ଭୁବନେଶ୍ବର: ଭୁବନେଶ୍ବରରୁ ବାହାରୁଥିବା ବର୍ଜ୍ୟ ଗଙ୍ଗୁଆନାଳକୁ ପ୍ରଦୂଷିତ କରୁଛି। ପୁଣି ସେହି ଗଙ୍ଗୁଆନାଳ ସିଧା ଦୟାନଦୀରେ ମିଶିଥିବାରୁ ଦୟାନଦୀ ପାଣି ମଧ୍ୟ ପ୍ରଦୂଷଣର ଶିକାର ହେଉଛି। ମାମଲା ସେତିକିରେ ଅଟକି ଯାଉନି, ଦୟା ଚିଲିକା ସହ ସଂଯୁକ୍ତ ହୋଇଥିବାରୁ ଚିଲିକା ଜଳ ବି ପ୍ରଦୂଷିତ। ଅର୍ଥାତ୍‌ ଭୁବନେଶ୍ବର ସହରରୁ ବାହାରୁଥିବା ବର୍ଜ୍ୟ ପରିଚାଳନା ହେଉ ନଥିବାରୁ ଚିଲିକା ଜଳ ମଧ୍ୟ ପ୍ରଦୂଷିତ ହେଉଛି। ଏଭଳି ଅଭିଯୋଗ ନ୍ୟାସନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ (ଏନ୍‌ଜିଟି)ରେ ହେବା ପରେ ତନାଘନା ହୋଇଛି। ଏନ୍‌ଜିଟିରେ ଗୃହ ଓ ନଗର ଉନ୍ନୟନ ବିଭାଗ ଠାରୁ ଆରମ୍ଭ କରି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ୱାଟ୍‌କୋ, ବିଏମ୍‌ସି ପର୍ଯ୍ୟନ୍ତ ସତ୍ୟପାଠ ଦାଖଲ କରିଛନ୍ତି। ଏହି ସତ୍ୟପାଠରୁ ସ୍ପଷ୍ଟ ହୋଇଛି ଯେ ଏ ସମସ୍ୟା ପାଇଁ ୱାଟ୍‌କୋ ହିଁ ଦାୟୀ। ବର୍ଷ ବର୍ଷ ଧରି ସ୍ବେରେଜ୍‌ ପ୍ରକଳ୍ପ ଚାଲିଥିଲେ ମଧ୍ୟ ଏ ଯାବତ୍‌ ମାତ୍ର ୨୦ରୁ ୩୦ ପ୍ରତିଶତ ସରିଛି। ଏହା ଶତପ୍ରତିଶତ ହେଲେ ଯାଇ ଗଙ୍ଗୁଆ ପ୍ରଦୂଷଣମୁକ୍ତ କଥା ଚିନ୍ତା କରାଯିବ ବୋଲି ଯୁଗ୍ମ କମିଟି ରିପୋର୍ଟ ଦେଇଛି। ଏହାକୁ ଅନୁଧ୍ୟାନ କରିବା ସହ ଗଙ୍ଗୁଆ ପ୍ରଦୂଷଣ ମୁକ୍ତ ହୋଇଛି ବୋଲି ନିଶ୍ଚିତ କରିବାକୁ ବିଡିଏ ଉପାଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ ଗଠିତ ହୋଇଛି। ସ୍ବେରେଜ୍‌ ପ୍ରକଳ୍ପ ସାରିବାକୁ ୱାଟ୍‌କୋକୁ ନଭେମ୍ବର ଡେଡ୍‌ଲାଇନ୍‌ ଦିଆଯାଇଛି। ଟାସ୍କ ଫୋର୍ସ ସମସ୍ତ ଅଗ୍ରଗତି ଅନୁଧ୍ୟାନ କରିବା ସହ ଗଙ୍ଗୁଆ ପ୍ରଦୂଷଣ ମୁକ୍ତ ହେବା ଏହି ଟାସ୍କ ଫୋର୍ସ ନିଶ୍ଚିତ କରିବ ବୋଲି ଏନ୍‌ଜିଟି ଆଦେଶ ଦେଇଛନ୍ତି। ତା’ସହିତ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି।

