହୋଇଛି।

ଏନ୍‌ଜିଟି ଛାଟ ବାଜିଲା ପରେ ନିଜେ ମୁଖ୍ୟ ଶାସନ ସଚିବ ପରିସ୍ଥିତିର ସମୀକ୍ଷା କରୁଛନ୍ତି। କାରଣ ତାଙ୍କୁ ହିଁ ଏନ୍‌ଜିଟିରେ ହାଜର ହୋଇ ରିପୋର୍ଟ ଦେବାକୁ ପଡ଼ିବ। ସମୀକ୍ଷା ବୈଠକର ବିବରଣୀ ଗଣମାଧ୍ୟମରେ ବଡ଼ ବଡ଼ ପ୍ରକାଶ ପାଉଛି। କିନ୍ତୁ ତିନି ବର୍ଷ ପୂର୍ବରୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନେଇ ନିୟମ ପ୍ରଣୟନ କରାଯାଇଛି। ଏହି ପରିଚାଳନା ପ୍ରକ୍ରିୟାରେ ସରକାରଙ୍କ କେଉଁ ବିଭାଗର କେଉଁ ଦାୟିତ୍ବ, ସେଥିରେ ତାହା ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି। କିନ୍ତୁ ଆଇନ ତା’ ବାଟରେ, ପୌରସଂସ୍ଥାର ଅଧିକାରୀମାନେ ନିଜ ମର୍ଜିରେ କାମ କରୁଛନ୍ତି।

ସହରରୁ ବାହାରୁଥିବା କଠିନ ଆବର୍ଜନାକୁ ଦୁଇ ଭାଗରେ ବିଭକ୍ତ କରାଯାଏ। ଗୋଟିଏ ଜୈବ ଓ ଅନ୍ୟଟି ଅଜୈବ। ଦୁଇ ତିନିଟି ସହରକୁ ବାଦ୍ ଦେଲେ ଏହାକୁ ଅଲଗା କରିବା ପାଇଁ ବର୍ତ୍ତମାନ ଅନ୍ୟ ସହରଗୁଡ଼ିକରେ ବ୍ୟବସ୍ଥା ନାହିଁ। ସହରାଞ୍ଚଳରେ ସରକାର ପ୍ରତି ଘରକୁ ଦୁଇଟି ଲେଖାଏ ଡଷ୍ଟବିନ୍ ଦେବାର ବ୍ୟବସ୍ଥା କରୁଛନ୍ତି। ଲୋକଙ୍କୁ ସଚେତନ କରାଯିବ ଯେ ଜୈବ ଓ ଅଜୈବ ବର୍ଜ୍ୟକୁ ଅଲଗା ଅଲଗା ଡଷ୍ଟବିନ୍‌ରେ ରଖିବେ। ପ୍ରଶ୍ନ ଉଠୁଛି, ଲୋକ ସଚେତନ ହୋଇ ରଖିଲେ ବି ପୌରସଂସ୍ଥାଗୁଡ଼ିକ ‌େସଗୁଡ଼ିକୁ ଉଠାଇ କ’ଣ କରିବେ? ଉଭୟ ପ୍ରକାର ବର୍ଜ୍ୟର ପରିଚାଳନା ପାଇଁ କି ବ୍ୟବସ୍ଥା ରହିଛି?

ନିୟମ ଅନୁଯାୟୀ କମ୍ପୋଷ୍ଟ ପ୍ଲାଣ୍ଟ୍ ନିର୍ମାଣ କରାଯାଇ ସେଥିରେ ଜୈବ ବର୍ଜ୍ୟଗୁଡ଼ିକୁ ପ୍ରକ୍ରିୟାକରଣ କରାଯିବ। ଅଜୈବ ବର୍ଜ୍ୟଗୁଡ଼ିକୁ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ୍‌ରେ ପ୍ରକ୍ରିୟାକରଣ କରାଯାଇ ବିଜୁଳି ଉତ୍ପାଦନ ହେବ। କିନ୍ତୁ ଓଡ଼ିଶାରେ ଉଭୟ ବ୍ୟବସ୍ଥା କେଉଁଠି ନାହିଁ। ଭୁବନେଶ୍ବରରେ ଦୀର୍ଘ ଦିନ ଧରି ଏ ନେଇ ପ୍ରକ୍ରିୟା ଚାଲିଥିଲେ ବି ଟ୍ରିଟ୍‌ମେଣ୍ଟ୍ ପ୍ଲାଣ୍ଟ୍ ନିର୍ମାଣ ଆରମ୍ଭ ହୋଇନି। ତେଣୁ ଅଲଗା ଅଲଗା ଡ‌ଷ୍ଟବିନ୍‌ରେ ବର୍ଜ୍ୟ ପଡ଼ିଲେ ବି ତାହା ପୁଣି ଗୋଟିଏ ଜାଗାରେ ଯାଇ ମିଶିଯିବ। କାରଣ ପରିଚାଳନା ପାଇଁ ପୌରସଂସ୍ଥାଗୁଡ଼ିକର ଭିତ୍ତିଭୂମି ହିଁ ନାହିଁ। ପୌରସଂସ୍ଥାଗୁଡ଼ିକର ଏମିତି ଦୂରଦୃଷ୍ଟିହୀନତା ଯୋଗୁ ବହୁ ସହରର ଉପକଣ୍ଠରେ କେବଳ ଆବର୍ଜନାର ପାହାଡ଼ ତିଆରି ହେଉଛି।

ଭୁବନେଶ୍ବର ଓ କଟକ ଏହାର ବଡ଼ ଉଦାହରଣ। ଭୁବନେଶ୍ବର ସହରର ସବୁ ଆବର୍ଜନା ଭୁଆସୁଣିରେ ଗଦା ହେଉଛି। ସେଠାରେ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ୍‌ ପାଇଁ ଦୀର୍ଘ ବର୍ଷ ହେଲା ପ୍ରକ୍ରିୟା ଆରମ୍ଭ ହୋଇଥ‌ିଲେ ବି ତାହା କାଗଜପତ୍ରରେ ଅଟକିଛି। ଫଳରେ ସେହି ସ୍ଥାନରେ ଆବର୍ଜନାର ଏକ ପାହାଡ଼ ସୃଷ୍ଟି ହୋଇଛି। ଦୀର୍ଘ ଦିନ ଧରି ଗୋଟିଏ ସ୍ଥାନରେ ଆବର୍ଜନା ଗଦା ହୋଇ ରହିଲେ, ସେଠାରେ ଭୂତଳ ଜଳ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହା ସହ ମଝିରେ ମଝିରେ ନିଆଁ ଲାଗି ଆଖପାଖ ଗ୍ରାମବାସୀଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। କଟକରେ ମଧ୍ୟ ସମାନ ସ୍ଥିତି। ସେଠି ବି ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ ନିର୍ମାଣ ଆଗେଇ ପାରି ନାହିଁ। ସଚିବାଳୟର ବଡ଼ ବଡ଼ ଅଧିକାରୀମାନେ ରହୁଥିବା ମହାନଗର ନିଗମର ଅବସ୍ଥା ଯେତେବେଳେ ଏପରି, ଅନ୍ୟଗୁଡ଼ିକ କଥା ଆଲୋଚନା କରିବା ଆବଶ୍ୟକ ନାହିଁ।

ଏନ୍‌ଜିଟିର ହସ୍ତକ୍ଷେପ ପରେ ସଚିବାଳୟରେ ତୁହାକୁ ତୁହା ବୈଠକ ବସୁଛି ସତ। କିନ୍ତୁ ତଳ ସ୍ତରରେ ଯେତିକି ତତ୍ପରତା ପ୍ରକାଶ ପାଇବା କଥା ତାହା ହୋଇ ନାହିଁ। ତେଣୁ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ ଫଳଶୂନ ହେବ ନା ପୌରସଂସ୍ଥାର ଅଧିକାରୀମାନେ ଚେତିବେ, ତାହା ଆଗକୁ ଜଣାପଡ଼ିବ।

ସମ୍ବନ୍ଧିତ ଖବର