ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଭଞ୍ଜନଗରରେ ହେବ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ୍, ଜିଲ୍ଲାପାଳଙ୍କ ଅଚାନକ ଗସ୍ତ, ବୁଲି ଦେଖିଲେ ପ୍ଳାଣ୍ଟ୍ ପାଇଁ ଚିହ୍ନଟ ଯାଗା

ଭଞ୍ଜନଗର : ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଅଚାନକ ଭଞ୍ଜନଗର ଗସ୍ତରେ ଆସି ବର୍ଜ୍ୟବସ୍ତୁ ପରିଚାଳନ ପାଇଁ ନିର୍ମାଣ ହେବାକୁ ଥିବା ଟ୍ରିଟ୍‌ମେଣ୍ଟ୍ ପ୍ଳାଣ୍ଟ୍ ପାଇଁ ଚିହ୍ନଟ ହୋଇଥିବା ଯାଗା ବୁଲି ଦେଖିଛନ୍ତି। ଆଜି ଶ୍ରୀ କୁଲାଙ୍ଗେ ପ୍ରଥମେ ଭଞ୍ଜନଗର ଡାକ ବଙ୍ଗଳାରେ ପହଞ୍ଚି ଉପଜିଲ୍ଲାପାଳ,ବଡିଓ ଏବଂ ଏନ୍ଏସି କାର୍ଯ୍ୟନିର୍ବାହି ଅଧିକାରୀଙ୍କ ସହ କରୋନା ପାଇଁ ହୋଇଥିବା ଲକ୍‌ଡାଉନ୍ ସଂର୍ପକରେ ସମୀକ୍ଷା କରିଥିଲେ। ଏହାପରେ ଭଞ୍ଜନଗର ସହରର ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଟ୍ରିଟ୍‌ମେଣ୍ଟ୍ ପ୍ଳାଣ୍ଟ୍ ପ୍ରସ୍ତୁତି ପାଇଁ ଚିହ୍ନଟ ହୋଇଥିବା ଯାଗା ବୁଲି ଦେଖିଥିଲେ। ଏନ୍ଏସି ପକ୍ଷରୁ ଏହି ଟ୍ରିଟ୍‌ମେଣ୍ଟ୍ ପ୍ଳାଣ୍ଟ୍ ପ୍ରସ୍ତୁତି ନେଇ ଟେଣ୍ଡର କରାଯାଇଥିଲେ ମଧ୍ୟ କେହି ଟେଣ୍ଡର ଦାଖଲ କରିନଥିବାରୁ ଏହି କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ବ୍ଲକ୍‌କୁ ଦାୟିତ୍ବ ହସ୍ତାନ୍ତର କରାଯାଇଛି। ତେବେ ପାଖାପଖି ବର୍ଷେ ହେବ ସ୍ଥାନ ନିରୂପଣ ହୋଇ ସାରିଥିଲେ ମଧ୍ୟ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇନଥିବାରୁ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ ଯଥାଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ କହିଥିଲେ।

