ବଡ଼ ଡାକ୍ତରଖାନାରେ ଜୈବ ବର୍ଜ୍ୟବସ୍ତୁ ପରିଚାଳନା ପ୍ରସଂଗ, ହାଇକୋର୍ଟରେ ପ୍ରତିଜବାବ ଦାଖଲ, ସେପ୍ଟେମ୍ବର୍‌ ୨୪ରେ ପରବର୍ତ୍ତୀ ଶୁଣାଣି

କଟକ: ସରକାରୀ ଡାକ୍ତରଖାନାଗୁଡିକରେ ‌ଜୈବ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ରହିଥିବା ବ୍ୟବସ୍ଥା ସଂକ୍ରାନ୍ତରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାଖଲ କରିଥିବା ସତ୍ୟପାଠ ଉପରେ ଆବେଦନକାରୀ ପ୍ରତିଜବାବ ଦାଖଲ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର୍‌ ୨୪କୁ ଧାର୍ଯ୍ୟ କରାଯାଇଥିବା ବେଳେ ଆବେଦନକାରୀଙ୍କ ପ୍ରତିଜବାବ ଉପରେ ସରକାର ପକ୍ଷ ରଖିବେ। ମୁଖ୍ୟ ବିଚାରପତି ଡକ୍ଟର୍‌ ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଆର୍‌.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ବେଚ୍ଛାସେବୀ ଅନୁଷ୍ଠାନ ମୈତ୍ରୀ ସଂସଦ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଏସ୍‌ସିବିରେ ଜୈବ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ପ୍ରସଂଗକୁ ନେଇ ୨୦୦୩ରେ ଏହି ଜନସ୍ବାର୍ଥ ମାମଲା ହାଇକୋର୍ଟରେ ଦାୟର ହୋଇଥିଲା। ମାମଲା ବିଚାରାଧୀନ ଥିବା ବେଳେ ୨୦୦୮ରେ ଏସ୍‌ସିବିରେ ଏହି ପ୍ଲାଣ୍ଟ କରାଯାଇଥିଲା। କିନ୍ତୁ ଇନ୍‌ସିନେରେଟର୍‌ ଖରାପ ହୋଇଯାଇଥିଲା। ଫଳରେ ଜୈବ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ଅଚଳ ହୋଇ ପଡିଥିଳା। ଏ ନେଇ ଆବେଦନକାରୀ ଏକ ଅନ୍ତରୀଣ ଆବେଦନ ଦାଖଲ କରି ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୨୦୧୫, ଫେବ୍ରୁଆରି ୨୦ରେ ହାଇକୋର୍ଟ ଆ‌େ‌ବଦନର ଶୁଣାଣି କରି ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ୭ ବର୍ଷ ପରେ ଗତ ମାର୍ଚ୍ଚ ୨୮ରେ ମାମଲାର ଶୁଣାଣି ହୋଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ହାଇକୋର୍ଟଙ୍କ ୨୦୧୫, ଫେବ୍ରୁଆରି ୨୦ର ଆଦେଶ ପାଳନ କରି ସରକାର ଏ ପର୍ଯ୍ୟନ୍ତ ସତ୍ୟପାଠ ଦାଖଲ କରି ନାହାନ୍ତି। ଏଥି ସହିତ ଇନ୍‌ସିନେରେଟର୍‌ ମରାମତି ପ୍ରସଂଗ ଏବେ ମଧ୍ୟ ରହିଛି। ଏ ନେଇ ଆବେଦନକାରୀଙ୍କ ପକ୍ଷରୁ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ଅଧୀକ୍ଷକଙ୍କ ୨୦୨୧, ଜାନୁଆରି ୧୨ର ଚିଠି ଉପସ୍ଥାପନ କରାଯାଇଥିଲା।

ଏସସିବିରେ ଖରାପ ହୋଇ ପଡିଥିବା ଇନସିନେରେଟର ମରାମତି ପାଇଁ ବାରମ୍ବାର ମେଡିକାଲ ଶିକ୍ଷା ଓ ତାଲିମ ନିର୍ଦ୍ଦେଶ (ଡିଏମଇଟି)ଙ୍କୁ ଚିଠି ଲେଖି ଅନୁରୋଧ କରାଯିବା ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ବୋଲି ଏହି ଚିଠିରୁ ସ୍ପଷ୍ଟ ହୋଇଥିଲା। ମରାମତି ପାଇଁ ୨୦ ଲକ୍ଷ ଟଙ୍କା ବ୍ୟୟ ହେବ ବୋଲି କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କୁ ମେଡିକାଲ ଅଧୀକ୍ଷକ ଲେଖିଥିବା ଚିଠି‌ରୁ ସ୍ପଷ୍ଟ ହୋଇଥିଲା। ଜୈବ ବର୍ଜ୍ୟବସ୍ତୁ ପରିଚଳନା କ୍ଷେତ୍ରରେ ରାଜ୍ୟର ପ୍ରମୁଖ ଅନୁଷ୍ଠାନରେ ଏଭଳି ଅବ୍ୟବସ୍ଥାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଥିଲେ। ଏହି ପ୍ରସଂଗରେ ତୁରନ୍ତ ପଦକ୍ଷେପ ଗ୍ରହଣ ଆବଶ୍ୟକ ବୋଲି ହାଇକୋର୍ଟ କହିଥିଲେ। ଏସ୍‌ସିବି ସହିତ ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନାରେ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ନିୟମ ଅନୁସାରେ କାର୍ଯ୍ୟକ୍ଷମ ରହିଛି କି ନାହିଁ ସେ ନେଇ ସତ୍ୟପାଠ ମାଧ୍ୟମରେ ଅବଗତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ମେ’ ୧୮ରେ ମାମଲାରେ ସ୍ବାସ୍ଥ୍ୟ ସଚିବ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିଥିଲେ। ଏହା ଉପରେ ଆବେଦନକାରୀ ପ୍ରତିଜବାବ ଦାଖଲ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅଜୟ ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର