ଭୁବନେଶ୍ବର : ସହରାଞ୍ଚଳ ଲୋକଙ୍କ ଭିତରେ ସଚେତନତା ଯୋଗୁଁ ଚଳିତ ବର୍ଷ ରାଜ୍ୟରେ କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ଉନ୍ନତି ଘଟିଛି। ବର୍ଜ୍ୟବସ୍ତୁ ପୃଥକୀକରଣ କରିବାରେ ୬ଟି ଜିଲ୍ଲାରେ ଶତ ପ୍ରତିଶତ ସଫଳତା ମିଳିଛି। ଆଗକୁ ପ୍ରତି ଦୁଇ ସପ୍ତାହରେ ଥରେ ଜିଲ୍ଲା ସ୍ତରରେ ବର୍ଜ୍ୟବସ୍ତୁ ପରିଚାଳନା ନେଇ ଜିଲ୍ଲାପାଳମାନେ ସମୀକ୍ଷା କରିବେ। ଆଜି ଲୋକସେବା ଭବନରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନେଇ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ସମୀକ୍ଷା କରିବା ଅବସରରେ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ବୈଠକରେ ସହରାଞ୍ଚଳ ଲୋକଙ୍କ ଭିତରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ବ ଦିଆଯାଇଛି। ଶୁକ୍ରବାର କଠିନ ବର୍ଜ୍ୟବସ୍ତୁ ପରିଚାଳନା ନେଇ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେସିଂ ଜରିଆରେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଜିଲ୍ଲାଵାରୀ ସମୀକ୍ଷା କରିଥିଲେ। ୩୦ଟି ପୌରାଞ୍ଚଳରୁ ୨୪ଟିରେ ଦୈନିକ କଠିନ ବର୍ଜ୍ୟବସ୍ତୁ ଦୁଆର ଦୁଆର ବୁଲି ସଂଗ୍ରହ କରାଯାଉଛି। ଗଜପତି, ପୁରୀ, ନୟାଗଡ଼, ବାଲେଶ୍ବର, ଖୋର୍ଦ୍ଧା ଏବଂ ବଲାଙ୍ଗୀର ପୌରାଞ୍ଚଳରେ ହାରାହାରି ୮୩% ବର୍ଜ୍ୟବସ୍ତୁ ସଂଗ୍ରହ ହେଉଛି। ବାକି ପୌରାଞ୍ଚଳ ସମେତ ଶତ ପ୍ରତିଶତ ବର୍ଜ୍ୟବସ୍ତୁ ସଂଗ୍ରହ କରିବା ଲକ୍ଷ୍ୟ ପୂରା କରିବାକୁ ବୈଠକରେ ମୁଖ୍ୟ ଶାସନ ସଚିବ ଗୁରୁତ୍ବ ଦେଇଥିଲେ। ଆସନ୍ତା ଦୁଇ ସପ୍ତାହ ଭିତରେ ଏହି ଲକ୍ଷ୍ୟ ପୂରା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରୁ ଜଣାପଡ଼ିଛି, କଠିନ ବର୍ଜ୍ୟବସ୍ତୁ ପୃଥକୀକରଣ କରିବାରେ ରାଜ୍ୟକୁ ୭୭% ସଫଳତା ମିଳିଛି। ୬ଟି ଜିଲ୍ଲା ଯଥା, କଳାହାଣ୍ଡି, କେନ୍ଦ୍ରାପଡ଼ା, ନୂଆପଡ଼ା, ଢେଙ୍କାନାଳ, ଅନୁଗୁଳ ଏବଂ କୋରାପୁଟରେ ୧୦୦% ପୃଥକୀକରଣ କରାଯାଉଛି। ବାକି ଜିଲ୍ଲାଗୁଡ଼ିକ ଖୁବଶୀଘ୍ର ଶତପ୍ରତିଶତ ଲକ୍ଷ୍ୟ ପୂରଣ କରିବେ। ୩୦୮ଟି ମାଇକ୍ରୋ ପ୍ରୋସେସିଂ ସେଣ୍ଟର ପାଇଁ ଜମି ଚିହ୍ନଟ ହେବା ସହ ୩୦ଟି ପୌରାଞ୍ଚଳରେ ୯୬ଟି ଏମ୍‌ସିସି ସେଣ୍ଟର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ସେହିପରି ବର୍ଜ୍ୟବସ୍ତୁରୁ ପୁନଃବ୍ୟବହାର ଉପଯୋଗୀ ଜିନିଷକୁ ଅଲଗା କରିବା ପାଇଁ ୬୨ଟି ସ୍ଥାନରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। ପୁନଃବ୍ୟବହାର ଉପଯୋଗୀ ଜିନିଷ ବାଛିବା ପାଇଁ ବିଭିନ୍ନ ପୌରାଞ୍ଚଳର ଆଉ ୨୦୬ଟି ସ୍ଥାନରେ ଏହି ସୁବିଧା ଉପଲବ୍ଧ କରାଯିବ। ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବା ପାଇଁ ସ୍ବଚ୍ଛ ସାଥୀ ନିୟୋଜିତ କରିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା। ଏବେସୁଦ୍ଧା ମୋଟ୍ ୧୯୧୫ ଜଣ ସ୍ବଚ୍ଛ ସାଥୀ ଓ ୫୩୦ ଜଣ ସୁପରଭାଇଜରଙ୍କୁ ୩୦ଟି ପୌରାଞ୍ଚଳରେ ନିୟୋଜିତ କରାଯାଇଛି। ଜିଲ୍ଲାପାଳମାନେ ସେମାନଙ୍କ ପାଇଁ ପ୍ରଦତ୍ତ କୋଟା ଅନୁଯାୟୀ ଆଉ ୩୪୫ ଜଣ ସ୍ବଚ୍ଛ ସାଥୀ ଓ ୭୯ ଜଣ ସୁପରଭାଇଜର ନିୟୋଜିତ କରିବା ନେଇ ବୈଠକରେ ସ୍ଥିର କରାଯାଇଛି। ଏହାସହିତ ପ୍ରତି ଦୁଇ ସପ୍ତାହରେ ଥରେ ସହରାଞ୍ଚଳ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନେଇ ଜିଲ୍ଲାପାଳମାନେ ସମୀକ୍ଷା କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ। ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି.ମାଥିଭାନନଙ୍କ ସମେତ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ।