କଟକ : ବର୍ଜ୍ୟବସ୍ତୁ ପରିଚାଳନା ନିୟମ ପାଳନରେ ଅବହେଳା ପାଇଁ ଓଡ଼ିଶା ସରକାର ୧୧୩୮ କୋଟି ଟଙ୍କା କ୍ଷତିପୂରଣ ଦେବାରୁ ଅଳ୍ପକେ ବର୍ତ୍ତିଛନ୍ତି।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ବିଭିନ୍ନ ରାଜ୍ୟର କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା ପ୍ରସଙ୍ଗ ଜାତୀୟ ଗ୍ରିନ ଟ୍ରିବୁନାଲ (ଏନ୍ଜିଟି) ତଦାରଖ କରୁଛନ୍ତି। ଓଡ଼ିଶା ପ୍ରସଙ୍ଗରେ ଏନ୍ଜିଟିରେ ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ରାଜ୍ୟରେ ପ୍ରତିଦିନ ୨୨୫୭ ଟନ୍ (ଟିପିଡି ବା ଟନ୍ ପର୍ ଡେ’)) ବର୍ଜ୍ୟ ସୃଷ୍ଟି ହେଉଛି। ଏଥିମଧ୍ୟରେ ଓଦା ବର୍ଜ୍ୟ ୧୧୫୮ ଟିପିଡି ଓ ଶୁଖିଲା ବର୍ଜ୍ୟ ୧୦୯୯ ଟିପିଡି ରହିଛି। ଏହିସବୁ ବର୍ଜ୍ୟବସ୍ତୁ ନିୟମ ଅନୁସାରେ ପ୍ରକ୍ରିୟାକରଣ/ପରିଚାଳନା କରାଯାଉଛି।
ଅନ୍ୟପକ୍ଷରେ, ରାଜ୍ୟରେ ୩୭.୪୬ ମେଟ୍ରିକ୍ ଟନ୍ ପୁରୁଣା ବର୍ଜ୍ୟ (ଲିଗାସି ୱେଷ୍ଟ) ପଡ଼ିରହିଛି। ଏଥିସହିତ ରାଜ୍ୟରେ ବହୁ ପରିମାଣର ସିୱେଜ (ବର୍ଜ୍ୟ ଜଳ) ଟ୍ରିଟ୍ମେଣ୍ଟ (ବିଶୋଧନ) ନକରି ସିଧାସଳଖ ନଦୀ/ନାଳ/ଜଳାଶୟକୁ ଛଡ଼ାଯାଉଥିବା ଶୁଣାଣିରେ ସ୍ପଷ୍ଟ ହୋଇଥିଲା। ରାଜ୍ୟରେ ପ୍ରତିଦିନ ୬୪୨.୩୭୩ ନିୟୁତ ଲିଟର (ଏମଏଲଡି ବା ମିଲିୟନ ଲିଟର ପର୍ ଡେ’) ବର୍ଜ୍ୟଜଳ ସୃଷ୍ଟି ହେଉଛି। ଅନ୍ୟପକ୍ଷରେ, ରାଜ୍ୟରେ ୧୨୮ ଏମଏଲଡି ବର୍ଜ୍ୟଜଳ ଟ୍ରିଟମେଣ୍ଟ ବା ବିଶୋଧନ ପାଇଁ ବ୍ୟବସ୍ଥା ରହିଛି। ତେଣୁ ସୃଷ୍ଟି ହେଉଥିବା ବର୍ଜ୍ୟଜଳ ଓ ଟ୍ରିଟମେଣ୍ଟ ହେଉଥିବା ବର୍ଜ୍ୟଜଳ ପରିମାଣ ମଧ୍ୟରେ ୫୧୪ ଏମ୍ଏଲ୍ଡିର ବ୍ୟବଧାନ ରହିଥିବା ଜଣାପଡ଼ିଥିଲା।
ପୂର୍ବରୁ ଏନଜିଟି ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ପ୍ରସଂଗରେ ଶୁଣାଣି କରି ପ୍ରତି ଏମଏଲଡି ପାଇଁ ୨ କୋଟି ଟଙ୍କା କ୍ଷତିପୂରଣ ଧାର୍ଯ୍ୟ କରିଥିଲେ। ଏଥିସହିତ ପୁରୁଣା ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କରାଯାଇ ନଥିବାରୁ ପ୍ରତି ମେଟ୍ରିକ ଟନ୍ ପାଇଁ ୩୦୦ ଟଙ୍କା କ୍ଷତିପୂରଣ ଦେବାକୁ ଏନଜିଟି ନିର୍ଦ୍ଦେଶ ଦେଇଥିଲେ। ପଶ୍ଚିମବଙ୍ଗ ସରକାରଙ୍କୁ କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନାରେ ଅବହେଳା ପାଇଁ ମୋଟ ୩ହଜାର ୫ଶହ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବର୍ଜ୍ୟଜଳ ସୃଷ୍ଟି ଓ ବିଶୋଧନ ପରିମାଣ ମଧ୍ୟରେ ୫୧୪ ଏମଏଲଡିର ବ୍ୟବଧାନ ଓ ୩୭ ଲକ୍ଷ ମେଟ୍ରିକ ଟନର ପୁରୁଣା ବର୍ଜ୍ୟବସ୍ତୁ ପ୍ରସଂଗକୁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ସ୍ବୀକାର କରିଥିବା ବେଳେ ରାଜ୍ୟ ସରକାର ୧୧୩୮ କୋଟି ଟଙ୍କା କ୍ଷତିପୂରଣ ଦେବା କଥା ବୋଲି ଏନ୍ଜିଟି କହିଛନ୍ତି। ତେବେ, ଯଦି ରାଜ୍ୟ ସରକାର ଆବଶ୍ୟକ କ୍ଷମତା ସଂପନ୍ନ ବର୍ଜ୍ୟ ଜଳ ବିଶୋଧନାଗାର ବା ଟ୍ରିଟମେଣ୍ଟ ପ୍ଲାଣ୍ଟ ନ କରନ୍ତି, ତେବେ ଭବିଷ୍ୟତରେ ଏନ୍ଜିଟି କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେବାର ସମ୍ଭାବନା ରହିଛି।
ବର୍ଜ୍ୟବସ୍ତୁ ପରିଚାଳନା ପ୍ରସଂଗରେ ହେଉଥିବା ଅଗ୍ରଗତି ନେଇ ପ୍ରତି ୬ ମାସରେ ମୁଖ୍ୟ ସଚିବ ରିପୋର୍ଟ ଦାଖଲ କରିବେ ବୋଳି ଏନ୍ଜିଟି ନିର୍ଦ୍ଦେଶ ଦେଇଛନ୍ତି।