Advertisment

ପୂର୍ବରୁ ଗଙ୍ଗୁଆ ନାଳ ପ୍ରଦୂଷଣ ପ୍ରସଙ୍ଗ ଅନୁଧ୍ୟାନ କରିବା ପାଇଁ ଏନ୍‌ଜିଟି ଚାରିଜଣିଆ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ବରିଷ୍ଠ ବୈଜ୍ଞାନିକ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ପରିବେଶ, ଜଙ୍ଗଲ, ଜଳବାୟୁ ପରିବର୍ତ୍ତନ ବିଭାଗର ଜଣେ ଲେଖାଏ ବରିଷ୍ଠ ବୈଜ୍ଞାନିକଙ୍କୁ ନେଇ ଗଠିତ କମିଟିର ନୋଡାଲ୍‌ ଅଧିକାରୀ ଭାବେ ଖୋର୍ଦ୍ଧା ଜିଲ୍ଲାପାଳ ରହିଥିଲେ। ଏହି କମିଟି ଗଙ୍ଗୁଆନାଳର ସ୍ଥିତି ଅନୁଧ୍ୟାନ କରିବା ସହିତ ଜଳର ମାନ ଓ ପ୍ରଦୂଷଣର ମାତ୍ରା ଯାଞ୍ଚ କରିଥିଲା। ଏହି କମିଟିର ରିପୋର୍ଟ ମୁତାବକ, ଭୁବନେଶ୍ବର ପୌରାଞ୍ଚଳରୁ ବାହାରୁଥିବା ବର୍ଜ୍ୟଜଳ
କୌଣସି ପ୍ରକାର ବିଶୋଧନ ନ କରି ଗଙ୍ଗୁଆକୁ ଛଡା ଯାଉଛି। ୱାଟ୍‌କୋ ଏହି ସବୁ ବର୍ଜ୍ୟଜଳକୁ ପରିଚାଳନା କରିବା ପାଇଁ ୫ଟି ସ୍ବେରେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ (ଏସ୍‌ଟିପି) ପ୍ରସ୍ତୁତ କରିଛି। ମେହେରାପାଲି, ପାଇକାରାପୁର, ବାସୁଆଘାଇ, ରୋକଡ ଓ କୋଚିଲାପୁଟ ଆଦି ଅଞ୍ଚଳରେ ପ୍ରତିଷ୍ଠା ହୋଇଥିବା ଏହି ସ୍ବେରେଜ୍‌ ଟ୍ରିଟମେଣ୍ଟ ପ୍ଲାଣ୍ଟ ଦକ୍ଷତା ଅନୁସାରେ ମାତ୍ର ୨୦ରୁ ୩୦ ପ୍ରତିଶତ କାମ କରୁଛି। ସାରା ସହରରେ ପାଇପ୍‌ ନେଟ୍‌ୱର୍କ ମଧ୍ୟ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ଏଣୁ ଏହା ପ୍ରଦୂଷଣର ମୁଖ୍ୟ କାରଣ ପାଲଟିଛି। ଏ ନେଇ ଯୁଗ୍ମ କମିଟି ୱାଟ୍‌କୋକୁ ରିପୋର୍ଟ ତଲବ କରିଛି। କେତେ ଏସ୍‌ଟିପି ପ୍ରତିଷ୍ଠା ହୋଇଛି, କେତେ ଶତପ୍ରତିଶତ କାମ କରୁଛି, ପାଇପ୍‌ଲାଇନ୍‌‌ ନେଟ୍‌ୱର୍କ କେତେ ବାକି ଅଛି ଓ କେବେ ସରିବ- ଏ ସବୁକୁ ନେଇ ୱାଟ୍‌କୋ ଯୁଗ୍ମ କମିଟିକୁ ରିପୋର୍ଟ ଦେବ। ନଭେମ୍ବର ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ କରିବାକୁ ଆଦେଶ ହୋଇଛି।

ୱାଟ୍‌କୋ ସତ୍ୟପାଠ ମୁତାବକ, ୫ଟି ଏସ୍‌ଟିପିରୁ ୩ଟି ସମ୍ପୂର୍ଣ୍ଣ ହୋଇଛି। ବାକି ଦୁଇଟି ନଭେମ୍ବର ୩୦ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ୫ଟି ଏସ୍‌ଟିପିର କ୍ଷମତା ୧୮୩.୫ ଏମ୍‌ଏଲ୍‌ଡି ରହିଛି। ସମସ୍ତ ଏସ୍‌ଟିପି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଗଲେ କୌଣସି ପରିସ୍ଥିତିରେ ଗଙ୍ଗୁଆକୁ ମଳ ଯିବନାହିଁ ବୋଲି ୱାଟ୍‌କୋ କହିଛି।
କମିଟିର ରିପୋର୍ଟ ମୁତାବକ, ସୈନିକ ସ୍କୁଲ୍‌, ପଟିଆ, ବାଣୀବିହାର, ଲକ୍ଷ୍ମୀସାଗର, ବଡ଼ଗଡ଼, କେଦାରଗୌରୀ ଓ ନିକ୍କୋପାର୍କ ଠାରେ ଗଙ୍ଗୁଆ ସର୍ବାଧିକ ପ୍ରଦୂଷିତ ରହିଛି। ୧୦ଟି ପ୍ରାକୃତିକ ନଳା ମଧ୍ୟ ସିଧା ସଳଖ ଗଙ୍ଗୁଆରେ ମିଶିଛି। ଏହାକୁ ପରିଚାଳନା କରାଯାଉ ନଥିବାରୁ ଏହା ମଧ୍ୟ ଗଙ୍ଗୁଆକୁ ପ୍ରଦୂଷିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି। ଗଙ୍ଗୁଆ ପାଣି ଦୟା ଓ ଦୟା ପାଣି ଚିଲିକାରେ ମିଶୁଥିବାରୁ ଏ ସବୁ ପ୍ରଦୂଷିତ ହୋଇଥିବା ରିପୋର୍ଟ କହୁଛି। ଏହା ସହିତ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ମଧ୍ୟ କମିଟି ରିପୋର୍ଟ ମାଗିଛି। ବିଭିନ୍ନ ଜାଗାରେ ପାଣିର ମାନ ପରୀକ୍ଷା କରି ରିପୋର୍ଟ ଦେବାକୁ କୁହାଯାଇଛି। ଏସବୁ ରିପୋର୍ଟ ସଂଗ୍ରହ କରି ୧୨୦ ଦିନ ମଧ୍ୟରେ ଏହାର ତର୍ଜମା କରିବାକୁ କମିଟି ଲକ୍ଷ୍ୟ ରଖିଛି। ବୃନ୍ଦାବନ ଦାସ ଆଜାଦଙ୍କ ଅଭିଯୋଗ ଆଧାରରେ ଦାୟର ମାମଲାକୁ ଆଇନଜୀବୀ ଆଫରାଜ ସୁହେଲ ମାମଲା ପରିଚାଳନା କରୁଥିଲେ।