Research Matters

ଏହି ପ୍ଲାଣ୍ଟ୍‌ଟି ନୂତନ ମତ୍ସ୍ୟ ଜାଆଁଳା କେନ୍ଦ୍ର ନିକଟରେ ପ୍ରାୟ ଏକକୋଟି ଟଙ୍କା ବ୍ୟୟରେ ଟ୍ରିଟ୍‌ମେଣ୍ଟ୍ ପ୍ଳାଣ୍ଟ୍ କରାଯିବ ବୋଲି ଜଣାପଡିଛି। ପ୍ରାୟ ଅଧ ଏକର ସ୍ଥାନରେ ଏହି ଟ୍ରିଟ୍‌ମେଣ୍ଟ୍ ପ୍ଲାଣ୍ଟ୍ ନିର୍ମାଣ କରାଯିବା ନେଇ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରିବା ପାଇଁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ନିର୍ଦ୍ଦେଶ ଦେଇଥିଲେ। ଏନ୍ଏସିର ସୂଚନା ଅନୁଯାୟୀ ଏଠାରେ ଗୋଟିଏ ଟ୍ରିଟ୍‌ମେଣ୍ଟ୍ ଘର ସମେତ ୧୪ ଗୋଟି କୁଣ୍ଡ,ଗୋଟିଏ ସ୍ଲେଡର,ଷ୍ଟାପ୍ ରୁମ୍ ଏବଂ ଶୌଚାଳୟ ନିର୍ମାଣ ହେବ। ଏଠାରେ ଗ୍ରାଇଣ୍ଡର ମେସିନ୍‌ରେ ଆବର୍ଜନାକୁ ପକାଯିବା ସହ ସ୍ଳେଡରରେ ଆର୍ବଜନା ଗୁଡିକ ଅଲଗା ଅଲଗା ହୋଇ କୁଣ୍ଡରେ ପଡିବ। ସେଠାରେ ପ୍ଲାଷ୍ଟିକ୍,କାଠ,କାଗଜ ଓ ଲୁହା ଆବର୍ଜନାକୁ ଅଲଗା କରାଯାଇ କାଠ ଓ କାଗଜକୁ ସିମେଣ୍ଟ କାରଖାନାକୁ ବିକ୍ରି କରାଯିବ। ଏହାସହ ବଳକା ଆବର୍ଜନାରେ ଗୁଡ ଆଉ ଦହି ପକାଯାଇ ୨୧ ଦିନ ରଖି ଜୀବାଣୁ ଉତ୍ପନ କରାଯାଇ ଖତ ପ୍ରସ୍ତୁତ କରାଯିବ। ଏହାସହ ମେଟେରିଆଲ୍ ରିକୋଭରି ଫେସିଲିଟି ମାଧ୍ୟମରେ ଲୁହା ଓ ପ୍ଲାଷ୍ଟିକ୍ ଭଳି ଜିନିଷକୁ ବାହାର କରି ରିସାଇକଲ କରିବା ପାଇଁ ପଠାଯିବ ବୋଲି ଜଣାପଡିଛି। ଏନ୍ଏସିର ନିଜସ୍ବ ଡମ୍ପିଂ ୟାର୍ଡ ନଥିବା ଯୋଗୁ ସହରର ଅଳିଆ ଆବର୍ଜନା ପକାଇବାରେ ବହୁ ସମସ୍ୟ ସୃଷ୍ଟି ହେଉଥିଲା। ଅଳିଆ ପକାଇବାକୁ ନେଇ ଅନେକ ସମୟରେ ଏନ୍ଏସି, ସ୍ଥାନୀୟ ଲୋକ ମାନଙ୍କ ରୋଶର ଶୀକାର ହେବାକୁ ପଡୁଥିଲା। ଏହି ପ୍ଳାଣ୍ଟ୍ ପ୍ରସ୍ତୁତ ହେବା ପରେ ଆଉ ଏଭଳି ସମସ୍ୟା ଉପୁଜିବ ନାହିଁ ବୋଲି ଏନ୍ଏସି ପକ୍ଷରୁ କୁହାଯାଇଛି।

Medium

ସହରର ୧୫ ଗୋଟି ୱାର୍ଡରେ ପ୍ରାୟ ୭୦ରୁ ଉର୍ଦ୍ଧ ଯାଗାରେ ବର୍ତ୍ତମାନ ଆବର୍ଜନା ଜମା ହେଉଛି। ଏନ୍ଏସି ପକ୍ଷରୁ ପ୍ରତିଦିନ ସକାଳୁ ୪ଟି ଏବଂ ସଂନ୍ଧ୍ୟାରେ ୨ଟ୍ରାକ୍ଟର ସହିତ ପ୍ରତି ଘରୁ ସଂଗ୍ରହ କରାଯାଉଥିବା ଆର୍ବଜନା ୨ଟି ଟାଟା ଏସି ଗାଡିରେ ପାଖାପାଖି ୧୦ ଟ୍ରିପ୍ ଅଳିଆ ସହର ଉପକଣ୍ଠ ଯାଗାରେ ପକାଯାଉଛି। ଯାହା ଫଳରେ ସେଠାକାର ଜନସାଧାରଣ ଏହାକୁ ଦୀର୍ଘ ଦିନ ଧରି ବିରୋଧ କରି ଆସୁଛନ୍ତି। ଏହି ପ୍ଲାଣ୍ଟ୍ ନିର୍ମାଣ ଶେଷ ହେବା ପରେ ଏହି ସମସ୍ୟା ଦୂର ହେବ ବୋଲି ଅନୁମାନ କରାଯାଉଛି। ବାସ୍ତବରେ କେବେ ଏହି ଟ୍ରିଟ୍‌ମେଣ୍ଟ୍ ପ୍ଳାଣ୍ଟ୍ ନିର୍ମାଣ ହୋଇ କାର୍ଯ୍ୟକ୍ଷମ ହେବ ତାହା ଦେଖିବାକୁ ବାକି ରହିଲା

ସମ୍ବନ୍ଧିତ ଖବର