ପୋଖରୀରେ ବୁଡ଼ି ଦୁଇ ଶିଶୁପୁତ୍ରଙ୍କ ସଲିଳ ସମାଧି

ଭୋଗରାଇ: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ ଗୋପୀନାଥପୁର ପଞ୍ଚାୟତର ନାରାୟଣପୁର ଗାଁରେ ଆଜି ଏକ ଅଘଟଣ ଘଟିଯାଇଛି। ପୋଖରୀରେ ବୁଡ଼ିଯାଇ ଦୁଇ କେମଳମତି ଶିଶୁଙ୍କର ସଲିଳ ସମାଧି ଘଟିଛି। ଏହି ଗାଁର ବାସୁଦେବ ସାହୁଙ୍କ ଏକମାତ୍ର ପୁଅ ରଞ୍ଜନ(୪) ଏବଂ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ସାନ ପୁଅ ରାଜକୁମାର(୩) ଦିନ ପ୍ରାୟ ୧୧ଟା ସମୟରେ ଘର ନିକଟରେ ଖେଳୁଥିଲେ। ଦିନ ୧୨ଟା ବେଳେ ସେମାନଙ୍କୁ ଦେଖିବାକୁ ନ ପାଇ ପରିବ‌ାର ଖୋଜାଖୋଜି କରିଥିଲେ। କିନ୍ତୁ ସେମାନଙ୍କର କୌଣସି ଖୋଜ ଖବର ମିଳି ନ ଥିଲା। ଶେଷରେ ଘର ନିକଟରେ ଥିବା ଏକ ପୋଖରୀରେ ଜାଲ ପକାଇବାରୁ ପ୍ରଥମେ ଜଣଙ୍କର ମୃତଦେହ ମିଳିଥିଲା। କିଛି ସମୟ ପରେ ଅନ୍ୟଜଣଙ୍କର ମୃତଦେହ ମଧ୍ୟ ମିଳିଥିଲା। ସେମାନଙ୍କୁ ସଙ୍ଗେ ସଙ୍ଗେ ଜଳେଶ୍ବରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ। ଏନେଇ ଭୋଗରାଇ ଥାନାରେ ପୃଥକ ଭାବେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର