ଅସ୍ତରଙ୍ଗ: ନଦନଦୀ ଘେରା ସମୁଦ୍ର ପରିବେଷ୍ଟିତ ଅସ୍ତରଙ୍ଗ ଅଞ୍ଚଳରେ ଧାନ ଛାଡ଼ି ଏବେ ମାଛଚାଷ ମୁହାଁ ଅଧିକାଂଶ ଲୋକ। ଚାରିଆଡ଼େ ମାଛଚାଷ ମାଳମାଳ, ତଥାପି ଅସ୍ତରଙ୍ଗର ଚାହିଦା ମେଣ୍ଟିପାରୁନି। ଏଥିପାଇଁ ବାହାରୁ ଲୁଣି ମାଛ ଶୁଖୁଆ ଆସି ଖାଉଟିଙ୍କ ଚାହିଦା ମେଣ୍ଟାଇବାକୁ ପଡ଼ୁଛି।
ଅସ୍ତରଙ୍ଗ ଅଞ୍ଚଳରେ ପୂର୍ବରୁ ପ୍ରଚୁର ପରିମାଣର ଲୁଣିମାଛ ଶୁଖୁଆ ମିଳୁଥିଲା। ପ୍ରତିକୂଳ ପରିବେଶ ହେଉ ବା ଅନ୍ୟ କିଛି କାରଣ ପାଇଁ ନଦୀ ସମୁଦ୍ରରୁ ମତ୍ସ୍ୟ ଉତ୍ପାଦନ କମୁଛି। କିନ୍ତୁ ସମଗ୍ର ଉପକୂଳରେ ମାଳମାଳ ଚିଙ୍ଗୁଡ଼ି ଘେରି ଛାଇଗଲାଣି। ଚିଙ୍ଗୁଡ଼ି ଚାଷ ଲାଭଦାୟକ ଭାବି କିଛି ଚାଷୀ ଏଥିରେ ବି ମାତିଲେଣି। ଏହି ଚାଷରେ ଅଧିକାଂଶ କ୍ଷତି ସହୁଥିବା ବେଳେ କେତେକ ମାଲେମାଲ୍ ବି ହେଉଛନ୍ତି। ହେଲେ ଲାଭବାନ୍ ହେବା ପାଇଁ ଉତ୍ପାଦିତ ଚିଙ୍ଗୁଡ଼ି ବାହାରକୁ ଚାଲାଣ ହେବାରେ ଲାଗିଛି। ସ୍ଥାନୀୟ ଅଞ୍ଚଳରେ ଧାନଚାଷରେ ଲାଭ ନମିଳିବାରୁ କୁନ୍ତକୁ ଜମି ଦେଇ ଚିଙ୍ଗୁଡ଼ି ଚାଷ ଜାରିରହିଛି। ଅନ୍ୟ ପକ୍ଷରେ ପ୍ରଶାସନ ନଜରରେ ଥାଇ ମଧ୍ୟ ସରକାରୀ ରେକର୍ଡଭୁକ୍ତ ଜାଗା, ଆବଦ୍ଧ ଅନାବାଦୀ ବା ସଂରକ୍ଷିତ ଜାଗାକୁ ମାଡ଼ିବସି ସମୁଦ୍ର କୂଳିଆ ଅଞ୍ଚଳରେ ଶହଶହ ଏକର ଜାଗାରେ ଚିଙ୍ଗୁଡ଼ି ଚାଷ ହେଉଛି। ବାରମ୍ବାର କ୍ଷତି ସହିଲେ ମଧ୍ୟ ଥରକେ ଯେଉଁ ଲାଭ ମିଳୁଛି, ସେଥିରେ ମାଲାମାଲ୍ ହେଉଥିବାରୁ ଛତୁଫୁଟିଲା ଭଳି ଚିଙ୍ଗୁଡ଼ିଘେରି ସଂଖ୍ୟା ବଢ଼ୁଛି।
ସବୁଠାରୁ ବଡ଼କଥା ହେଲା ଚିଙ୍ଗୁଡ଼ି ଘେରିରେ ବ୍ୟବହୃତ ରାସାୟନିକ ଦ୍ରବ୍ୟ ଓ ଘେରିରୁ ନିର୍ଗତ ବର୍ଜ୍ୟବସ୍ତୁ ନଦୀନାଳରେ ମିଶି ପରିବେଶ ଉପରେ କୁପ୍ରଭାବ ପକାଇବା ସହିତ ଜଳଜୀବଙ୍କ ପାଇଁ ବିପଦ ଡାକି ଆଣୁଛି। ସ୍ଥିତି ଏମିତି ଯେ, ନଦୀନାଳରେ ମାଛବଂଶ ଲୋପ ପାଇବା ସମେତ ରୁଚିକର ମାଛ ଅଦୃଶ୍ୟ ହୋଇଯାଇଛନ୍ତି। ବିଭିନ୍ନ ଅଞ୍ଚଳରେ ଚିଙ୍ଗୁଡ଼ି ଘେରିର ଆଡ଼ିବନ୍ଧ ଯୋଗୁ ବର୍ଷା ଦିନେ ଚାଷ ଜମିରୁ ଜଳ ନିଷ୍କାସନ ପାଇଁ ପ୍ରତିବନ୍ଧକ ସୃଷ୍ଟିହେଲେ ମଧ୍ୟ ସ୍ଥାନୀୟ ପ୍ରଶାସନର ନିଘା ନାହିଁ।