ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବନ ବିଭାଗର ପ୍ଲାଣ୍ଟେସନର ଜଣେ ଜଗୁଆଳ ମଙ୍ଗଳବାର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ସେ ବନ ବିଭାଗର କାର୍ଯ୍ୟ କରି ଦରମା ପାଇ ନ ଥିବାରୁ ଆତ୍ମହତ୍ୟା କରି ଥିବା ପରିବାର ଲୋକ ରିଆମାଳ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ରିଆମାଳ ଥାନା ନାଉଲିପଡା ପଞ୍ଚାୟତ ଅନ୍ତର୍ଗତ କଙ୍କରଖୋଳ ଗ୍ରାମର ପୋଲସ୍ତି ପ୍ରଧାନ(୫୦) କଙ୍କରଖୋଳ ପ୍ଲାଣ୍ଟେସନ ସାଇଡର ଜଗୁଆଳ ଭାବେ କାର୍ଯ୍ୟ କରୁଥିଲେ।ସେ ଗତ ୯ ମାସ ହେଲା ଦରମା ପାଉ ନ ଥିଲେ। ଫଳରେ ପରିବାର ଚଳାଇବାରେ ନାନା ସମସ୍ୟା ହେଉଥିଲା। ଦରମା ଟଙ୍କାକୁ ନେଇ ପରିବାର ମଧ୍ୟରେ ଝଗଡା, ଅଶାନ୍ତି ଲାଗି ରହିଥିଲା। ଏ ବାବଦରେ ସେ ଫରେଷ୍ଟରଙ୍କୁ କହୁଥିଲେ ମଧ୍ୟ ନ ଶୁଣି ଗାଳି ଗୁଲଜ କରିବା ସହ ଅସହ୍ୟ ଆଚରଣ କରୁଥିଲେ। ଫଳରେ ସେ କୌଣସି ଆୟ ଉପାୟ ନ କରି ଗଛରେ ଦେବାକୁ ଆଣିଥିବା ବିଷକୁ ନିଜେ ପିଇ ଦେଇଥିଲେ।
ପରିବାର ଲୋକ ଜାଣି ସଙ୍ଗେ ସଙ୍ଗେ ନିକଟସ୍ଥ ଛତାବର ମେଡିକାଲକୁ ନେଇଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ତାଙ୍କ ପୁତୁରା ସମ୍ଭେଶ୍ବର ପ୍ରଧାନ ଥାନାର ଦ୍ବାରସ୍ଥ ହୋଇ ଘଟଣା ବାବଦରେ ଲିଖିତ ଜଣାଇଛନ୍ତି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ଜବତ କରିଥିଲା।ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପରିବାର ପକ୍ଷରୁ ଦାବି କରାଯାଇଛି।ଏବାବଦରେ ଥାନା ଅଧିକାରୀ ଲଳିତା ପ୍ରଧାନଙ୍କୁ ପଚାରିବାରୁ ଜଗୁଆଳ ଜଣଙ୍କ ୩ ମାସ ହେଲା କାର୍ଯ୍ୟ କରୁଥିଲେ। ଏହି ମାମଲାକୁ ବନ ବିଭାଗ ହସ୍ତାନ୍ତର କରିଥିବା କହିଛନ୍ତି। ରେଞ୍ଜର ନିରଞ୍ଜନ ଧରୁଆକୁ ପଚାରିବାରୁ ସେ ତଦନ୍ତ ଚାଲିଥିବା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/dead-2.jpg)
