ଖଣି ପାଇଁ ପାଣି, ପବନ ପ୍ରଦୂଷିତ; ପୁଣି ମୁଣ୍ଡ ନେଲା କିଡ୍‌ନି ରୋଗ

ଦେଢ଼ବର୍ଷରେ ୨୧ ଜଣଙ୍କ ଅକାଳ ମୃତ୍ୟୁ

କାଳିଆପାଣି : ଖଣି ଅଞ୍ଚଳରେ ପାଣି, ପବନ ସବୁ ପ୍ରଦୂଷିତ। ସେହି ଦୂଷିତ ପାଣିକୁ ପିଇ ଲୋକେ କିଡ୍‌ନି ପରି ବ୍ୟାଧିରେ ଆକ୍ରାନ୍ତ ହେଉଛନ୍ତି। ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା ମିଳିପାରୁନାହିଁ। ପରିଣାମ ପୁଣି ଜଣେ ଖଣି ଶ୍ରମିକଙ୍କ ମୁଣ୍ଡ ନେଇଛି କିଡ୍‌ନି ରୋଗ। ଟିଏସ୍‌ଏମ୍‌ଏଲ୍‌ ସାରୁଆବିଲ କ୍ରୋମାଇଟ୍‌ ମାଇନ୍ସ କଲୋନିରେ ରହୁଥିବା ଡେକୋ କମ୍ପାନିର ଠିକା ଖଣି ଶ୍ରମିକ ଅଜୟ ବାନରା(୩୬) ଆଜି ଏଥିରେ ଜୀବନ ହରାଇଛନ୍ତି। ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ପତ୍ନୀ ଓ ୪ ଜଣ ଶିଶୁ ଏବେ ଅସହାୟ ହୋଇପଡ଼ିଛନ୍ତି। ଅଜୟ ରୋଗଗ୍ରସ୍ତ ହେବା ପରେ ଗତ କିଛିଦିନ ଧରି ଖଣିରେ ଡ୍ୟୁଟି କରିପାରୁ ନଥିଲେ।

The Wire

ଗତ ୧ ତାରିଖରେ ଟାଟାଷ୍ଟିଲ ସୁକିନ୍ଦ‌ା କ୍ରୋମାଇଟ୍‌ ଖଣିର ଛଟେଇ ଲୋଡିଂ ଲେବର ଗୋବିନ୍ଦ ଜେରାଇ(୪୪) ଓ ଗତ ମେ ମାସ ୧୧ ତାରିଖରେ ଅଜୟଙ୍କ ସହକର୍ମୀ ଡେକୋ କମ୍ପାନିର ସୁପରଭାଇଜର ବରୁଣ ମହାନ୍ତ(୫୧)ଙ୍କର କିଡ୍‌ନି ରୋଗରେ ମୃତ୍ୟୁ ହୋଇଥିଲା। ସେହିପରି ଏପ୍ରିଲ ୧୯ ତାରିଖରେ ଗୁରୁଜଙ୍ଗ ଗ୍ରାମର ଅବସରପ୍ରାପ୍ତ ଖଣି କର୍ମଚାରୀ ଶ୍ୟାମସୁନ୍ଦର ମୁଣ୍ଡା(୫୯) ଓ ୧୦ ତାରିଖରେ ଓଏମ୍‌ସି ଦକ୍ଷିଣ କାଳିଆପାଣି କ୍ରୋମାଇଟ୍‌ ଖଣି ଡିକ୍ବ‌ାରିର ଠିକା ଖଣି କର୍ମଚାରୀ ମୋଚିରାମ ଦେହୁରୀ(୫୦) ଏହି ରୋଗରେ ଆଖି ବୁଜିଥିଲେ। ଏହାର କିଛିଦିନ ପୂର୍ବରୁ ଓଏମ୍‌ସି ଦକ୍ଷିଣ କାଳିଆପାଣି କ୍ରୋମାଇଟ୍‌ ଖଣିର ମାଇନିଂ ମେଟ୍‌ ବନମାଳୀ ଆଇଚ(୪୮) ଓ ବାଲେଶ୍ବର ଆଲଏଜ୍ ଖଣି କର୍ମଚାରୀ ନିହାର ରଞ୍ଜନ ମହାନ୍ତ(୪୫)ଙ୍କର ମଧ୍ୟ କିଡ୍‌ନି ରୋଗରେ ମୃତ୍ୟୁ ହୋଇଥିଲା। ଖଣିର ପ୍ରଦୂଷିତ ବାୟୁମଣ୍ଡଳ ସାଙ୍ଗକୁ ଦୂଷିତ ଜଳ ବ୍ୟବହାର ପାଇଁ କିଡ୍‌ନି ରୋଗ ଏଠାରେ ମହାମାରୀର ରୂପ ନେଇଥିବା ଅଭିଯୋଗ ହୋଇଛି। ଗତ ଦେଢ଼ବର୍ଷ ମଧ୍ୟରେ କାଳିଆପାଣି ଅଞ୍ଚଳରେ କିଡ୍‌ନି ରୋଗ ୨୦ ମୁଣ୍ଡ ନେଲାଣି। ଜୁନ ମାସ ୧୯ ତାରିଖରେ ରାଁସୋଳ ପଞ୍ଚାୟତ ମାଙ୍କେଡ଼ିଆ ବସ୍ତିର ପାଣ୍ଡେ ମାଙ୍କେଡ଼ିଆ(୫୮) ଏହି ରୋଗର ଶିକାର ହୋଇଥିଲେ।

ଜାନୁଆରି ମାସ ୨୪ ତାରିଖରେ ଚିରିଗୁଣିଆ ପ୍ରସ୍ପେକ୍ଟିଂ କ୍ୟାମ୍ପ୍‌ର ଓଏମ୍‌ସି କର୍ମଚାରୀ ବଂଶୀ ଚାମ୍ପିଆ(୫୫) ଓ ଡିସେମ୍ବର ୨୪ ତାରିଖରେ ବିର୍ସାନଗର ବସ୍ତିର ଛଟେଇ ଖଣି ଶ୍ରମିକ ବୁଲୁ ନାୟକ(୩୩)ଙ୍କର କିଡ୍‌ନି ରୋଗରେ ମୃତ୍ୟୁ ହୋଇଥିଲା। ଗତବର୍ଷ ଅଗଷ୍ଟ ମାସରେ ୨ ନମ୍ବର ୱାର୍ଡର ୱାର୍ଡମେମ୍ବର ବିର୍ସାନଗର ବସ୍ତିର ରୂପାଇ ମାଝିଙ୍କ ମାଆ ବୁଦୁନି ମାଝି(୬୨), ଜୁଲାଇ ୨୭ ତାରିଖରେ ବିର୍ସାନଗରର ସୁବାସ ପୂର୍ତ୍ତି(୩୫) ଓ ପୁରୁଣାପାଣିର ନାନୁ ଚାଖି(୩୮) ଏବଂ ଜୁଲାଇ ୧୭ ତାରିଖରେ ପୁରୁଣାପାଣିର ଗଣେଶ୍ବର ଗାଗରାଇ(୪୫)ଙ୍କର ଏଥିରେ ମୃତ୍ୟୁ ‌ହୋଇଥିଲା। ଜୁନ ୧୧ ତାରିଖରେ ଓଏମ୍‌ସିର ଅବସରପ୍ରାପ୍ତ କର୍ମଚାରୀ ପୁରୁଣାପାଣିର ବିକ୍ରମ କେରାଇ(୬୪) ଓ ଏପ୍ରିଲ୍‌ ୨୬ ତାରିଖରେ ଓଏମ୍‌ସି କଲୋନିର ବାସନ୍ତୀ ମାଝି(୫୧) ଏବଂ ଏହାର କିଛିମାସ ତଳେ ଅବସରପ୍ରାପ୍ତ ଓଏମ୍‌ସି ଶ୍ରମିକ କାଳିଆପାଣି ମୁଣ୍ଡାସାହିର ଜମାଦାର ଗାଗରାଇ(୬୧), ଇମ୍ଫା ଲୋଡିଂ ଶ୍ରମିକ ଚିରିଗୁଣିଆ ବସ୍ତିର ମେଘରାୟ ହାଁସଦା(୪୨), ବେଦାନ୍ତ-ଫେକର ଖଣି ଶ୍ରମିକ ଦୁଃଖିଆ ଓରାମ(୫୬) ଏବଂ ଓଏମସି କର୍ମଚାରୀ ସ୍ବର୍ଗତ ବଂଶୀ ଚାମ୍ପିଆଙ୍କ ପତ୍ନୀ ରୋଗୀ ମଂଜୁ(୫୦) କିଡ୍‌ନି ରୋଗରେ ପ୍ରାଣ ହରାଇଥିଲେ। ଏହି ରୋଗର ସ୍ଥାୟୀ ପ୍ରତିକାର ପାଇଁ ଏବେ ଖଣିଅଞ୍ଚଳରେ ସ୍ବର ତୀବ୍ର ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ ସ୍ଥାନୀୟ ଖଣି କର୍ତ୍ତୃପକ୍ଷ ଏ ଦିଗରେ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର