ଭୁବନେଶ୍ବର : ମାଟ୍ରିକ୍ ପ୍ରଶ୍ନପତ୍ର ଲଗାତାର ଭାଇରାଲ ହେବା ପରେ ଯୁକ୍ତ୨ ପରୀକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ମାର୍ଚ୍ଚ ୭ରୁ ଆରମ୍ଭ ହେବାକୁ ଥିବା ପରୀକ୍ଷା ଯେପରି ଶାନ୍ତିଶୃଙ୍ଖଳା ତଥା ବିବାଦମୁକ୍ତ ହେବ, ସେଥିପାଇଁ ଏଥର କଠୋର୍ ପଦକ୍ଷେପ ଗ୍ରହଣ କରାଯାଇଛି। ଯୁକ୍ତ୨ ଇତିହାସରେ ପ୍ରଥମଥର ପାଇଁ ପରୀକ୍ଷାର୍ଥୀଙ୍କୁ ହାତ ଘଣ୍ଟା ପିନ୍ଧିବା ଉପରେ କଟକଣା ଜାରି ହୋଇଛି। ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ ସମୟରେ ହାତ ଘଣ୍ଟା କିମ୍ବା କୌଣସି ବୈଦ୍ୟୁତିକ ସାମଗ୍ରୀ ନେଇପାରିବେ ନାହିଁ। ପ୍ରଶ୍ନପତ୍ର ଭାଇରାଲର ପ୍ରମୁଖ ମାଧ୍ୟମ ମୋବାଇଲ୍ ହେଉଥିବାରୁ ଏଥର ବି କ୍ୟାମ୍ପସରେ ମୋବାଇଲ୍ ପ୍ରବେଶ ଉପରେ କଟକଣା ଜାରି ହୋଇଛି। ପରୀକ୍ଷା କେନ୍ଦ୍ର ସୁପରିନଟେଣ୍ତେଣ୍ଟଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି, କର୍ମଚାରୀ, ଅଧିକାରୀ, ଛାତ୍ରଛାତ୍ରୀ କ୍ୟାମ୍ପସକୁ ମୋବାଇଲ୍ ନେଇପାରିବେ ନାହିଁ ବୋଲି ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଦ୍ବାରା ଅନୁଷ୍ଠିତ ଭିଡିଓ କନ୍ଫରେନ୍ସିଂ ସମୀକ୍ଷା ବୈଠକରେ ନିର୍ଦେଶ ଦିଆଯାଇଛି।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ଯେ ଯୁକ୍ତ ଦୁଇ ପରୀକ୍ଷା ମାର୍ଚ୍ଚ ୭ ତାରିଖରୁ ୩୦ ତାରିଖ ଯାଏ ଚାଲିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଯୁକ୍ତ୨ ପରୀକ୍ଷା ପରିଚାଳନା ପାଇଁ ୨୦୨ଟି ହବ୍ କରାଯାଇଛି। ସମସ୍ତ ୧୦୯୧ଟି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିବ। ଆଜି ସୁଦ୍ଧା ୯୩୭ ସେଣ୍ଟରରେ ସିସି କ୍ୟାମେରା ଲଗା ଯାଇଛି। ମାର୍ଚ୍ଚ ୬ ପୂର୍ବରୁ ବାକି ପରୀକ୍ଷା କେନ୍ଦ୍ରରେ ଲଗାଇବାକୁ କୁହାଯାଇଛି। ଏଥର ପରୀକ୍ଷାର୍ଥୀମାନେ ପ୍ରଶ୍ନପତ୍ରରେ ସେମାନଙ୍କର ରୋଲ ନମ୍ବର ଲେଖିବେ। ପ୍ରତିଦିନ ସକାଳୁ ହବ୍ରୁ ପରୀକ୍ଷା କେନ୍ଦ୍ରକୁ ଗାଡ଼ିରେ ପ୍ରଶ୍ନପତ୍ର ପଠାଯିବ। ଗାଡ଼ିଗୁଡ଼ିକୁ ପୁଲିସ ସୁରକ୍ଷା ଯୋଗାଇ ଦିଆଯିବ। ପ୍ରତ୍ୟେକ କେନ୍ଦ୍ରରେ ପୁଲିସ ମୁତୟନ କରାଯିବ।
ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ପ୍ରଶ୍ନପତ୍ର ପ୍ୟାକେଟ୍ ଖୋଲାଯିବା ସମୟରେ ସରକାରୀ ଅଧିକାରୀ କିମ୍ବା ଶିକ୍ଷକ ମୋବାଇଲ୍ ପାଖରେ ରଖିବେ ନାହିଁ। କେବଳ ପରୀକ୍ଷା କେନ୍ଦ୍ରର ସୁପରିନଟେଣ୍ତେଣ୍ଟ ହିଁ ମୋବାଇଲ୍ ଫୋନ୍ ବ୍ୟବହାର କରିବେ। କେନ୍ଦ୍ର ଭିତରକୁ ଯିବା ପୂର୍ବରୁ ମୁଖ୍ୟ ଫାଟକ ନିକଟରେ ପରୀକ୍ଷାର୍ଥୀଙ୍କ ଶରୀରକୁ ଭଲ ଭାବେ ଯାଞ୍ଚ କରାଯିବ। କେବଳ ଅଧ୍ୟାପିକା ହିଁ ଛାତ୍ରୀଙ୍କ ଯାଞ୍ଚ କରିବେ। ପରୀକ୍ଷାର ୩୦ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ଭିତରକୁ ପ୍ରବେଶ ଲାଗି ଅନୁମତି ଦିଆଯିବ। ଏନେଇ ଫାଟକ ନିକଟରେ ବଡ଼ ଅକ୍ଷରରେ ନୋଟିସ୍ ଲାଗିବ। ପରୀକ୍ଷା ଆରମ୍ଭ ହେବାର ୧୫ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀ ସିଟ୍ରେ ବସିବାକୁ କୁହାଯାଇଛି।
ପରୀକ୍ଷା କେନ୍ଦ୍ର ନିକଟରେ ଯେପରି ଅଭିଭାବକ ଏକାଠି ନ ହୁଅନ୍ତି, ସେଥିପ୍ରତି ପଦକ୍ଷେପ ନେବାକୁ କୁହାଯାଇଛି। ଦରକାର ପଡ଼ିଲେ ପରୀକ୍ଷା କେନ୍ଦ୍ର ସୁପରିନଟେଣ୍ତେଣ୍ଟ ସ୍ଥାନୀୟ ପୁଲିସର ସହାୟତା ନେଇପାରିବେ। ପରୀକ୍ଷା କେନ୍ଦ୍ର ଭିତରେ ସୁରକ୍ଷା କଡ଼ାକଡ଼ି ରହିବ। ଯଦି ପରୀକ୍ଷା କେନ୍ଦ୍ରର କୌଣସି ଅଧ୍ୟାପକ ଓ କର୍ମଚାରୀ କପି ଯୋଗାଣରେ ସମ୍ପୃକ୍ତ ଥିବା ନଜରକୁ ଆସେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସୁପରିନଟେଣ୍ତେଣ୍ଟମାନେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷଙ୍କୁ ଏନେଇ ଅବଗତ କରାଇବେ। ପରୀକ୍ଷା ପରିଚାଳନା ଆଇନ ୧୯୮୮ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ କେନ୍ଦ୍ରର ସୁପରିନଟେଣ୍ତେଣ୍ଟମାନଙ୍କୁ ନିର୍ଦେଶ ଦିଆଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପରୀକ୍ଷାର୍ଥୀଙ୍କ ଲାଗି ପରୀକ୍ଷା କେନ୍ଦ୍ରରେ ପର୍ଯ୍ୟାପ୍ତ ପାନୀୟ ଜଳ ସୁବିଧା କରିବାକୁ କୁହାଯାଇଛି। ଛାତ୍ର ଓ ଛାତ୍ରୀଙ୍କ ଲାଗି ଅଲଗା ଶୌଚାଳୟ, ପରୀକ୍ଷା ସମୟରେ ପର୍ଯ୍ୟାୟକ୍ରମେ ଶୌଚାଳୟ ଯାଞ୍ଚ, ଶୌଚାଳୟ ଯିବା ପୂର୍ବରୁ ପରୀକ୍ଷାର୍ଥୀ ନିଜ ଟେବୁଲ୍ରେ ଯେପରି ପ୍ରଶ୍ନପତ୍ର ରଖି ଯିବେ, ସେଥିପ୍ରତି ଇନ୍ଭିଜିଲେଟରମାନେ ଧ୍ୟାନ ଦେବା ଆବଶ୍ୟକ ବୋଲି ପରିଷଦ ପକ୍ଷରୁ ସମସ୍ତ ପରୀକ୍ଷା କେନ୍ଦ୍ରର ସୁପରିନଟେଣ୍ଡେଣ୍ଟଙ୍କୁ କୁହାଯାଇଛି।