ଜଗତସିଂହପୁର: ପାରାଦୀପର କଳିଙ୍ଗ ବାଲିଯାତ୍ରା ପଡ଼ିଆରେ ଗାନ୍ଧୀ ଜୟନ୍ତୀ ପାଳନ ସମୟରେ ବଡ଼ ଅଘଟଣ ଘଟିଛି। ସମୁଦ୍ର କୂଳରେ ଥିବା ଏହି ପଡ଼ିଆକୁ ଆସିଥିବା କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ହଠାତ୍ ତିନି ଜଣ ସମୁଦ୍ରରେ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ସ୍ଥାନୀୟ ଯୁବକମାନେ ଉଦ୍ଧାର କରିଥିବାବେଳେ ଅନ୍ୟ ଜଣଙ୍କର ଏଯାବତ୍ ପତ୍ତା ମିଳିନାହିଁ। ଉଦ୍ଧାର ଛାତ୍ର ଦୁଇଜଣ ଏ. ସାଇଜ୍ୟୋତି ଓ ଶୁଭମ କୁଲୁ ତଥା ନିଖୋଜ ଛାତ୍ରଙ୍କ ନାମ ଅଂଶୁମାନ ଦାସ ବୋଲି ପରିଚୟ ମିଳିଛି। ସମସ୍ତେ ନବମ ଶ୍ରେଣୀର ଛାତ୍ର ଅଟନ୍ତି। ନିଖୋଜ ଅଂଶୁମାନଙ୍କୁ ଖୋଜିବା ପାଇଁ ସିଆଇଏସ୍ଏଫ୍, ଅଗ୍ନିଶମ ବିଭାଗ, ତଟରକ୍ଷୀ ବାହିନୀ ଏବଂ ସ୍ଥାନୀୟ ମତ୍ସ୍ୟଜୀବୀ ଉଦ୍ୟମ ଜାରି ରଖିଛନ୍ତି। ଗାନ୍ଧୀ ଜୟନ୍ତୀ ଦିବସ ପାଳନ ଅବସରରେ ପାରାଦୀପ ପୌରପାଳିକା ପକ୍ଷରୁ ସ୍ବଚ୍ଛତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସାମିଲ କରାଯାଇଥିଲା। କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିଥିବା ଏହି ତିନି ଜଣ ଛାତ୍ର ସମୁଦ୍ରରେ ଗାଧୋଉଥିବାବେଳେ ସମୁଦ୍ର ଢ଼େଉରେ ଭିତରକୁ ଚାଲି ଯାଇଥିଲେ। ନିକଟରେ ଥିବା କେତେଜଣ ମତ୍ସ୍ୟଜୀବୀଙ୍କ ତୁରନ୍ତ ଉଦ୍ୟମ ଯୋଗୁଁ ସାଇଜ୍ୟୋତି ଓ ଶୁଭମଙ୍କୁ ପାଣିରୁ ଉଦ୍ଧାର କରାଯାଇ ପାରିଥିଲା। ହେଲେ, ଅଂଶୁମାନଙ୍କ କେଉଁଆଡ଼େ ପାଣି ଭିତରେ ନିଖୋଜ ହୋଇ ଯାଇଥିଲେ। ଉଦ୍ଧାର ପରେ ସାଇଜ୍ୟୋତି ଓ ଶୁଭମଙ୍କୁ ବନ୍ଦର ହସ୍ପିଟାଲରେ ଭର୍ତ୍ତିି କରାଯାଇଥିଲା। ତେବେ, ପିଲାମାନଙ୍କୁ କିଏ ସେଠାକୁ ଡାକିଥିଲା ସେ ନେଇ କେହି େଦାଷ େନବାକୁ ରାଜି ହେଉନାହାନ୍ତି। ଉକ୍ତ ସ୍କୁଲରୁ ଡକାଯାଇଥିବା ପିଲାମାନଙ୍କ ମଧ୍ୟରେ ତିନିଜଣ ଛାତ୍ର ନ ଥିଲେ ବୋଲି ପୌରପାଳିକା ପକ୍ଷରୁ କୁହାଯାଉଥିବା ବେଳେ ଉକ୍ତ ତିନି ଛାତ୍ରଙ୍କୁ ସ୍କୁଲ ପକ୍ଷରୁ ମଧ୍ୟ ପଠାଯାଇ ନ ଥିଲା ବୋଲି ବିଦ୍ୟାଳୟ କତ୍ତୃର୍ପକ୍ଷ ସଫେଇ ଦେଇଛନ୍ତି।
ସମୁଦ୍ରରେ ଭାସିଗଲେ ୩ ଛାତ୍ର ୨ ଉଦ୍ଧାର, ଜଣେ ନିଖୋଜ
/sambad/media/post_attachments/wp-content/uploads/2018/10/F-deepwater-spill.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)