ବଲାଙ୍ଗୀର: ବଲାଙ୍ଗୀର ସହରର ପୋଖରୀ ସମସ୍ୟାକୁ ଅନେକ ସ୍ଥାନୀୟ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନ କରିଆସୁଛି। ଶନିବାର ବେହେରାପାଲି ପୋଖରୀ (ବନ୍ଧ) ପୁନରୁଦ୍ଧାର ପାଇଁ ଭିନ୍ନ ଢଙ୍ଗରେ ଆନ୍ଦୋଳନ କରିଛି। ପଡ଼ାବାସୀଙ୍କ ସହ କମିଟି କର୍ମକର୍ତ୍ତା ବନ୍ଧ ଭିତରେ ଜଳସତ୍ୟାଗ୍ରହ କରିଥିଲେ। ସେମାନଙ୍କ ଅଭିଯୋଗ ହେଲା, ବନ୍ଧର ପଙ୍କ ଉଦ୍ଧାର କରି ସଫେଇ କରିବା ପରିବର୍ତ୍ତେ ସହରରୁ ନିର୍ଗତ ମଇଳା ପାଣି ନାଳୀ ଏଠାରେ ଯୋଡ଼ିଦିଆଯାଇଛି। ଫଳରେ ଏହା ପୋଖରୀ ଭାବେ ନରହି ଅଳିଆଗଦା ପାଲଟିଛି। ଏହି ଦୂଷିତ ପାଣିରେ ଗାଧୋଉଥିବା ଲୋକେ ବିଭିନ୍ନ ଚର୍ମରୋଗରେ ଆକ୍ରାନ୍ତ ହେଉଛନ୍ତି।
ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ତେଣୁ ପୌରାଧ୍ୟକ୍ଷା ଓ ଜିଲ୍ଲାପାଳ ଆସି ଏହି ବନ୍ଧରେ ଗାଧୋଇବା ପାଇଁ ପଡ଼ାବାସୀ ଆହ୍ବାନ ଦେଇଛନ୍ତି। କିଛିଦିନ ପୂର୍ବରୁ ଏହି ବନ୍ଧର ପଙ୍କୋଦ୍ଧାର ଦାବିରେ କମିଟିର ଡାକରାରେ ଅଂଚଳବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳ ଓ ପୌରାଧକ୍ଷାଙ୍କୁ ଲିଖିତ ଭାବେ ଜଣାଇଥିଲେ। ଲୋକଙ୍କ ଅସୁବିଧାକୁ ନଜରରେ ରଖି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ତାଙ୍କ ବିଧାୟକ ପାଣ୍ଠିରୁ ଦୁଇଲକ୍ଷ ଟଙ୍କା ଅନୁଦାନ ଦେଇଥିଲେ। ତଥାପି କୌଣସି ପଦକ୍ଷେପ ନିଆଗଲା ନାହିଁ ବୋଲି ଅଭିଯୋଗ କରିଥିଲେ। ସମାନ ଦାବି ନେଇ ଶନିବାର ଉକ୍ତ ବନ୍ଧରେ ଜଳସତ୍ୟାଗ୍ରହ କରାଯାଇଥିଲା।
ଶୀଘ୍ର ବନ୍ଧର ପୁନରୁଦ୍ଧାର କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି କମିଟି ଧମକ ଦେଇଛି। ଏହି ଜଳସତ୍ୟାଗ୍ରହରେ ୱାର୍ଡ ନଂ ୯ର କ୍ରିୟାନୁଷ୍ଠାନ କମିଟି ସଭାପତି ସମୀର କୁମ୍ଭାର, ରାଜେନ୍ଦ୍ର ସାଏ, ଜିତେନ୍ଦ୍ର ପଟେଲ, ଖଗେଶ୍ୱର ବିଶ୍ୱାଲ, ସଚ୍ଚିଦାନନ୍ଦ ମହାନନ୍ଦ, ପ୍ରଶାନ୍ତ ରାଏ, ରଘୁନାଥ ମୁଗ୍ରୀ, ରବି ଖମାରୀ, ସନ୍ତୋଷିନୀ କୁମ୍ଭାର, ଅନିତା ରାଏ, ଯାଜ୍ଞ ଭୋଇ, ଶିବାନୀ ପଟେଲ, ସସ୍ମିତା ସାଏ, ରୂପକାନ୍ତି ବିଶ୍ୱାଲ, ଜିଲ୍ଲା କଂଗ୍ରେସ ଉପସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, ନଗର କଂଗ୍ରେସ ସଭାପତି ବୁଲୁ ଦାନୀ, ଜିଲ୍ଲା ସେବାଦଳ ମୁଖ୍ୟ ଅସିତ ମିଶ୍ର, ସାନନ୍ଦ ମିଶ୍ର, ଜୁଲୁ ପଟ୍ଟନାୟକ, ଲୋପନ ମିଶ୍ର, ଅଙ୍କିତ ସାହୁ, ନାସିର ଖାନ, ଅନ୍ତ ମଛଖଣ୍ଡ, ବ୍ରଜ ସେଠୀ, ଅଜିତ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।