କାର୍ଯ୍ୟକ୍ଷମ ହେଉନି ବର୍ଜ୍ୟବସ୍ତୁ ପରିଚାଳନା ମେସିନ୍‌

ପୁରୁଣା ଭୁବନେଶ୍ୱର: ୩ ବର୍ଷ ହେଲା, ଶ୍ରୀଲିଙ୍ଗରାଜ ମନ୍ଦିରରେ ବର୍ଜ୍ୟବସ୍ତୁ ପରିଚାଳନା ମେସିନ୍‌ ରଖାଯାଇଛି। ହେଲେ ଏଯାବତ୍‌ ତାହା କାର୍ଯ୍ୟକ୍ଷମ ହୋଇନାହିଁ। ଫଳରେ ମହାପ୍ରଭୁଙ୍କ ପାଦୁକ, ବେଲପତ୍ର ପୂର୍ବଭଳି ବିଏମ୍‌ସିର ସାଧାରଣ ଡଷ୍ଟବିନ୍‌ରେ ଗଦା ହେଉଛି। ଠାକୁରଙ୍କୁ ସମର୍ପିତ ପାଦୁକ ଓ ବେଲପତ୍ର ସହ ଅଞ୍ଚଳର ଅଳିଆ ଆବର୍ଜନା ଓ ସ୍ଥାନୀୟ ବିଏମ୍‌ସି ହସ୍ପିଟାଲ ବର୍ଜ୍ୟବସ୍ତୁ ମିଶୁଥିବାରୁ ଏହାକୁ ନେଇ ଭକ୍ତ ଓ ସେବାୟତମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି।

ସୂଚନାଯୋଗ୍ୟ, ମନ୍ଦିରରୁ ଦୈନିକ ବାହାରୁଥିବା ବେଲପତ୍ର, ପାଦୁକ ଓ ଅବଢ଼ା କଦଳୀପତ୍ର ବିଏମ୍‌ସିର ଅଳିଆ ଗାଡ଼ିରେ ଯାଉଥିବାରୁ ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିଲା। ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଗତ ୨୦୧୯ ମସିହା ଜାନୁଆରି ୨୩ ତାରିଖରେ ମନ୍ଦିର ପାଇଁ ଏକ ସ୍ବତନ୍ତ୍ର ବର୍ଜ୍ୟବସ୍ତୁ ପରିାଚଳନା ମେସିନ୍‌ ଅଣାଯାଇଥିଲା। ମନ୍ଦିରରୁ ଦୈନିକ ବାହାରୁଥିବା ପାଦୁକ, ବେଲପତ୍ର, ବଳକା ପ୍ରସାଦ, ଅବଢ଼ା କଦଳୀପତ୍ର ଆଉ ଏଣେତେଣେ ନପକାଇ ଏହି ମେସିନ୍‌ରେ ପଡ଼ିବ ବୋଲି କୁହାଯାଇଥିଲା।

ସେଥିରୁ ସାର ପ୍ରସ୍ତୁତ କରିବାର ଯୋଜନା ହୋଇଥିଲା। ୧୨ ଫୁଟ୍‌ ଚଉଡ଼ା ଓ ୧୦ ଫୁଟ୍ ଲମ୍ବା ବିଶିଷ୍ଟ ଏହି ମେସିନ୍‌ ମନ୍ଦିର ପରିସରରେ ଆନନ୍ଦ ବଜାର ନିକଟରେ କିମ୍ବା ମନ୍ଦିର କଡ଼ରେ ସ୍ଥାପନ ପାଇଁ ଯୋଜନା କରାଯାଇଥିଲା। ପରେ ତାକୁ ପୁରୁଣା ହାଟ ନିକଟରେ ରଖାଯାଇଥିଲା। କିନ୍ତୁ, ୩ ବର୍ଷ ପରେ ମଧ୍ୟ ତାହା କାର୍ଯ୍ୟକ୍ଷମ ହୋଇପାରିନାହିଁ। ଫଳରେ ଠାକୁରଙ୍କୁ ସମର୍ପିତ ପାଦୁକ ବାହାରେ ଫିଙ୍ଗା ଯାଉଥିବା ବେଳେ ତାହା ସ୍ଥାନୀୟ ଡାକ୍ତରଖାନା ବର୍ଜ୍ୟବସ୍ତୁ ସହ ମିଶି ବିଏମ୍‌ସି ଅଳିଆ ଗଦାରେ ପଡ଼ୁଛି। ଏହାକୁ ନେଇ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ତେବେ ଏ ସଂପର୍କରେ ନେଇ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପଚାରିବାରୁ ସେ ଉତ୍ତର ଦେଇନଥିଲେ।

ରାସ୍ତାରେ ପଡ଼ୁଛି ଶ୍ରୀଲିଙ୍ଗରାଜଙ୍କ ପାଦୁକ, ବେଲପତ୍ର
ଶିବ ବେଶରେ ଅଭିନବ ପ୍ରତିବାଦ

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରୁ ବାହାରୁଥିବା ପାଦୁକ, ବେଲପତ୍ର ଓ ବର୍ଜ୍ୟବସ୍ତୁ ରାସ୍ତାରେ ପଡ଼ୁଛି। ଏହାକୁ ନେଇ ସେବା ହିଁ ସଙ୍କଳ୍ପ ସଂଗଠନ ପକ୍ଷରୁ ମନ୍ଦିର କାର୍ଯ୍ୟନିର୍ବାହୀଙ୍କୁ ସ୍ମାରକପତ୍ର ଦେବା ସହ ଶିବ ବେଶ ହୋଇ ଅଭିନବ ଢଙ୍ଗରେ ପ୍ରତିବାଦ କରାଯାଇଛି। ଏହାସହିତ ସେଠାରେ ପଡ଼ିଥିବା ପାଦୁକ ଓ ବେଲପତ୍ରକୁ ଉଠାଇନେଇ ନଈରେ ପକାଇଥିଲେ। ଏହାକୁ ରାଜେଶ ପୃ‌ଷ୍ଟି ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର